ଯୁଦ୍ଧ ଭିତରୁ ଓଡ଼ିଶା ଫେରିଲେ ଅର୍ପିତା; ଇସ୍ରାଏଲରେ ପିଏଚ୍‌ଡି କରୁଥିଲେ ଓଡ଼ିଆ ଝିଅ

ରାଉରକେଲା: ଇସ୍ରାଏଲ-ହମାସ ଯୁଦ୍ଧ ଭିତରେ କାଳାତିପାତ କରୁଥିବା ଓଡ଼ିଶା ଛାତ୍ରଛାତ୍ରୀ ଆଜି ଜନ୍ମମାଟିରେ ପହଞ୍ଚିଛନ୍ତି। ସେମାନେ ନୂଆଦିଲ୍ଲୀରୁ ବିମାନରେ ବାହାରି ଭୁବନେଶ୍ବରରେ ପହଞ୍ଚିଛନ୍ତି। ଏହି ଓଡ଼ିଶା ଫେରନ୍ତାଙ୍କ ମଧ୍ୟରେ ଅଛନ୍ତି ଇସ୍ରାଏଲ ଏରିଏଲ ବିଶ୍ବବିଦ୍ୟାଳୟରେ ରସାୟନ ବିଜ୍ଞାନରେ ଗବେଷଣା କରୁଥିବା ଅର୍ପିତା ପଣ୍ଡା। ଓଡ଼ିଶାକୁ ଫେରିବାପରେ ନିଜର ଅନୁଭୂତି ବଖାଣିଛନ୍ତି ଅର୍ପିତା। ‘ସମ୍ବାଦ’କୁ ପ୍ରତିକ୍ରିୟାରେ କହିଛନ୍ତି, ଜନ୍ମମାଟିକୁ ଫେରିବା ବେଶ୍‌ ଆନନ୍ଦଦାୟକ। ପରିବାରକୁ ଭେଟିବା ଖୁସିକୁ ଦ୍ବିଗୁଣିତ କରିଛି। ମୁଁ ରହୁଥିବା ଅଞ୍ଚଳ ସଂପୂର୍ଣ୍ଣ ନିରାପଦ ଥିଲା, ଏବେ କିନ୍ତୁ ସିରିଆ ପଟୁ ଆକ୍ରମଣ ଆରମ୍ଭ ହୋଇଯାଇଛି। ସରକାରଙ୍କ ନିର୍ଦ୍ଦେଶାନୁସାରେ ନିୟମ ପାଳନ କରି ରହୁଥିଲୁ ବୋଲି କହିଛନ୍ତି।
ଉଲ୍ଲେଖଯୋଗ୍ୟ, ରାଉରକେଲାସ୍ଥ ଉତ୍କଳମଣି ହୋମିଓପ୍ୟାଥି ମେଡିକାଲ କଲେଜ ଓ ହସପିଟାଲର ପୂର୍ବତନ ଅଧ୍ୟକ୍ଷ ଡ. ରତ୍ନାକର ପଣ୍ଡାଙ୍କ ଝିଅ ଅର୍ପିତା ପଣ୍ଡା ଇସ୍ରାଏଲର ୱେଷ୍ଟ୍‌ବ୍ୟାଙ୍କରେ ଅବସ୍ଥିତ ଏରିଏଲ ବିଶ୍ବବିଦ୍ୟାଳୟରେ ରସାୟନ ବିଜ୍ଞାନରେ ଗବେଷଣା କରୁଛନ୍ତି। ଯୁଦ୍ଧ ଆରମ୍ଭ ହେବାର ମାତ୍ର ସପ୍ତାହ ପୂର୍ବେ ଆଉ ଜଣେ ଓଡ଼ିଆ ଛାତ୍ର ଉକ୍ତ ବିଶ୍ବବିଦ୍ୟାଳୟରେ ପିଏଚ୍‌ଡି କରିବାକୁ ଯାଇଥିଲେ। ପାଖାପାଖି ୨୫/୩୦ ଜଣ ଓଡ଼ିଶା ଛାତ୍ରଛାତ୍ରୀ ଇସ୍ରାଏଲରେ ଥିବା ଭିନ୍ନ ଭିନ୍ନ ବିଶ୍ବବିଦ୍ୟାଳୟରେ ଅଧ୍ୟୟନରତ। ତେବେ ଓଡ଼ିଆ ଫେରିବାକୁ ମଧ୍ୟ ଛାତ୍ରଛାତ୍ରୀଙ୍କୁ ବେଶ୍‌ କସରତ କରିବାକୁ ପଡ଼ିଥିଲା। ଗତ ୧୨ ତାରିଖରୁ ଭାରତ ସରକାରଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟ ‘ଅପରେସନ ଅଜୟ’ ଆରମ୍ଭ ହୋଇଥିଲା। ପ୍ରଥମ ଦିନରେ ମୋଟ୍‌ ୨୩୦ ଜଣ ଭାରତୀୟ ସ୍ବଦେଶ ଫେରିଥିବାବେଳେ ଏମାନଙ୍କ ଭିତରେ ଥିଲେ ୯ ଜଣ ଓଡ଼ିଆ। ଦ୍ବିତୀୟ ଦିନ, ଅର୍ଥାତ୍‌ ୧୩ ତାରିଖରେ ହିଁ ଅର୍ପିତା ଇସ୍ରାଏଲରୁ ଆସିବାର ଥିଲା; କିନ୍ତୁ ଶେଷ ମୂହୁର୍ତ୍ତରେ ତାଙ୍କୁ ଅଣାଯାଇପାରିନଥିଲା।
