ଏମିତି ଆମ ଶିକ୍ଷା ବ୍ୟବସ୍ଥା : ୧୪ ଛାତ୍ରଛାତ୍ରୀଙ୍କୁ ୪ ଶିକ୍ଷକ, ଗୋଟିଏ କୋଠରୀରେ ଆଠଟି ଶ୍ରେଣୀ

ବଣାଇଁଗଡ଼ : ସରକାର ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ପାଇଁ ବିଭିନ୍ନ ପଦକ୍ଷେପ ହାତକୁ ନେଇଛନ୍ତି। ଏଥିପାଇଁ ସର୍ବ ଶିକ୍ଷା ଅଭିଯାନ ଯୋଜନାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରି ଆସୁଥିବାବେଳେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବଢାଇବାକୁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। କିନ୍ତୁ ଏହାର ଏକ ବ୍ୟତିକ୍ରମ ବଣାଇଁ ଉପଖଣ୍ଡରେ ଥିବା ବେଣୁଆମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ।

ରାଉରକେଲା-ଗୁରୁଣ୍ଡିଆ ମୁଖ୍ୟ ମାର୍ଗରେ ଅବସ୍ଥିତ ଏହି ବିଦ୍ୟାଳୟ ତାମଡ଼ା ପଞ୍ଚାୟତର ବେଣୁଆମ ଗ୍ରାମରେ ୧୯୬୭ ମସିହାରେ ପ୍ରତିଷ୍ଠ‌ା ହୋଇଥିଲା। ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଆଠଟି ଶ୍ରେଣୀ ରହିଥିବାବେଳେ  ସରକାର ଜଣେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ୪ ଜଣ ସହକାରୀ ଶିକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି। ତେବେ ଉଦ୍‌ବେଗର ବିଷୟ ଏହି ଯେ ଏହି ଆଠଟି ଶ୍ରେଣୀରେ ଅଛନ୍ତି ମାତ୍ର ୧୪ ଜଣ ଛାତ୍ରଛାତ୍ରୀ। ଚଳିତ ଶିକ୍ଷା ବର୍ଷରେ ପ୍ରଥମ ଶ୍ରେଣୀରେ ୪ ଜଣ ନାମ ଲେଖିଥିବାବେଳେ ଚତୁର୍ଥ ଶ୍ରେଣୀରେ ଜଣେ ହେଲେ ଛାତ୍ରଛାତ୍ରୀ ନାହାନ୍ତି। ସେହିପରି ସବୁଠାରୁ ପରିତାପର ବିଷୟ ଯେ ଏହି ଆଠଟି ଶ୍ରେଣୀ ପାଇଁ ମାତ୍ର ଗୋଟିଏ ଶ୍ରେଣୀ କକ୍ଷ ରହିଛି। ସେହି ଏକ ମାତ୍ର ଶ୍ରେଣୀ କକ୍ଷରେ ବିଦ୍ୟାଳୟର ଅଫିସ କାର୍ଯ୍ୟ ଚାଲିବା ସହିତ ୪ ଜଣ ଶିକ୍ଷକ ୧୪ ଜଣ ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଛନ୍ତି।

ସବୁଠାରୁ ଗୁରୁତର ବିଷୟ ଯେ ଗୋଟିଏ କକ୍ଷରେ ଏ ସମସ୍ତ କାର୍ଯ୍ୟ କିପରି ହେଉଥିବ ଏଥିରୁ ସହଜରେ ଅନୁମାନ କରାଯାଉଛି। ଏହା ସହିତ ଏହି ବିଦ୍ୟାଳୟରେ ଅନ୍ୟ ତିନିଟି ଶ୍ରେଣୀ ଗୃହ ରହିଥିବାବେଳେ ସେ ଗୁଡିକ ବିପଦସଂକୁଳ ଘୋଷିତ ହୋଇଥିବାରୁ ସେ ଗୁଡିକ ମରାମତି ହେଉନାହିଁ କି କୌଣସି କାର୍ଯ୍ୟରେ ଲାଗି ପାରୁନାହିଁ। ଏବିଷୟରେ ପ୍ରଧାନ ଶିକ୍ଷୟିତ୍ରୀ ଲତା କିସାନ ତଥା ବିଦ୍ୟାଳୟ କମିଟି ସଭାପତି ଚୁମ୍‌ନୁ ଓରାମ ଉଚ୍ଚ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇ ଆସୁଥିଲେ ମଧ୍ୟ କାହାରି ଦୃଷ୍ଟି ପଡୁନାହିଁ।

ସମ୍ବନ୍ଧିତ ଖବର