ଟେଲିଗ୍ରାମ୍‌ ଚ୍ୟାନେଲରେ ବୋନସ ପଏଣ୍ଟ ଠକେଇ: ଜଣେ ଗିରଫ, ୧ଲକ୍ଷ ୫୮ ହଜାର ଜବତ

ଦୁଇଟି ଆକାଉଣ୍ଟରେ ଦେଢକୋଟିର ହୋଇଛି ଟ୍ରାଞ୍ଜାକ୍ସନ

କୋରାପୁଟ: ଟେଲିଗ୍ରାମ ଚ୍ୟାନେଲ ମାଧ୍ୟମରେ ବୋନସ ପଏଣ୍ଟ ଠକେଇର ପର୍ଦ୍ଦାଫାସ କରିଛି କୋରାପୁଟ ସାଇବର ପୁଲିସ। ଏହି ଘଟଣାର ମୁଖ୍ୟ କାର୍ପଟଦାର କୁହାଯାଉଥିବା ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ କାନପୁର ଗାଁର କମଳାକାନ୍ତ ବେହେରାଙ୍କ ପୁଅ ଜଗନ୍ନାଥ ବେହେରା(୨୧)ଙ୍କୁ ଗିରଫ କରିଛି ସାଇବର ପୁଲିସ। ତାଙ୍କ ନିକଟରୁ ୧ଲକ୍ଷ ୫୮ହଜାର, ଗୋଟିଏ ମୋବାଇଲ ଫୋନ ସହ ଅନ୍ୟ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି। ଏନେଇ ଆଜି ସାଇବର ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଏସଡିପିଓ ଶ୍ରାବଣୀ ନାୟକ ଓ ସାଇବର ଥାନାଅଧିକାରୀଣି ଭବାନୀ ପ୍ରଧାନ।

ମିଳିଥିବା ସୂଚନା ମୁତାବକ ଗତ ଫେବ୍ରୁଆରି ୭ ତାରିଖରେ ପଟାଙ୍ଗୀ ବ୍ଲକ ଆଶିଷ କୁମାର ପ୍ରଧାନଙ୍କ ସହ ଏକ ସାଇବର ଅପରାଧ ହୋଇଥିବା ନେଇ ଥାନାରେ ଅଭିଯୋଗ ଦେଇଥିଲେ। ଅଭିଯୋଗ ମୁତାବକ ଅଜଣା ଲୋକଙ୍କ ସହ ୱାଟସଆପ ମାଧ୍ୟମରେ ଯୋଗାଯୋଗରେ ଆସିଥିଲେ। ହୋଟେଲକୁ ରେଟିଂ ଦେଲେ ପ୍ରତି ଟାକ୍ସକୁ ୫୦ ଟଙ୍କା ଲେଖାଏଁ ଦେଇଥିଲେ। ଏହାପରେ ଏକ ଟେଲିଗ୍ରାମ ଚ୍ୟାନେଲରେ ଯୋଡିହେବାକୁ କହିଥିଲେ। ଜଗନ୍ନାଥ ଅତି କାରସାଦୀ କରି ଓପ୍ପୋଆଟ୍‌ଦିରେଟ୍‌୪୭୭୧ ଓ ଲତାଆଟଦିରେଟ୍‌୫୬୪୧୫୬ରେ ଯୋଡି ହୋଇଥିଲେ। ପ୍ରଥମେ ଟାକ୍ସରେ ପାଇଁ ୨୦ହଜାର, ପରେ ୩୦ ହଜାର ଏହି କ୍ରମେରେ ୧ ଲକ୍ଷ ୫୮ହଜାର ଟଙ୍କା ଏକ ରାଷ୍ଟ୍ରାୟତ ବ୍ୟାଙ୍କର ଆକଉଣ୍ଟକୁ ପ୍ରଦାନ କରିଥିଲେ। ଏହା ପରେ ଉକ୍ତ ବ୍ୟକ୍ତି ଜଣକ ଆଶିଶଙ୍କୁ ଗ୍ରୁପରୁ ରିମୁଭ କରିଦେଇଥିଲେ। ଠକାମୀର ଶିକାର ହୋଇଥିବା ଜାଣିବା ପରେ ସେ ସାଇବର ଥାନାର ଦ୍ବାରସ୍ତ ହୋଇଥିଲେ। ଥାନାରେ ୦୨/୨୪ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ କରିଥିଲେ।

ବ୍ୟାଙ୍କକୁ ସୂଚନା ମଗାଯିବା ପରେ ସେଠାରୁ ସବିଶେଷ ତଥ୍ୟ ମିଳିଥିଲା। ଏହାପରେ ଫୋନ ଟ୍ରାକ କରି କାନପୁର ଗାଁରୁ ଜଗନ୍ନାଥଙ୍କୁ ଗିରଫ କରାଯାଇଥିଲା। ତେବେ ଏହି ଯୁବକ ଜଣକ ସଦ୍ୟତମ ଭାବେ ରସାୟନ ବିଜ୍ଞାନରେ ସ୍ନାତକ କରିଥିବାବେଳେ ଟେଲିଗ୍ରାମ, ହ୍ବାଟ୍ଓଆପ ଆଦିରେ ପାରଙ୍ଗମ ବୋଲି ଏସଡିପିଓ କହିଛନ୍ତି। ସେ କହିଛନ୍ତି ଯେ ଏହି ଯୁବକଙ୍କ ଦୁଇଟି ଆକାଉଣ୍ଟରେ କୋଟିଏରୁ ଅଧିକ ଟଙ୍କା ଟ୍ରାଞ୍ଜାକସନ ହୋଇଥିବା କବର ଆମେ ପାଇଛୁ। ଏହାସହ ଏହି ଯୁବକ ନାମରେ ଝାରଖଣ୍ଡ, ପଶ୍ଚିମବଙ୍ଗ ଓ ଓଡ଼ିଶାର ଏକାଧିକ ଥାନାରେ ଅପରାଧିକ ମାମଲା ରହିଥିବା ଅନୁମାନ କରାଯାଉଛି। ତାଙ୍କରୁ ଦୁଇଟି ଆକାଉଣ୍ଟକୁ ଫ୍ରିଜ୍‌ କରାଯାଇଥିବାବେଳେ ଏହି ଆକାଉଣ୍ଟରୁ ଆଉ କେଉଁଠିକି ଅର୍ଥ ଯାଇଛି ତାହାର ଖୋଳତାଡ କରୁଛୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର