ତହସିଲଦାରଙ୍କ ଉପରେ ଆକ୍ରମଣକୁ ନିନ୍ଦା କଲା ଓଏଏସ୍‌ ସଂଘ

ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ
ପୁଲିସ ସୁରକ୍ଷା ଯୋଗାଇବାକୁ ଦାବି କଲେ ସଂଘ ସାଧାରଣ ସମ୍ପାଦକ

ଭୁବନେଶ୍ବର : ସାଂପ୍ରତିକ ସ୍ଥିତିରେ କୋଭିଡ ନିର୍ଦ୍ଦେଶାବଳୀ ପାଳନ କରିବାକୁ ଯାଇ ଓଏଏସ୍‌ ଅଧିକାରୀମାନଙ୍କ ଉପରେ ଆକ୍ରମଣ ହେଉଛି। ନିକଟରେ ବାଲେଶ୍ବର ଓ ଗଜପତିର ଆର୍‌.ଉଦୟଗିରି ତହସିଲଦାରମାନେ ଲୋକଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ଗତକାଲି ଆର୍‌.ଉଦୟଗିରି ତହସିଲଦାରଙ୍କୁ ଏପରି ମାଡ଼ ମରାଯାଇଛି ଯେ, ସେ ଏବେ ଚିକିତ୍ସାଧୀନ ଅଛନ୍ତି। ଏହାକୁ ରାଜ୍ୟ ପ୍ରଶାସନିକ (ଓଏଏସ୍‌) ସଂଘ ସମ୍ପୂର୍ଣ୍ଣ ନିନ୍ଦା କରୁଛି। ଏ ନେଇ ସଂଘ ସାଧାରଣ ସମ୍ପାଦକ ତଥା ଓଏଏସ୍‌ ଅଧିକାରୀ ଜ୍ୟୋଚି ରଞ୍ଜନ ମିଶ୍ର କହିଛନ୍ତି ଆସନ୍ତା ଦିନରେ କୋଭିଡ କାର୍ଯ୍ୟରେ ଗଲାବେଳେ ଓଏଏସ୍‌ ଅଧିକାରୀମାନଙ୍କୁ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ କିମ୍ବା ସରକାର ପର୍ଯ୍ୟାପ୍ତ ପୁଲିସ ସୁରକ୍ଷା ଯୋଗାଇ ଦିଅନ୍ତୁ।
ଶ୍ରୀ ମିଶ୍ର କହିଛନ୍ତି, ବ୍ଲକ ଓ ପଞ୍ଚାୟତ ସ୍ତରରେ ଓଏଏସ୍‌ ଅଧିକାରୀମାନେ ସମ୍ମୁଖ କରୋନା ଯୋଦ୍ଧା ଭାବରେ ନିଜର ଦାୟିତ୍ବ ତୁଲାଉଛନ୍ତି। ସରକାରଙ୍କ ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ କରିବାକୁ ଗଲାବେଳେ କିଛି ଅମାନିଆଙ୍କ ଯୋଗୁ ସେମାନେ ଗାଳିଗୁଲଜ ଓ ଶାରିରୀକ ସ୍ତରରେ ଆକ୍ରମଣର ଶିକାର ହେଉଛନ୍ତି। ବାଲେଶ୍ବରରେ ମହିଳା ତହସିଲଦାରଙ୍କୁ ଗାଳି କରାଯିବା ଓ ଗତକାଲି ଗଜପତି ଜିଲ୍ଲା ଆର୍‌. ଉଦୟଗିରି ତହସିଲଦାରଙ୍କ ଉପରେ ଯେପରି ଆକ୍ରମଣ କରାଯାଇଛି ତାହା ଅତ୍ୟନ୍ତ ଦୁଃଖଦାୟକ।

ସରକାରଙ୍କୁ ନିବେଦନ କରି ଶ୍ରୀ ମିଶ୍ର କହିଛନ୍ତି, ଆଗକୁ କୋଭିଡ ଡ୍ୟୁଟିରେ ଯିବାକୁ ଥିବା ଓଏଏସ୍‌ ଅଧିକାରୀଙ୍କୁ ସମ୍ପୂର୍ଣ୍ଣ ଭାବେ ପୁଲିସ ସୁରକ୍ଷା ଯୋଗାଇ ଦିଆଯାଉ। ଏହାସହିତ କାର୍ଯ୍ୟରତ ଅଧିକାରୀମାନଙ୍କ ପାଇଁ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଯୋଗାଇ ଦିଆଯାଉ। କରୋନା ସଂଗ୍ରାମରେ ଆଗ ଧାଡ଼ିରେ କାମ କରୁଥିବା ଓଏଏସ୍‌ ଅଧିକାରୀମାନଙ୍କ ଉପରେ ଯଦି ଏପରି ଆକ୍ରମଣ ହୁଏ, ତାହେଲେ ସେମାନଙ୍କ ମନବଳ ଭାଙ୍ଗିଯିବ। ଏଥିପ୍ରତି ସରକାର ତୁରନ୍ତ ଦୃଷ୍ଟି ଦେବାକୁ ସେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର