ବାହାନଗା ଦୁର୍ଘଟଣାକୁ ବିତିଲା ୨୫ ଦିନ; ଷ୍ଟେସନ୍‌ରେ ସ୍ବାଭାବିକ ହେଲା ଟ୍ରେନ୍‌ ରହଣି

ସୋର/ବାହାନଗା: ବାଲେଶ୍ବର ଜିଲ୍ଲା ‌ବାହାନଗା ଟ୍ରେନ୍‌ ଦୁର୍ଘଟଣାକୁ ୨୫ ଦିନ ବିତିଯାଇଛି। ସିବିଆଇ ଦୁର୍ଘଟଣାର କାରଣ ଜାଣିବା ଏବଂ ଦୋଷୀଙ୍କୁ ଧରିବା ପାଇଁ ତଦନ୍ତ ଚଳାଇଛି। ଏଯାଏ ଷ୍ଟେସନ୍‌ ମ୍ୟାନେଜରଙ୍କ ସହ ୧୨ ଜଣରୁ ଅଧିକ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବା ସହ ବୟାନ୍‌ ରେକର୍ଡ ସରିଛି। ସେହିପରି ବାହାନଗା ଷ୍ଟେସନ୍‌ର ସିଗ୍‌ନାଲ୍‌ କନିଷ୍ଠ ଯନ୍ତ୍ରୀ (ଜେଇ) ଅମୀର ଖାନଙ୍କ ଭଡ଼ାଘର ମଧ୍ୟ ଯାଞ୍ଚ କରାଯାଇଛି। ଅନ୍ୟପଟେ ଦୁର୍ଘଟଣାସ୍ଥଳରେ ମରାମତି କାମ ଜାରି ରହିଥିଲା। ଏପରି ସମୟରେ ତଦନ୍ତ ଓ ମରାମତି କାମରେ ବାଧା ନଉପୁଜିବା ପାଇଁ ବାହାନଗା ଷ୍ଟେସନ୍‌ରେ କୌଣସି ଟ୍ରେନ୍‌ ରହୁ ନଥିଲା। ତେବେ ଏଇଭିତରେ କ୍ଷେତ୍ରୀୟ ତଦନ୍ତ ଏବଂ ମରାମତି କାମ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଫଳରେ ଆଜିଠାରୁ ବାହାନଗା ଷ୍ଟେସନ୍‌ରେ ଯାତ୍ରୀବାହୀ ଟ୍ରେନ୍‌ ରହଣି ସ୍ବାଭାବିକ ହୋଇଛି। ଏଠାରେ ଆଜି ଦୁଇଟି ଟ୍ରେନ୍‌ ରହିଥିବା ବେଳେ ଆସନ୍ତାକାଲିଠାରୁ ବାଘାଯତୀନ ଏକ୍ସପ୍ରେସ୍‌, ଖଡ଼ଗପୁର ଏକ୍ସପ୍ରେସ୍‌, ଭଦ୍ରକ-ବାଲେଶ୍ୱର ମେମୁ, ଭଦ୍ରକ-ଖଡ଼ଗପୁର ମେମୁ, ଜଳେଶ୍ୱର ମେମୁ ସ୍ପେସାଲ୍‌, ଖଡ଼ଗପୁର ଏକ୍ସପ୍ରେସ୍‌ ଓ ଭୁବନେଶ୍ୱର-ବାଲେଶ୍ୱର ମେମୁ ନିର୍ଦ୍ଧାରିତ ସମୟରେ ରହିବ ବୋଲି ଜଣାପଡ଼ିଛି। ଫଳରେ ଉକ୍ତ ଟ୍ରେନ୍‌ଗୁଡ଼ିକ ଉପରେ ନିର୍ଭର କରୁଥିବା ଯାତ୍ରୀମାନେ ଏକପ୍ରକାର ଆଶ୍ବସ୍ତ ହୋଇଛନ୍ତି।
ସୂଚନାଥାଉକି, ଚଳିତ ମାସ ୨ ତାରିଖ ସନ୍ଧ୍ୟା ପ୍ରାୟ ୭ଟା ବେଳେ ଅପ୍‌ ଲାଇନ୍‌ରେ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍‌ ବାହାନଗା ବଜାର ଷ୍ଟେସନ୍‌ଠାରେ ଲୁପ୍‌ ଲାଇନ୍‌ରେ ଛିଡ଼ା ହୋଇଥିବା ଏକ ମାଲ୍‌ଗାଡ଼ିକୁ ଧକ୍କା ଦେଇଥିଲା। ଏହି ସମୟରେ ଭଦ୍ରକ ପଟୁ ଡାଉନ୍‌ ଲାଇନ୍‌ରେ ଆସୁଥିବା ଯଶବନ୍ତପୁର-ହାୱାଡ଼ା ଏକ୍ସପ୍ରେସର ଶେଷ ଦୁଇଟି ବଗି କରମଣ୍ଡଳ ବଗି ସହିତ ଧକ୍କା ହୋଇଥିଲା। ଏଥିରେ ୨୯୨ ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୧୨ ଶହରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ।
ସମ୍ବନ୍ଧିତ ଖବର