ପାଠ୍ୟ ପୁସ୍ତକ ମୁଦ୍ରଣ ଟେଣ୍ଡରରେ ଅନିୟମିତତା ଅଭିଯୋଗ

ଭୁବନେଶ୍ବର : ଗଣଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟ ପାଠ୍ୟ ପୁସ୍ତକ ଉତ୍ପାଦନ ଓ ବିକ୍ରୟ ସଂସ୍ଥାରେ ପାଠ୍ୟ ପୁସ୍ତକ ମୁଦ୍ରଣ ନେଇ ହୋଇଥିବା ଟେଣ୍ଡରରେ ଅନିୟମିତତା ଅଭିଯୋଗ ହୋଇଛି। ଟେଣ୍ଡର ସର୍ତ୍ତ ପୂରଣ କରୁନଥିବା ସଂସ୍ଥାକୁ କାର୍ଯ୍ୟାଦେଶ ଦେବାକୁ ଉଦ୍ୟମ କରାଯାଇଛି। ଏ ନେଇ ଓଡ଼ିଶା ମୁଦ୍ରଣ ଓ ବନ୍ଧେଇ ମହାସଂଘ ଗଣଶିକ୍ଷା ବିଭାଗ ସଚିବଙ୍କ ପାଖରେ ଏକ ଅଭିଯୋଗ ପତ୍ର ଦାଖଲ କରିଥିବା ଜଣାଇଛି।

ଅଭିଯୋଗ ଅନୁଯାୟୀ, ୨୦୨୦-୨୦୨୧ ଶିକ୍ଷାବର୍ଷ ପାଇଁ ସର୍ବଭାରତୀୟ ସ୍ତରରେ ପାଠ୍ୟ ପୁସ୍ତକ ମୁଦ୍ରଣ ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିଲା। ଟେଣ୍ଡର ସର୍ତ୍ତ ମୁତାବକ, ଯେଉଁ ମୁଦ୍ରଣ ସଂସ୍ଥାମାନଙ୍କର ନିଜସ୍ବ ମୁଦ୍ରଣ ମେସିନ ଥିବ, ସେସବୁ ସଂସ୍ଥାମାନେ ଟେଣ୍ଡର ଆବେଦନ ବେଳେ ମେସିନର କ୍ରୟ ହୋଇଥିବା ନେଇ ପ୍ରମାଣ ପତ୍ର ଦେବେ। ମାତ୍ର ଟେଣ୍ଡର ଖୋଲାଗଲା ପରେ ଦେଖାଯାଇଥିଲା , କଟକର ଦୁଇଟି ମୁଦ୍ରଣ ସଂସ୍ଥା ମେସିନ କ୍ରୟ ବିଲ ବଦଳରେ କୋଟେସନ୍ ଓ ହାତଲେଖା ରସିଦ୍ ପ୍ରଦାନ କରିଥିଲେ। ଟେଣ୍ଡର ସର୍ତ୍ତାବଳୀ ମୁତାବକ ଏହି ଦୁଇ ସଂସ୍ଥାର ଟେଣ୍ଡର ଗ୍ରହଣୀୟ ନୁହେଁ। ମାତ୍ର ରାଜ୍ୟ ପାଠ୍ୟ ପୁସ୍ତକ ଉତ୍ପାଦନ ଓ ବିକ୍ରୟ ସଂସ୍ଥା ଏହାକୁ ଗ୍ରହଣ କରିଛନ୍ତି। ଏ ସଂକ୍ରାନ୍ତରେ ଓଡ଼ିଶା ମୁଦ୍ରଣ ଓ ବନ୍ଧେଇ ମହାସଂଘ ପକ୍ଷରୁ ରାଜ୍ୟ ପାଠ୍ୟ ପୁସ୍ତକ ଉତ୍ପାଦନ ଓ ବିକ୍ରୟ ସଂସ୍ଥାର ନିର୍ଦ୍ଦେଶକଙ୍କ ପାଖରେ ବିଧିବଦ୍ଧ ଅଭିଯୋଗ କରାଯାଇଥିଲା। ଖାଲି ସେତିକି ନୁହେଁ, ରାଜ୍ୟ ଗଣଶିକ୍ଷା ବିଭାଗକୁ ଏ ନେଇ ଇ-ମେଲ ଯୋଗେ ଅଭିଯୋଗ ହୋଇଥିଲେ ବି ମାସାଧିକ କାଳ ବିତିଲାଣି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ପାଠ୍ୟ ପୁସ୍ତକ ମୁଦ୍ରଣ ଟେଣ୍ଡରରେ ଦୁର୍ନୀତି ହେବା ପୂର୍ବରୁ ବିଭାଗୀୟ ମନ୍ତ୍ରୀ ଓ ସଚିବ ଅନୁଧ୍ୟାନ କରି ଏ ବାବଦରେ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର