ବଲାଙ୍ଗୀର ଖୋର୍ଦ୍ଧା ରେଳପଥ ସ୍ବପ୍ନ ବାସ୍ତବତାର ରୂପ ନେବ ତ? : ପ୍ରଧାନମନ୍ତ୍ରୀ ଆଜି ଆସୁଛନ୍ତି
ବଲାଙ୍ଗୀର ପଟୁ ମାତ୍ର ୧୫.୭ କିମି ରାସ୍ତା ସଂପୂର୍ଣ୍ଣ
ବଲାଙ୍ଗୀର : ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ବହୁ ଦିନର ପ୍ରତୀକ୍ଷା। ବହୁ ଦିନର ପରିକଳ୍ପନା। ବହୁ ଦିନର ଦାବି। ଧୀରେଧୀରେ ବାସ୍ତବତାର ରୂପ ନେଉଛି ବଲାଙ୍ଗୀର-ଖୋର୍ଦ୍ଧା ରେଳପଥ। ଖୋର୍ଦ୍ଧା ପଟୁ ନୟାଗଡ଼ ପର୍ଯ୍ୟନ୍ତ ଆଗରୁ ରେଳ ଚଳାଚଳ କରୁଥିଲା। ଏବେ ବଲାଙ୍ଗୀର ପଟୁ ବିଛୁପାଲି ଯାଏଁ ୧୫.୭ କିମି ଟ୍ରେନ ଚଳାଚଳ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ମଙ୍ଗଳବାର ଏହାର ଶୁଭାରମ୍ଭ କରୁଥିବାରୁ ବାକିତକ କାମ କ୍ଷୀପ୍ର ଗତିରେ ଚାଲିବ ବୋଲି ନୂତନ ଆଶା ଓ ଉଦ୍ଦୀପନା ଲୋକଙ୍କ ମନରେ ସଂଚାର ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ବଲାଙ୍ଗୀର ତଥା ଅବହେଳିତ ପଶ୍ଚିମାଞ୍ଚଳର ଉନ୍ନତି ପାଇଁ ଖୋର୍ଦ୍ଧା-ବଲାଙ୍ଗୀର ରେଳପ୍ରକଳ୍ପ କାମର ପରିକଳ୍ପନା ହୋଇଥିଲା। ୧୯୯୩ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ କେନ୍ଦ୍ର ନିକଟକୁ ଚିଠି କରିଥିଲେ। ପ୍ରକଳ୍ପକୁ ୧୯୯୪-୯୫ ମସିହାରେ ମଂଜୁରୀ ମିଳିଥିଲା ଓ ବ୍ୟୟ ଅଟକଳ ୪୦୦ କୋଟି ରଖାଯାଇଥିଲା। ୫ ବର୍ଷ ଭିତରେ ପ୍ରକଳ୍ପ କାମ ସଂପୂର୍ଣ୍ଣ କରିବାକୁ ନିର୍ଦ୍ଧାରଣ କରାଯାଇଥିଲା। କିନ୍ତୁ ପରବର୍ତ୍ତି ସମୟରେ ପଶ୍ଚିମାଞ୍ଚଳର ବିକାଶ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରାଯାଉଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳପଥକୁ କ୍ରମାଗତ ଭାବେ ଅବହେଳା ଓ ଅଣଦେଖା କରାଯାଇଥିଲା। ଏବେ ପ୍ରକଳ୍ପ ଖର୍ଚ୍ଚ ୩୭୯୧. ୬୬ କୋଟିକୁ ପହଞ୍ଚିଲାଣି। ଚଳିତ ଆର୍ଥିକ ବର୍ଷ ପରେ ଏହି ଅଟକଳର ପରିମାଣ ୪୦୦୦କୋଟିକୁ ଟପିବ। ୧୯୯୪-୯୫ ମସିହାରେ ପ୍ରଥମ କରି ପ୍ରକଳ୍ପକୁ ୧କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ସେହି ବର୍ଷଠାରୁ ପର୍ଯ୍ୟାୟକ୍ରମେ ବ୍ୟୟବରାଦ ହୋଇଆସୁଛି। ୨୦୧୮ ମାର୍ଚ୍ଚ ଯାଏଁ ପ୍ରକଳ୍ପରେ ସମୁଦାୟ ୧୦୧୨.୬୨ କୋଟି ଟଙ୍କା ଖର୍ଚ୍ଚ କରାଯାଇ ସାରିଲାଣି। କିନ୍ତୁ ଦୀର୍ଘ ୨୫ ବର୍ଷରୁ ଅଧିକ ସମୟ ବିତି ସାରିଥିଲେ ହେଁ ବଲାଙ୍ଗୀରରୁ ଖୋର୍ଦ୍ଧା ଯାଏଁ ଏ ପର୍ଯ୍ୟନ୍ତ ଟ୍ରେନ ଗଡ଼ି ନାହିଁ। ଗତ ୨୦୧୫ ମସିହାରେ ଏହି ପ୍ରକଳ୍ପର କାର୍ଯ୍ୟକୁ କ୍ଷୀପ୍ର ଗତିରେ ଆଗେଇ ନେବା ପାଇଁ ରାଜ୍ୟ ସରକାର ଓ ରେଳ ବିଭାଗ ମଧ୍ୟରେ ୫୦-୫୦ ଖର୍ଚ୍ଚ ନେଇ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ୨୦୨୧ ଯାଏଁ ଖୋର୍ଦ୍ଧା-ବଲାଙ୍ଗୀର କାମ ସଂପୂର୍ଣ୍ଣ ଶେଷ ହେବ ବୋଲି ଲକ୍ଷ୍ୟ ରଖାଯାଇଛି।
ବର୍ତ୍ତମାନ ଏହି ରେଳଲାଇନ ନିର୍ମାଣରେ ଜମି ଅଧିଗ୍ରହଣ ମୂଖ୍ୟ ସମସ୍ୟା ଭାବରେ ଛିଡ଼ା ହୋଇଛି। ମୋଟ ୨୮୯ କିମି ରେଳ ଲାଇନ ନିର୍ମାଣ ପାଇଁ ୪୯୫୧ ଏକର ଜମିର ଆବଶ୍ୟକତା ରହିଛି। ସୋନପୁରରୁ ଦଶପଲ୍ଲା ଯାଏଁ ଜମି ଅଧିଗ୍ରହଣ ହୋଇପାରି ନାହିଁ। ରିଜର୍ଭ ଫରେଷ୍ଟ ଅଂଚଳ ଥିବା ବେଳେ ଜମି ଅଧିଗ୍ରହଣ ସେଠାରେ ମୁଖ୍ୟ ସମସ୍ୟା ଭାବରେ ଛିଡ଼ା ହୋଇଛି। ସୁବର୍ଣ୍ଣପୁର ଜିଲ୍ଲାର ୩୦ ଗାଁ ମଧ୍ୟରୁ ୧୪ ଗାଁରେ ଏହାରି ଭିତରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ମୋଟାମୋଟି ପ୍ରକଳ୍ପଟି ପରିକଳ୍ପନା ହେବା ଦିନଠାରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କ୍ରମାଗତ ଅବହେଳା ହିଁ ଏହି କାର୍ଯ୍ୟକୁ ବିଳମ୍ବିତ କରିଥିବା ଅଭିଯୋଗ ହୁଏ। ସେ ଯାହା ହେଉନା କାହିଁକି, ପ୍ରଥମେ ପ୍ରକଳ୍ପର କାମ ଖୋର୍ଦ୍ଧା ପଟୁ ଆରମ୍ଭ ହୋଇଥିଲା। ବେଗୁନିଆଁ ଯାଏଁ ପ୍ରଥମେ ଟ୍ରେନ ଗଡ଼ିଥିଲା ଓ ପରେ ନୟାଗଡ଼ ଯାଏଁ ବର୍ତ୍ତମାନ ଖୋର୍ଦ୍ଧା ପଟୁ ଟ୍ରେନ ଚାଲୁଛି। ପ୍ରଥମ କରି ବଲାଙ୍ଗୀର ପଟୁ ଏହି ଲାଇନରେ ଟ୍ରେନ ଚଳାଚଳ କରିବ। ବିଛୁପାଲି ଯାଏଁ ୧୫ କିମି ରେଳ ଲାଇନରେ ଟ୍ରେନ ଗଡ଼ିବ। ଯାହାକୁ ନେଇ ବଲାଙ୍ଗୀରରେ ଉତ୍ସାହ ଦେଖାଦେଇଛି। ବଲାଙ୍ଗୀରପଟୁ କାମ ଆରମ୍ଭ ହେଉ ବୋଲି ଏଠାକାର ଜନସାଧାରଣ ଦାବି କରୁଥିଲେ। ସେହି ଦାବି ଅନୁସାରେ ଚାପଗ୍ରସ୍ତ ହୋଇ ସରକାର କାମ ବଲାଙ୍ଗୀର ପଟୁ ଆରମ୍ଭ କରିଥିଲେ। କାମ ଆରମ୍ଭ ପରେ ଏଠାକାର ଜନସାଧାରଣ ତଥାପି ବିଶ୍ୱାସକୁ ନେଇ ନଥିଲେ। ଏବେ ବିଛୁପାଲି ଯାଏଁ ଟ୍ରେନ ଲାଇନ ନିର୍ମାଣ ପରେ ଟ୍ରାଏଲ ହୋଇଥିଲା। ଏ ଅଂଚଳର ଭାଗ୍ୟ ପୁଣି ବଦଳିବାର ନୂଆଁ ଆଶା ଲୋକଙ୍କ ମନରେ ସଂଚାର ହୋଇଥିଲା। ହୁଏତ ୧୫ କିମି ଯାଏଁ ଟ୍ରେନରେ ସେତେଟା ଲୋକ ଯାତାୟତ ନ କରିପାରନ୍ତି। କିନ୍ତୁ ଆଗକୁ ସୋନପୁର ଷ୍ଟେସନ ଯାଏଁ କାମ ହେଲେ ଏହି ଅଂଚଳବାସୀ ଲାଭ ଉଠାଇପାରିବେ। ଏପରିକି ଉଭୟ ଖୋର୍ଦ୍ଧା ଓ ବଲାଙ୍ଗୀର ପଟୁ କାମ ଚାଲିଲେ ଶୀଘ୍ର ପ୍ରକଳ୍ପ ସଂପୂର୍ଣ୍ଣ ହୋଇପାରିବ ବୋଲି ଲୋକେ ଆଶା ବାନ୍ଧିଛନ୍ତି।