ସାଧାରଣତନ୍ତ୍ର ଦିବସ ପରେଡରେ ଦ୍ବିତୀୟ ସ୍ଥାନ ପାଇଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼ ; ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ:  ନୂଆଦିଲ୍ଲୀ ସାଧାରଣତନ୍ତ୍ର ଦିବସ ପରେଡରେ ଓଡ଼ିଶାକୁ ମିଳିଛି ସଫଳତା । ପ୍ରଜ୍ଞାପନ ମେଢ଼ ପ୍ରତିଯୋଗିତାରେ ଦ୍ୱିତୀୟ ହୋଇଛି ଓଡ଼ିଶା । ସାରା ଦେଶରେ ଦ୍ୱିତୀୟ ସ୍ଥାନରେ ରହିଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ଏଥର ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାକୁ ଉପସ୍ଥାପିତ କରିଥିଲା ଓଡ଼ିଶା । ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଦିଲ୍ଲୀଠାରେ ଆୟୋଜିତ ପରେଡର ମୁଖ୍ୟ ଆକର୍ଷଣ ସାଜିଥିଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ଏହି ଅବସରରେ ପ୍ରଜ୍ଞାପନ ମେଢ଼ ନିର୍ମାଣ ଓ ପ୍ରଦର୍ଶନ ସହ ସଂପୃକ୍ତ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଦିଲ୍ଲୀର ରାଜପଥ ପରେଡରେ ପ୍ରଦର୍ଶିତ ହୋଇଥିବା ଓଡିଶାର ପ୍ରଜ୍ଞାପନ ମେଢକୁ ମିଳିଛି ସମ୍ମାନ । ଜାତୀୟ ସ୍ତରରେ ଓଡିଶା ମେଢ ହାସଲ କରିଛି ଦ୍ୱିତୀୟ ସ୍ଥାନ । ଆସାମର ମେଢ଼ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଓଡ଼ିଶା ସହ ଉତ୍ତର ପ୍ରଦେଶର ମେଢ଼ ଉଭୟ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ଆଉ ଏଥିପାଇଁ ରାଜଧାନୀ ଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ ରଙ୍ଗଶାଳା ଶିବିରରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପୁରସ୍କାର ପ୍ରଦାନ କରିଛନ୍ତି । ଚଳିତବର୍ଷ ସାଧାରଣତନ୍ତ୍ର ଦିବସରେ ଦେଶର ମୋଟ ୨୨ଟି ପ୍ରଜ୍ଞାପନ ମେଢ ସାମିଲ ହୋଇଥିଲା ।

ସାଧାରଣତନ୍ତ୍ର ଦିବସରେ ମହାପ୍ରଭୁ ଲିଙ୍ଗରାଜଙ୍କର ରୁକୁଣା ରଥ ପଛରେ ଥିବା ପରମ୍ପରାକୁ ପ୍ରଜ୍ଞାପନ ମେଢ଼ରେ ଦର୍ଶାଯାଇଥିଲା । ଓଡିଶାରୁ ଯାଇଥିବା ନୃତ୍ୟଶିଳ୍ପୀମାନେ ଦିଲ୍ଲୀ ଦରବାରରେ ନୃତ୍ୟ ମାଧ୍ୟମରେ କଳା ଓ ସଂସ୍କୃତିର ପ୍ରଦର୍ଶନ କରିଥିଲେ । ଗତ ଦୁଇ ବର୍ଷ ହେଲା ଓଡିଶାର ପ୍ରଜ୍ଞାପନ ମେଢ ଗଣତନ୍ତ୍ର ଦିବସରେ ସାମିଲ ହୋଇ ନଥିଲା । ଶେଷ ଥର ପାଇଁ ଓଡିଶାର ପ୍ରଜ୍ଞାପନ ମେଢ ୨୦୧୭ରେ ସାମିଲ ହୋଇଥିଲା, ଯାହା ଦୋଳ ପୂର୍ଣ୍ଣିମାର ପରମ୍ପରାକ ଉପରେ ପର୍ଯ୍ୟବସିତ ହୋଇଥିଲା।

ସମ୍ବନ୍ଧିତ ଖବର