ନିରଞ୍ଜନଙ୍କ ୫ଟି ପ୍ରଶ୍ନ : ଓଡ଼ିଶା ପାଇଁ ମୋଦୀଙ୍କ ଅବଦାନ କ’ଣ?

ଭୁବନେଶ୍ବର : କଂଗ୍ରେସ ଶାସନ ସମୟରେ ଓଡ଼ିଶାରେ ରାଉରକେଲା ଇସ୍ପାତ କାରଖାନା, ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ୍‌(ହାଲ୍‌), ସିଇଁତଲାର ଗୋଳାବାରୁଦ କାରଖାନା, ନାଲ୍‌କୋ ଭଳି ବୃହତ୍‌ କଳା କାରଖାନା ନିର୍ମାଣ ହୋଇଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଦାୟିତ୍ବ ନେବାର ସାଢ଼େ ଚାରିବର୍ଷ ମଧ୍ୟରେ କି କି ବୃହତ୍‌ ପ୍ରକଳ୍ପ ହୋଇଛି? ଓଡ଼ିଶା ପାଇଁ ମୋଦୀଙ୍କର ଅବଦାନ କ’ଣ ବୋଲି ପ୍ରଶ୍ନ କରିଛନ୍ତି ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ। ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ(ବଲାଙ୍ଗୀର) ଗସ୍ତ ଅବସରରେ ଶ୍ରୀ ପଟ୍ଟନାୟକ ତାଙ୍କୁ ୫ଟି ପ୍ରଶ୍ନ ପଚାରିଛନ୍ତିି।

ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି କହିଥିଲେ, ମୋଦୀ ବାରମ୍ବାର ଓଡ଼ିଶା ଗସ୍ତ କରୁଛନ୍ତିି। ତାଙ୍କର ଏକମାତ୍ର ଆଭିମୁଖ୍ୟ ନିର୍ବାଚନ ବୋଲି ସ୍ପଷ୍ଟ। କିନ୍ତୁ ସେ ଓଡ଼ିଶା ସଂପର୍କିତ ସବୁ ପ୍ରସଙ୍ଗକୁ ଏଡ଼ାଇ ଯାଉଛନ୍ତିି। ଆସନ୍ତାକାଲି ବଲାଙ୍ଗୀର ଗସ୍ତ ଅବସରରେ ମୋଦୀ ତାଙ୍କର ୫ଟି ପ୍ରଶ୍ନର ଉତ୍ତର ରଖିବେ ବୋଲି ସେ ଆଶା କରୁଥିବା କହିଥିଲେ। ୨୦୧୪ ନିର୍ବାଚନ ପୂର୍ବରୁ ସ୍ବାମୀନାଥନ କମିଟି ସୁପାରସି ଅନୁଯାୟୀ ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ଗୁଣ କରିବେ ବୋଲି ଚାଷୀଙ୍କୁ ମୋଦୀ ପ୍ରତିଶ୍ରୁତି ଦେଇଥିଲେ। ସାଢ଼େ ଚାରିବର୍ଷ ଭିତରେ ସେ କାହିଁକି ପ୍ରତିଶ୍ରୁତି ପୂରଣ କଲେନାହିଁ ବୋଲି ତା’ର ଜବାବ ସେ ଚାଷୀଙ୍କୁ ଦିଅନ୍ତୁ।

