ଜଳବାୟୁ ପରିବର୍ତ୍ତନର ପ୍ରଭାବ!, ମେ’ ମାସରେ ଅଣ୍ଡା ଦେଲେ ଅଲିଭ୍‌ ରିଡ଼ଲେ

ରାଜନଗର (ସୂର୍ଯ୍ୟନାରାୟଣ ଲେଙ୍କା): ପରିବେଶ ଦ୍ରୁତ ଅବକ୍ଷୟ ହେତୁ ସାମୁଦ୍ରିକ ପ୍ରକ୍ରିୟାରେ ଅସ୍ବାଭାବିକତା ସୃଷ୍ଟି ହୋଇଛି। ଗ୍ଲୋବାଲ୍ ୱାର୍ମିଂ ଯୋଗୁଁ ସାମୁଦ୍ରିକ ଝଡ଼ ସହ ବାତ୍ୟା ‘ଫନି’ ଓଡ଼ିଶାରେ ତାଣ୍ଡବ ରଚିଛି। ଖାଦ୍ୟ ଶୃଙ୍ଖଳାର ବିଯର୍ପ୍ୟୟ ଯୋଗୁଁ ପୃଥିବୀ ପୃଷ୍ଠରୁ ଅନେକ ପ୍ରଜାତିର ପଶୁପକ୍ଷୀ ନିଶ୍ଚିହ୍ନ ହୋଇ ଗଲେଣି। ଏବେ ଅସମୟରେ ବିରଳ ସାମୁଦ୍ରିକ ଅଲିଭରିଡଲେ କଇଁଛ ଦୀର୍ଘ ଦୁଇମାସ ଧରି ଅଣ୍ଡା ଦେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି।

ବିରଳ ଅଲି‌ଭରିଡ଼ଲେ କଇଁଛଙ୍କ ସଂଖ୍ୟା ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ଗହୀରମଥାରେ ସମାଗମ ହୋଇ ଗଣ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥାନ୍ତି। ଅକ୍ଟୋବର ଶେଷ ସପ୍ତାହରୁ ଗହୀରମଥା ଉପକୂଳରେ ଅଲିଭରିଡ଼ଲେଙ୍କୁ ଦେଖିବାକୁ ମିଳିଥାଏ। ଦୀର୍ଘ ୪ମାସ ଧରି ମିଳନ ପ୍ରକ୍ରିୟା ସାମିଲ ହେବା ସହ ଫେବ୍ରୁଆରିରୁ ମାର୍ଚ୍ଚ ଦ୍ବିତୀୟ ସପ୍ତାହ ମଧ୍ୟରେ ଗଣ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥାନ୍ତି। ଚଳିତବର୍ଷ ଗହୀରମଥା ଉପକୂଳରେ ଫେବ୍ରୁଆରି ୨୬ରୁ ମାର୍ଚ୍ଚ ୫ ତାରିଖ ଯାଏଁ ୪ଲକ୍ଷ ୫୨ ହଜାର ୨୪୯ ଅଲିଭରିଡ଼ଲେ ଗଣ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ନାଶି-୨ରେ ଏହି ଗଣ ଅଣ୍ଡାଦାନ ପ୍ରକ୍ରିୟା ହୋଇଥିଲା। ଚଳିତବର୍ଷ ଏପ୍ରିଲ ୧୫ରୁ ୨୦ ତାରିଖ ଯାଏଁ କଇଁଛ ଅଣ୍ଡାରୁ ଅଢ଼େଇ କୋଟି କଇଁଛ ଶାବକ ବାହାରି ସମୁଦ୍ରକୁ ଚାଲି ଯାଇଛନ୍ତି। ମାତ୍ର ଏବେ ବିରଳ ଅଲିଭରିଡ଼ଲେ କଇଁଛଙ୍କୁ ନେଇ ଅସ୍ବାଭାବିକ ପ୍ରକ୍ରିୟା ଘଟଣା ସାମ୍ନାକୁ ଆସିଛି। ଅଲିଭରିଡ଼ଲେ ଗଣ ଅଣ୍ଡାଦାନ କରିବା ପର ଠାରୁ ଆଜିଯାଏଁ ଗହୀରମଥାର ନାଶି-୧ ଓ ନାଶି-୨ରେ ଅଣ୍ଡାଦାନ ପ୍ରକ୍ରିୟା ଜାରି ରଖିଛନ୍ତି। ପ୍ରତିଦିନ ୩୦ରୁ ୫୦ କଇଁଛ ୪୦ରୁ ୫୦ ସେଣ୍ଟିମିଟର ଗାତ ଖୋଳି ଅଣ୍ଡାଦାନ ଜାରି ରଖିଛନ୍ତି। ସୁଦୂର ଜାଫନା ଉପକୂଳରୁ ହଜାର ହଜାର କ‌ିଲୋମିଟର ଅତିକ୍ରମ କରି ଏହି କଇଁଛ ଗହୀରମଥାରେ ଭିଡ଼ ଜମାଇଛନ୍ତି।

ବନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ମାର୍ଚ୍ଚ ୬ରୁ ଆଜିଯାଏଁ ୭୦ ଦିନ ମଧ୍ୟରେ ୧୭ ହଜାର ୩ଶହ ଅଲିଭରିଡ଼ଲେ ନାଶି-୧ ଓ ନାଶି-୨ରେ ଅଣ୍ଡା ଦେଉଛନ୍ତି। ପୂର୍ବରୁ ଏଭଳି ସ୍ଥିତି କେବେ ଦେଖାଯାଇନଥିଲା। ପ୍ରଥମଥର ପାଇଁ ଗଣ ଅଣ୍ଡାଦାନ ପରେ ଦୀର୍ଘ ୭୦ଦିନ ଧରି ଅଲିଭରିଡ଼ଲେ ଅଣ୍ଡାଦାନ ପ୍ରକ୍ରିୟା ଜାରି ରଖିଛନ୍ତି। ଏହାଛଡା ଅଲିଭରିଡ଼ଲେ ଦେଇଥିବା ଅଣ୍ଡାରୁ ୪୦ରୁ ୫୦ ଦିନ ମଧ୍ୟରେ ଛୁଆ ବାହାରିଥାଏ। ଏବେ ପ୍ରବଳ ବର୍ଷା ଓ ଗରମରେ କଇଁଛ ଅଣ୍ଡା ଦେଉଛନ୍ତି। ଅଣ୍ଡା ଗୁଡିକ ଠିକ୍ ତାପମାତ୍ରା ପାଉଛି କି’ ନାହିଁ ଏବଂ ପ୍ରବଳ ବର୍ଷା ଓ ଗରମ ସତ୍ତ୍ବେ ଅଣ୍ଡାରୁ ଛୁଆ ବାହାରିବେ କି’ ନାହିଁ ତାହା ଜୁନ୍ ଶେଷରେ ଜଣାପଡିବ ବୋଲି ଗହୀରମଥା ଏସିଏଫ୍‌ ଶ୍ରୀରାମପଦ ଅରବିନ୍ଦ ମିଶ୍ର ସୂଚନା ଦେଇଛନ୍ତି। ଅସମୟରେ ଓ କଇଁଛଙ୍କ ପ୍ରଜନନ ଋତୁ ପରେ ଦୀର୍ଘ ୭୦ ଦିନ ଧରି କଇଁଛ ଅଣ୍ଡା ଦେବା ଓ ଏବେବି ଅଣ୍ଡାଦାନ ପ୍ରକ୍ରିୟା ଜାରି ରହିବା ଜଳବାୟୁ ପରିବର୍ତ୍ତନର ଲକ୍ଷଣ ବୋଲି ପରିବେଶବିତ୍‌ମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର