ଭିଭୋ ବିରୋଧରେ ମନି ଲଣ୍ଡରିଂ ଅଭିଯୋଗ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ଚୀନର ସ୍ମାର୍ଟଫୋନ ନିର୍ମାତା ଭିଭୋ ଓ ଏହାର ସହଯୋଗୀ କମ୍ପାନି ଗୁଡ଼ିକର କାର୍ଯ୍ୟାଳୟରେ ଚଢ଼ଉ କରିଛି। ମନି ଲଣ୍ଡରିଂ ଅଭିଯୋଗରେ ଦିଲ୍ଲୀ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ମେଘାଳୟ ସମେତ ଦେଶର ୪୪ଟି ସ୍ଥାନରେ ଚଢ଼ଉ ହୋଇଛି। ଜମ୍ମୁ କାଶ୍ମୀରରେ ଉକ୍ତ କମ୍ପାନିର ଜଣେ ବିତରକଙ୍କ ଠାରୁ ଏହି ଘଟଣା ପଦାକୁ ଆସିଥିଲା। ପ୍ରଥମେ ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ଶାଖା ସଂପୃକ୍ତ ବିତରକଙ୍କ ଠାରୁ ଜାଣିବାକୁ ପାଇଥିଲା ଯେ ଅତିକମ୍‌ରେ କମ୍ପାନିର ଦୁଇଜଣ ଅଂଶଧନଧାରୀ ନକଲି ପରିଚୟପତ୍ର ଏବଂ ଭାରତୀୟ ଠିକଣା ପ୍ରଦାନ କରିଛନ୍ତି। ମନି ଲଣ୍ଡରିଂ ପାଇଁ ପରିଚୟପତ୍ରରେ ଏହି ଜାଲିଆତି କରାଯାଇଛି ବୋଲି ଇଡି ସନ୍ଦେହ କରୁଛି। ଏପରିକି ଏହା ମାଧ୍ୟମରେ ସଂଗୃହୀତ ରାଶିକୁ ବିଦେଶକୁ ପଠାଯାଇଛି। ଭାରତୀୟ ଟିକସ ବ୍ୟବସ୍ଥାକୁ ଏଡ଼ାଯାଇ ଏଭଳି କାର୍ଯ୍ୟ କରାଯାଇଥିବା ସହେନ୍ଦ କରାଯାଉଛି।ସୂଚନା ଅନୁଯାୟୀ ଏହି କମ୍ପାନି ପୂର୍ବରୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ସ୍କାନରରେ ଥିଲା। କିନ୍ତୁ ଏଥିରେ ପିଏମଏଲଏ ଆଇନ ଉଲ୍ଲଂଘନ ହୋଇଥିବା ଜଣାପଡ଼ିବା ପରେ ଉକ୍ତ ମାମଲା ଇଡିକୁ ହସ୍ତାନ୍ତର କରାଯାଇଥିଲା। ଭିଭୋର ପ୍ରବକ୍ତା କହିଛନ୍ତି, କମ୍ପାନି ତଦନ୍ତକାରୀ ଅଧିକାରୀଙ୍କୁ ସମସ୍ତ ପ୍ରକାର ସୂଚନା ‌ପ୍ରଦାନ କରୁଛି।

ସମ୍ବନ୍ଧିତ ଖବର