ଦ୍ବିତୀୟ, ସେ ପ୍ରତିଶ୍ରୁତି ଦେଇଥିଲେ ବର୍ଷକୁ ୨ କୋଟି ଯୁବକ ଯୁବତୀ କର୍ମ ନିଯୁକ୍ତି ସୁଯୋଗ ପାଇବେ। ଏଥିମଧ୍ୟରୁ ଓଡ଼ିଶାର କେତେ ଯୁବକ ଯୁବତୀ ନିଯୁକ୍ତି ପାଇଛନ୍ତି? ସେଥିପାଇଁ ରାଜ୍ୟରେ କେତେ ପୁଞ୍ଜିନିବେଶ ହୋଇଛି? ଏହି ପରିପ୍ରେକ୍ଷୀ‌େର ସେ କହିଥିଲେ, କଂଗ୍ରେସ କ୍ଷମତାରେ ଥିବା ବେଳେ ଓଡ଼ିଶାର ଆରଏସ୍‌ପି, ନାଲ୍‌କୋ, ଗୋଳାବାରୁଦ କାରଖାନ ଭଳି ବଡ଼ ବଡ଼ ଶିଳ୍ପ ପ୍ରତିଷ୍ଠା ହୋଇଥିଲା। ତୃତୀୟରେ ରାଫେଲ୍‌ ପ୍ରକଳ୍ପକୁ ଅନିଲ ଅମ୍ବାନିଙ୍କ ପରିବର୍ତେ ହାଲ୍‌କୁ ଦିଆଯାଇଥିଲେ, ପ୍ରତ୍ୟକ୍ଷ ‌ବା ପରୋକ୍ଷରେ ୩୦ରୁ ୪୦ ହଜାର ଓଡ଼ିଆ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥାନ୍ତା। କିନ୍ତୁ ମୋଦୀ ସେହି ସୁଯୋଗ ମଧ୍ୟ ଓଡ଼ିଶାର ଯୁବକ ଯୁବତୀଙ୍କ ହାତରୁ ଛଡ଼ାଇନେଲେ।

ଚତୁର୍ଥ, ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ କେବିକେ ଏବଂ ପଛୁଆ ଜିଲ୍ଲା ଉନ୍ନୟନ ପାଇଁ ସ୍ବତନ୍ତ୍ର ଯୋଜନା ଓ ଅନୁଦାନ ବ୍ୟବସ୍ଥା କରିଥିଲେ। ଏନ୍‌ଡିଏ ସରକାର କ୍ଷମତାସୀନ ହେବା ପରେ ସେହି ଯୋଜନାକୁ ବନ୍ଦ କରିଦେଲେ। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ପାଇଁ କେନ୍ଦ୍ର ସରକାର କି ସ୍ବତନ୍ତ୍ର ପ୍ୟାକେଜ୍‌ ଦେଇଛନ୍ତି? ଓଡ଼ିଶାର ୬୫ ପ୍ରତିଶତ ଲୋକେ ଗରିବ ହୋଇଥିବା ସତ୍ତ୍ବେ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ନଦେଲେ ନାହିଁ, ସ୍ବତନ୍ତ୍ର ପ୍ୟାକେଜ୍‌ କିଛି ଦେଲେନି କାହିଁକି? ପଞ୍ଚମ ପ୍ରଶ୍ନ, ପ୍ରଧାନମନ୍ତ୍ରୀଙ୍କ ନିର୍ଦେଶରେ ସିବିଆଇ କାର୍ଯ୍ୟ କରୁଛି ବୋଲି ପିସିସି ସଭାପତି ଅଭିଯୋଗ କରିଥିଲେ। ଚିଟ୍‌ଫଣ୍ଡ ଦୁର୍ନୀତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସହାୟକଙ୍କ ସଂପୃକ୍ତି ଧରାପଡ଼ିବା ପରେ ବି ସିବିଆଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ନାହିଁ। ମୁଖ୍ୟମନ୍ତ୍ରୀ ଓ ବିଜେଡିକୁ ସିବିଆଇ ସୁରକ୍ଷା ଦେଉଛି। ବିଜେଡି ସହିତ ୯ ବର୍ଷ ଧରି ବିଜେପି ମିଶି ସରକାର ଚଳାଇଥି‌‌ଲା। କିନ୍ତୁ ଶାସନରୁ ଯିବା ପରେ ବି ସିବିଆଇ ପଦକ୍ଷେପ ଶୂନ। ଏହା ପଛର ଉଦ୍ଦେଶ୍ୟ କ’ଣ ବୋଲି ଶ୍ରୀ ପଟ୍ଟନାୟକ ପଚାରିଛନ୍ତି।

ସମ୍ବନ୍ଧିତ ଖବର