୨୯ରେ ଓମ୍‌ସା ‌କର୍ମକର୍ତା ନିର୍ବାଚନ

ଭୁବନେଶ୍ବର : ଆସନ୍ତା ୨୯ତାରିଖରେ ଓଡ଼ିଶା ମେଡିକାଲ ସେବା ସଂଘ ବା ଓମ୍‌ସା କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହେବ। ସମୁଦାୟ ୧୩ଟି ପଦବି ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି। ସେପ୍ଟେମ୍ବର ୨ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। ଅନଲାଇନ୍‌ ଜରିଆରେ ଓମ୍‌ସା ଅଧୀନରେ ପଞ୍ଜୀକୃତ କର୍ମକର୍ତା ନିର୍ବାଚନରେ ଅଂଶଗ୍ରହଣ କରିପାରିବେ।

ନିର୍ବାଚନ ପାଇଁ ଓମ୍‌ସାର କେନ୍ଦ୍ରୀୟ କାର୍ଯ୍ୟକାରିଣୀ କମିଟି(ସିଡବ୍ଲୁସି) ନିକଟରେ ଜୁଲାଇ ୨୫ତାରିଖ ସୁଦ୍ଧା ଆବେଦନପତ୍ର ଦାଖଲ କରାଯାଇଛି। ଆବେଦନପତ୍ରର ଯାଞ୍ଚ ପରେ ୯ଟି ପଦବିରେ କୌଣସି ପ୍ରତିଯୋଗିତା ହେବନାହିଁ। ୩ଟି ପଦବି ପାଇଁ ଲଢ଼େଇ ହେବ। ରାଜ୍ୟ ଯୁଗ୍ମ ସଂପାଦକ ପଶ୍ଚିମ ଜୋନ୍‌ ପାଇଁ ପରବର୍ତୀ ସମୟରେ ନିର୍ବାଚନ କରାଯିବ। ରାଜ୍ୟ ସଭାପତି ପଦ ପାଇଁ ଡା.ନାରାୟଣ ରାଉତ ଓ ଡା.ପୁଣ୍ୟଶ୍ଳୋକ ଦାସଙ୍କ ମଧ୍ୟରେ ପ୍ରତିଯୋଗିତା ହେବ। ଡା.ରାଉତ ଲଗାତାର ଦ୍ବିତୀୟ ଥର ଲାଗି ସଭାପତି ପାଇଁ ଲଢ଼ୁଛନ୍ତି। ଡା.ଦାସ ପୂର୍ବରୁ ଓମ୍‌ସାର ରାଜ୍ୟ ସଂପାଦକ ରହିଥିଲେ। ସେହିପରି ରାଜ୍ୟ ସାଧାରଣ ସଂପାଦକ ପାଇଁ ଡା.ବିଶ୍ବଜିତ ସାମଲ ଓ ଡା.ଭଞ୍ଜନ କୁମାର ସାହୁ ଓ କୋଷାଧ୍ୟକ୍ଷ ପାଇଁ ଡା.ବିନୋଦ ବିହାରୀ ରଥ ଓ ଡା.କ୍ଷୀରୋଦ ଚନ୍ଦ୍ର ପଲଙ୍କ ମଧ୍ୟରେ ଲଢ଼େଇ ହେବ। ପଞ୍ଜୀକୃତ ଓମ୍‌ସା କର୍ମକର୍ତାମାନେ ନିଜର ମୋବାଇଲ ନମ୍ବର ଜରିଆରେ ଏଥିରେ ଭୋଟ ଦେଇପାରିବେ। ଉଲ୍ଲେଖ ଯେ ଓମ୍‌ସା କର୍ମକର୍ତା ନିର୍ବାଚନକୁ ନେଇ ବିବାଦ ଦେଖା ଦେଇଥିଲା। ଫଳରେ କର୍ମକର୍ତା ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଥିଲା।

ସମ୍ବନ୍ଧିତ ଖବର