ପୂର୍ବରୁ ଅର୍ପିତା ରହୁଥିବା ୱେଷ୍ଟ୍‌ ବ୍ୟାଙ୍କ ଅଞ୍ଚଳ ସଂପୂର୍ଣ୍ଣ ଶାନ୍ତ ଥିଲା। ତେବେ ଗତ ୧୩ ତାରିଖରୁ ଏହି ଅଞ୍ଚଳକୁ ସିରିଆ ପଟୁ ରକେଟ, ବୋମା ମାଡ଼ ଆରମ୍ଭ ହୋଇଯାଇଥିଲା। ଏଣୁ ଗୋଟିଏ ଦିନ ଯୁଦ୍ଧକୁ ଅତି ନିକଟରୁ ଅନୁଭବ କରିଥିଲେ। ତେବେ ଉକ୍ତ ଦିନ, ଅର୍ଥାତ୍‌ ୧୩ ତାରିଖରେ ହିଁ ଭାରତୀୟ ଦୂତାବାସ ପକ୍ଷରୁ ଅର୍ପିତାକୁ ଟେଲ୍‌-ଅଭିଭ୍‌ ବିମାନବନ୍ଦର ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ନିର୍ଦ୍ଦେଶନୁସାରେ ସେ ପ୍ରାୟ ୪୫ ମିନିଟ୍‌ରେ ପାଖାପାଖି ୫୨ କିଲୋମିଟର ଅତିକ୍ରମକରି ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରେ ସ୍ବତନ୍ତ୍ର ବିମାନରେ ଭାରତ ଫେରିବାକୁ ଜଗି ରହିଥିଲେ। କିନ୍ତୁ ଉକ୍ତ ଦିନ ବିମାନରେ ୨୩୫ ଜଣ ଆସିଥିବାବେଳେ ୪୦ ଜଣ ଆସିପାରିନଥିଲେ। ଆସିପାରିନଥିବା ୪୦ ଜଣଙ୍କ ମଧ୍ୟରେ ରହିଯାଇଥିଲେ ଅର୍ପିତା। ଭାରତୀୟ ଦୂତାବାସ ପକ୍ଷରୁ ସମସ୍ତଙ୍କୁ ହୋଟେଲରେ ରଖାଯାଇଥିଲା। ଗୋଟିଏ ଦିନ ହୋଟେଲରେ ରହିବା ପରେ ତା’ ପରଦିନ, ଅର୍ଥାତ୍‌ ୧୩ ତାରିଖ ସନ୍ଧ୍ୟା ୭ଟାରେ ଅର୍ପିତା ଓ ଅନ୍ୟ ୫ ଜଣ ଓଡ଼ିଆ ସ୍ବତନ୍ତ୍ର ବିମାନରେ ଇସ୍ରାଏଲରୁ ବାହାରିଥିଲେ। ପ୍ରାୟ ୭ ଘଣ୍ଟାର ବିମାନ ଯାତ୍ରାପରେ, ବିଳମ୍ବିତ ରାତି(୧୩/୧୪ ତାରିଖ) ୨ଟାରେ ନୂଆ ଦିଲ୍ଲୀରେ ପହଞ୍ଚିଥିଲେ। ସେଠାରୁ ସମସ୍ତଙ୍କୁ ନୂଆଦିଲ୍ଲୀସ୍ଥ ଓଡ଼ିଶା ଭବନନରେ ରଖାଯିବାର ବନ୍ଦୋବସ୍ତ କରାଯାଇଥିଲା। ରବିବାର ସନ୍ଧ୍ୟା ସାଢ଼ ୭ଟାରେ ସମସ୍ତଙ୍କୁ ନୂଆଦିଲ୍ଲୀରୁ ବିମାନ ଯୋଗେ ଭୁବନେଶ୍ବରକୁ ଅଣାଯାଇଥିଲା।
ସମ୍ବନ୍ଧିତ ଖବର