ସହରରେ ଜାଗା କିଣ, ‘ଆବାସ ନିଅ’; ମୂଲ୍ୟବାନ ଜମିର ମାଲିକ ସରକାରୀ ଖାତାରେ ଗରିବ!

କାମାକ୍ଷାନଗର : ଢେଙ୍କାନାଳର ସହରରେ ଲକ୍ଷ ଲକ୍ଷ ଟଙ୍କା ଦେଇ ଜମି ଖର୍ଦ୍ଦି। କିନ୍ତୁ, ଏ ସବୁ ମୂଲ୍ୟବାନ ଜମିର ମାଲିକ ସରକାରୀ ତାଲିକାରେ କୁଆଡ଼େ ଗରିବ। ତାଙ୍କୁ ମିଳିଛି ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ। ଜମି ଖର୍ଦ୍ଦି କରିବାର ବର୍ଷ କେଇଟା ଭିତରେ ଦୁଇ ଭାଇଙ୍କୁ ଏନ୍‌ଏସି ଦୁଇଟା ପ୍ରଧାନମନ୍ତ୍ରୀ ଆବାସ ଟେକି ଦେଇଛି। ଆର୍‌ଟିଆଇ ତଥ୍ୟରୁ ଘଟଣା ପଦାକୁ ଆସିବା ପରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନ୍‌ଏସିରେ ଏହା ବେଶ୍‌ ଚର୍ଚ୍ଚିତ ହୋଇଛି। ଲକ୍ଷ ଲକ୍ଷ ଟଙ୍କା ଦେଇ ଜାଗା ଖର୍ଦ୍ଦି କରି ପାରୁଥିବା ଲକ୍ଷପତି ପରିବାର କେମିତି ଗରିବ ହେଲେ ଏବଂ ପ୍ରଧାନମନ୍ତ୍ରୀ ଆବାସର ଯୋଗ୍ୟ ହିତାଧିକାରୀ ହେଲେ ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

ଏହି ଦୁଇ ହିତାଧିକାରୀ ହେଉଛନ୍ତି ସନ୍ତୋଷ ରଞ୍ଜନ ନାୟକ ଏବଂ ସୁବ୍ରତ ରଞ୍ଜନ ନାୟକ। ସମ୍ପର୍କରେ ଦୁଇ ଭାଇ। ଏମାନଙ୍କର ଘର ହେଲା କାମାକ୍ଷାନଗର ବ୍ଲକ୍‌ ଜଗନ୍ନାଥପୁର ପଞ୍ଚାୟତରେ। କାମାକ୍ଷାନଗର ଏନ୍‌ଏସିଠାରୁ ପ୍ରାୟ ୨୦କିଲୋମିଟର ଦୂର। ବାପା ସର୍ବେଶ୍ବର ନାୟକ ହେଉଛନ୍ତି ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକ। ସୂଚନା ଅନୁସାରେ, କାମାକ୍ଷାନଗର ଏନ୍‌ଏସି ୧୨ନମ୍ବର ୱାର୍ଡ଼ ଆଳତୁମା ଅଞ୍ଚଳରେ ସନ୍ତୋଷଙ୍କୁ କାର୍ଯ୍ୟାଦେଶ ନମ୍ବର ୮୪୮ରେ ୨୦୧୯ ମାର୍ଚ୍ଚ ୮ତାରିଖ ଦିନ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏ ବାବଦକୁ ସେ ଚାରିଟି କିସ୍ତିରେ ଦୁଇ ଲକ୍ଷ ଟଙ୍କା ଉଠାଣ କରିଛନ୍ତି। ସେହିପରି ତାଙ୍କ ଭାଇ ସୁବ୍ରତ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ପାଇଛନ୍ତି। କାର୍ଯ୍ୟାଦେଶ ନମ୍ବର ୪୮୦ରେ ୨୦୧୯ ଫେବ୍ରୁଆରି ୨୬ତାରିଖ ଦିନ ତାଙ୍କୁ ଘର କାମ କରିବାକୁ ଏନ୍‌ଏସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କ୍ରମାନ୍ବୟରେ ଚାରୋଟି କିସ୍ତିରେ ସେ ସରକାରୀ ରାଜକୋଷରୁ ଦୁଇ ଲକ୍ଷ ଟଙ୍କା ଉଠାଇଛନ୍ତି। କାମାକ୍ଷାନଗର ଏନ୍‌ଏସି ୧୨ନମ୍ବର ୱାର୍ଡ଼ ଆଳତୁମା ମୌଜା ଖାତା ନମ୍ବର ୪୭୩/୩୭୯, ପ୍ଲଟ୍ ନମ୍ବର ୨୫୭୯/୬୫୪୬ରେ ଏ ଘର ତିଆରି କରାଯାଇଥିବା କାମାକ୍ଷାନଗର ଏନ୍‌ଏସି ଆର୍‌ଟିଆଇରେ ତଥ୍ୟ ରଖିଛି।

ଅନ୍ୟପକ୍ଷରେ ଯେଉଁ ପ୍ଲଟ୍ ନମ୍ବରରେ ଏ ଆବାସ ତିଆରି କରାଯାଇଛି ତାର ରାଜସ୍ବ ଖାତା ଖତିୟାନ ତନଖିଲେ ଯାହା ଜଣାପଡ଼ୁଛି, ଏ ଜମି ଥିଲା ପଞ୍ଚସଖା ଫାଇନାନ୍ସ ଆଣ୍ଡ୍ ମଲ୍ଟି ସର୍ଭିସ୍‌ ପ୍ରାଇଭେଟ୍ ଲିମିଟେଡ୍‌ ନାମକ ଏକ ଘରୋଇ ସଂସ୍ଥାର। ୨୦୧୪ମସିହାରେ ଉକ୍ତ ସଂସ୍ଥାଠାରୁ ବହୁ ମୂଲ୍ୟ ଦେଇ ଜମି ଖର୍ଦ୍ଦି ହୋଇଥିଲା। ହିତାଧିକାରୀଙ୍କ ବାପା ସର୍ବେଶ୍ବର ନାୟକ ଏ ଜମିକୁ କିଣିଥିଲେ। ଜମି ଖର୍ଦ୍ଦିର ଚାରି ବର୍ଷ ପରେ ଏନ୍‌ଏସି ସେହି ଜାଗା ଉପରେ ଦୁଇ ଭାଇଙ୍କ ନାଁରେ ଦୁଇଟା ପ୍ରଧାନମନ୍ତ୍ରୀ ଆବାସ ତିଆରି କରାଇଛି। ଯେଉଁ ପରିବାର ଲକ୍ଷ ଲକ୍ଷ ଟଙ୍କା ଦେଇ ସହରରେ ଜାଗା ଖର୍ଦ୍ଦି କରି ପାରୁଛନ୍ତି, ସେ କେମିତି ଗରିବ ହେଲେ? ଏହି ଦୁଇ ଭାଇଙ୍କର ନାମ କଣ ଏସ୍‌ଇସିସି ତାଲିକାରେ ଥିଲା? ସେ ଦୁହେଁ କଣ ସହରର ମୂଳ ବାସିନ୍ଦା? କେଉଁ ଆଧାରରେ ଦୁଇ ଭାଇଙ୍କ ନାମ ଚୟନ କରାଗଲା? ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର