ଚାକିରି ନାହିଁ, ଅବାଟରେ ଯୁବବର୍ଗ; ବର୍ଷକୁ ୨ଲକ୍ଷ ଚାକିରି କୁଆଡ଼େ ଗଲା?: ତାରା

ବେକାରୀ ରୂପକ ଭସ୍ମାସୁର ସରକାରଙ୍କୁ ଭସ୍ମ କରିବ: ମୋହନ, ଓଡ଼ିଶାରେ ବେକାରୀ ସବୁଠୁ କମ୍‌: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାର ବିଭିନ୍ନ ବିଭାଗରେ ଖାଲି ଥିବା ପଦବି ପୂରଣ କରୁନାହାନ୍ତି। ଚାକିରି ନପାଇ ଲକ୍ଷ ଲକ୍ଷ ପିଲା ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ଦାଦନ ଖଟିବାକୁ ଯାଉନଥିବା ଯୁବବର୍ଗ ନିଶା କାରବାର ସହ ବିଭିନ୍ନ ଅପରାଧିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା! ହତାଶ ବେକାର, ବେଫିକର ସରକାର’ ଶୀର୍ଷକ ମୁଲତବୀ ନୋଟିସ ଉପରେ ଆଲୋଚନା କରି ବିରୋଧୀ ଦଳ ଏହିଭଳି ଢଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ମୁଲତବୀ ପ୍ରସ୍ତାବର ଉତ୍ତର ରଖି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ କହିଥିଲେ, ରାଜ୍ୟର ସ୍ଥିତି, ଚିତ୍ର ବଦଳିଛି । ୧୯୯୫-୧୯୯୯ରେ ରାଜ୍ୟରେ କଂଗ୍ରେସ ସରକାରବେଳେ ବେକାରୀ ସମସ୍ୟା ଉଗ୍ର ରୂପ ନେଇଥିଲା। କର୍ମଚାରୀଙ୍କୁ ଦରମା େଦବାକୁ ଟଙ୍କା ନଥିଲା। ଏବେ ସେ ସ୍ଥିତି ନାହିଁ। ଦରମା େଦବାକୁ ଋଣ କରିବାକୁ ପଡ଼ୁନି। ୨୦୦୦ ମସିହାରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ରାଜ୍ୟରେ ଆଶାର ଅାଲୋକ େଦଖାଦେଇଛି। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟ ଅର୍ଥନୀତି କ୍ଷେତ୍ରରେ ଆଖିଦୃଶିଆ ଅଗ୍ରଗତି ହାସଲ କରିଛି। ରାଜ୍ୟକୁ ୧ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ସବୁ କ୍ଷେତ୍ରରେ ଅଗ୍ରଗତି ହୋଇଛି। ରାଜ୍ୟରେ ଲକ୍ଷଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଓଡ଼ିଶାରେ ବେକାରୀ ସମସ୍ୟା ସବୁଠୁ କମ୍।

