ପଂଜାବରେ ମୋଦୀଙ୍କ ସୁରକ୍ଷା ତ୍ରୁଟି ପ୍ରସଙ୍ଗ: ଫିରୋଜପୁର ଏସଏସପି ଦାୟୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଂଜାବ ଗସ୍ତ ସମୟରେ ତାଙ୍କ ସୁରକ୍ଷାରେ ତ୍ରୁଟି ହୋଇଥିଲା। ଏହି ଘଟଣାର ତଦନ୍ତ ପାଇଁ ସୁପ୍ରିମକୋର୍ଟ ଏକ କମିଟି ଗଠନ କରିଥିଲେ। ଉକ୍ତ କମିଟି ଆଜି ସୁପ୍ରିମ‌କୋର୍ଟରେ ରିପୋର୍ଟ ଦାଖଲ କରିଛନ୍ତି। କମିଟି ରିପୋର୍ଟ ଅନୁଯାୟୀ ଫିରୋଜପୁର ଏସଏସପି ଦାୟିତ୍ବ ସମ୍ପାଦନ କରିବାରେ ବିଫଳ ହୋଇଛନ୍ତି। କମିଟି ରିପୋର୍ଟ ପଢ଼ି ପ୍ରଧାନ ବିଚାରପତି ଏନ୍‌ଭି ରମଣାଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଛନ୍ତି, ଫିରୋଜପୁର ଏସଏସପି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବା ଦିଗରେ ତାଙ୍କ ଦାୟିତ୍ବ ସମ୍ପାଦନ କରିବାରେ ବିଫଳ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଉକ୍ତ ପଥ ଦେଇ ଯିବା ସଂକ୍ରାନ୍ତରେ ୨ ଘଣ୍ଟା ପୂର୍ବରୁ ସୂଚନା ଥିଲେ ବି ଏବଂ ପର୍ଯ୍ୟାପ୍ତ ସୁରକ୍ଷାକର୍ମୀ ଥିବା ସତ୍ତ୍ବେ ଫିରୋଜପୁର ଏସଏସପି ତାଙ୍କ ଦାୟିତ୍ବ ସମ୍ପାଦନ କରିବା‌ରେ ବିଫଳ ହୋଇଛନ୍ତି। ଜଷ୍ଟିସ୍‌ ଇନ୍ଦୁ ମାଲହୋତ୍ରାଙ୍କ ତତ୍ତ୍ବାବଧାନରେ ୫ ଜଣିଆ କମିଟି ଏହି ମାମଲାର ତଦନ୍ତ କରୁଥିଲେ। ଉଲ୍ଲେଖ‌ଯୋଗ୍ୟ ଯେ ଚଳିତବର୍ଷ ଜାନୁଆରିରେ ଫିରୋଜପୁରରେ ଆନ୍ଦୋଳନକାରୀଙ୍କ ରାସ୍ତାରୋକ ଯୋଗୁଁ ପ୍ରଧାନମନ୍ତ୍ରୀଙ୍କ କନଭୟ ଏକ ଫ୍ଲାଏଓଭର ଉପରେ ଫସି ଯାଇଥିଲା।

ସମ୍ବନ୍ଧିତ ଖବର