ମୁଲତବୀ ନୋଟିସ ଉପରେ ଅାଲୋଚନା ଅାରମ୍ଭ କରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ସରକାରଙ୍କୁ ତାତ୍ସଲ୍ୟ କରି କହିଥିଲେ, ଦକ୍ଷତା ବିକାଶ ମନ୍ତ୍ରୀ ତାଙ୍କ ଉତ୍ତର ସମୟରେ ୧୭୪ ଥର ମୁଖ୍ୟମନ୍ତ୍ରୀଙ୍କ ନାମ ନେଇଛନ୍ତି। ମୋଟ ସରକାରୀ ପଦବିର ୨୨.୫ପ୍ରତିଶତ ପଦବି ଖାଲି ପଡ଼ିଛି। ବିଜେଡି ୨୦୧୪ରେ ତା’ର ନିର୍ବାଚନ ଇସ୍ତାହାରରେ କହିଥିଲା ପ୍ରତି ପଞ୍ଚାୟତରେ ୧୫୦ ଜଣଙ୍କୁ ଚାକିରି ଦେବ। ବର୍ଷକୁ ଦୁଇ ଲକ୍ଷ ନିଯୁକ୍ତି ଦେବ ବୋଲି କହିଥିବାବେଳେ କୁଆଡ଼େ ଗଲା ଚାକିରି? ଯୁବକଙ୍କ ଭବିଷ୍ୟତ ନଷ୍ଟ କରିବାକୁ କେବଳ ଗାଁ ଗାଁରେ ମଦ ଦୋକାନ ଖୋଲାଯାଇଛି । ବିଜୁ ଯୁବ ବାହିନୀ ନାଁରେ ଶହେ କୋଟି କ’ଣ କଲେ? ମା’କୁ ସମ୍ମାନ କଥା କହୁଛନ୍ତି, ହେଲେ ଶିକ୍ଷିତ ଯୁବତୀଙ୍କୁ ବି ଚାକିରି ମିଳୁନାହିଁ। ଗରିବ ଓ ଖଟିଖିଆଙ୍କ ପିଲା ଚାକିରି ନପାଇ ଗାଁରେ ବୁଲୁଛି। କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଥିଲେ, ବେକାରି ସମସ୍ୟା ପାଇଁ ନିଶା କାରବାର ଓ ଅପରାଧ ବଢୁଛି। ଚାକିରି ନଥିବାରୁ ଏବେ ଇଞ୍ଜିନିୟରିଂ କଲେଜରେ ପିଲା ପଢ଼ୁନାହାନ୍ତି। ଇଞ୍ଜିନିୟରିଂ କଲେଜ ବନ୍ଦ ହୋଇଗଲାଣି। ଓଡ଼ିଶାରେ କଳକାରଖାନାରେ ପିଲାଙ୍କୁ ନିଯୁକ୍ତି ମିଳୁନି। ସ୍କୁଲରେ ଶିକ୍ଷକ ନାହାନ୍ତି। ନିଯୁକ୍ତି ନଥିବାରୁ ପିଲା ପଥଭ୍ରଷ୍ଟ। ରାଜ୍ୟରେ ଚୋରି, ଛିନ୍‌ତାଇ, ଡକାୟତି ବଢ଼ୁଛି।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ, ଓଡ଼ିଶା ଗରିବ ରାଜ୍ୟ ଥିଲା। ଏବେ ବି ଗରିବ ଓ ସ୍ଥିତି ଯାହା, ଆଗାମୀ ଦିନରେ ବି ଗରିବ ହୋଇ ରହିବ। ଦାଦନ ଯାଉଥିବା ଶ୍ରମିକଙ୍କୁ କାମ ଦେବାରେ ସରକାର ବିଫଳ ହୋଇଛନ୍ତି । ରାଜ୍ୟ ସରକାର ୪୫,୫୧୩ ମୂଳ ପଦବି ଉଚ୍ଛେଦ କରିଛନ୍ତି। ୨ ଲକ୍ଷ ୨୬ ହଜାର ୫୫୯ ପଦବି ଖାଲି ପଡ଼ିଛି। ନିଯୁକ୍ତି ଠପ୍ କରିଦିଆଯାଇଛି। ଷ୍ଟାଫ ସିଲେକ୍ସନ ପରୀକ୍ଷାରେ ଦୁର୍ନୀତି ହେଉଛି। ଝାରପଡ଼ା ଜେଲରେ ଥିବା ବିରଞ୍ଚି ଘଟଣା ଏହାର ପ୍ରମାଣ। ଏ ଦୁର୍ନୀତି ଗଛର ଚେର କେତେ ଲମ୍ବା, ତାହାର ଉତ୍ତର ସରକାର ଦିଅନ୍ତୁ । ବେକାରି ରୂପକ ଭସ୍ମାସୁର ସରକାରଙ୍କୁ ଭସ୍ମ କରିବ। ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ କହିଲେ, ସରକାର ଅପାରଗ ଓ ସ୍ଥାଣୁ । ସେଥିପାଇଁ ୨୨ ବର୍ଷ ଭିତରେ ବି ନିଯୁକ୍ତି ମିଳିପାରୁନାହିଁ । ରାତି ପାହିଲେ ଓଡ଼ିଆ ଯୁବକ ଏୟାର ବ୍ୟାଗ ପକାଇ ଦାଦନ ଯିବା ପାଇଁ ଟ୍ରେନକୁ ଅପେକ୍ଷା କରୁଛି। ଦାଦନ ନ ଯାଉଥିବା ଯୁବକ ଯୁବତୀ ନିର୍ଯାତିତ ହେଉଛନ୍ତି। ବିଧାୟକ ମୁକେଶ ମହାଲିଙ୍ଗ କହିଲେ, ଠିକା ନିଯୁକ୍ତି ନାଁରେ ପ୍ରହସନ ଚାଲିଛି। ଶାସକ ଦଳ ପକ୍ଷରୁ ଧ୍ୟାନ ଆକର୍ଷଣକାରୀ ନୋଟିସ୍‌ ଆଲୋଚନାରେ ଶଶୀଭୂଷଣ ବେହେରା, ସ୍ନେହାଙ୍ଗିନୀ ଛୁରିଆ, ମୁକେଶ ପାଲ,ପ୍ରୀତମ ପାଢ଼ି ଅଂଶଗ୍ରହଣ କରି ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଥିଲେ। ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଥିଲେ।

ମୁଲତବୀ ଅାଲୋଚନାର ଉତ୍ତର ରଖି ମନ୍ତ୍ରୀ ଶ୍ରୀ ଘଡ଼େଇ କହିଲେ, ଯୁବବର୍ଗଙ୍କୁ ନିଯୁକ୍ତି ଓ ଆତ୍ମନିଯୁକ୍ତି ଦେବା ପାଇଁ ରାଜ୍ୟ ସରକାର ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି। ଦକ୍ଷତା ବିକାଶ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ପାଇଁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ ୨୦୧୪-୧୫ରେ ପ୍ରଣୟନ କରାଯାଇଛି। ୧୦ଟି ବିଭାଗ ଏଥିରେ ସାମିଲ ହୋଇଛି। ନିଯୁକ୍ତିଭିତ୍ତିକ ତାଲିମ କାର୍ଯ୍ୟକ୍ରମ ପିପିିପି ମୋଡରେ କରାଯାଉଛି। ଏହି କାର୍ଯ୍ୟକ୍ରମରେ ୨୦୧୧-୧୨ରୁ ୨୦୨୧-୨୦୨୨ ପର୍ଯ୍ୟନ୍ତ ୧ ଲକ୍ଷ ୫୬୪ ଯୁବକ, ଯୁବତୀଙ୍କୁ ତାଲିମ ଦେଇଛୁ। ସେଥିରୁ ୨୭,୬୧୧ଜଣଙ୍କୁ ନିଯୁକ୍ତି ପତ୍ର ଦିଆଯାଇଛି। ରାଜ୍ୟରେ ଏବେ ୮୨ଟି ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ବଜାରର ଚାହିଦା ଆଧାରରେ ସେହି କେନ୍ଦ୍ରରେ ଯୁବବର୍ଗଙ୍କୁ ପ୍ରଶିକ୍ଷିତ କରାଯାଉଛି। କେନ୍ଦ୍ର ସରକାରଙ୍କ ସହାୟତାରେ ରାଜ୍ୟର ୭ଟି ସ୍ଥାନରେ ମଡେଲ କ୍ୟାରିୟର ସେଣ୍ଟର କରାଯାଇଛି। ପ୍ରତିି ଜିଲ୍ଲାରେ ନିଯୁକ୍ତି ମେଳାର ଅାୟୋଜନ କରାଯାଉଛି। ଏହି ନିଯୁକ୍ତି ମେଳା ମାଧ୍ୟମରେ ୧ ଲକ୍ଷ ୪୮ ହଜାର ୬୪୫ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଛି । ଭୁବନେଶ୍ୱରରେ ବିଶ୍ୱ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା କରାଯିବା ସହ ବିଶ୍ୱସ୍ତରୀୟ ଦକ୍ଷତା ପ୍ରଦାନ କରାଯାଉଛି।

ସମ୍ବନ୍ଧିତ ଖବର