୨୮ରୁ ଧାନକିଣା ଆରମ୍ଭ, ପ୍ରଥମ ପର୍ଯ୍ୟାୟରେ ଖର୍ଦ୍ଦି ହେବ ୨୩.୫୦ ଲକ୍ଷ କୁଇଣ୍ଟାଲ୍‌

ଭଦ୍ରକ: ଆସନ୍ତା ୨୮ରୁ ଜିଲ୍ଲାରେ ଚଳିତ ବର୍ଷ ଖରିଫ୍ ଧାନ କ୍ରୟ ଆରମ୍ଭ ହେବ। ଏଥିପାଇଁ ଜିଲ୍ଲାସ୍ତରରେ ୧୦୧ ସମବାୟ ସମିତି, ୬୫ଟି ଏସଏଚ୍‌ଜି ଏହି ଧାନ କିଣାରେ ସାମିଲ ହେବେ। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ବିଭିନ୍ନ ମଣ୍ଡିରୁ ୨୩ ଲକ୍ଷ ୫୦ ହଜାର କୁଇଣ୍ଟାଲ ଧାନ ଚାଷୀଙ୍କ ଠାରୁ କ୍ରୟ କରାଯିବ। ଚାଷୀଙ୍କଠାରୁ ଏହି ଧାନ କିଣିବା ପାଇଁ ଆରଏମସି ପକ୍ଷରୁ ପ୍ରସ୍ତୁତି ପର୍ବ ଆରମ୍ଭ କରାଯାଉଛି। ଜିଲ୍ଲାରେ ମୋଟ ୨୧ଟି ମିଲ୍‌ ଧାନ କିଣାରେ ସାମିଲ ହେବ। ଜିଲ୍ଲାରେ ୨୧ ଓ ଜିଲ୍ଲା ବାହାରୁ ୨୭ଟି ମିଲ ସାମିଲ ହେବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଏହିସବୁ ରାଇସ୍ ମିଲ୍‌କୁ ଚିଠି କରାଯାଇଥିବା ବେଳେ ବାହାର ମିଲ୍‌ର ଏବେ ମଧ୍ୟ ଜିଲ୍ଲାକୁ ଧାନ କିଣିବାକୁ ଆସିନାହାନ୍ତି।

ଗତବର୍ଷ ଜିଲ୍ଲାରୁ ମୋଟ ୨୬ ଲକ୍ଷ ୩୩ ହଜାର କ୍ୟୁଇଣ୍ଟାଲ ଧାନ କିଣାଯାଇଥିଲା। ଗତବର୍ଷ ତିନୋଟି ପର୍ଯ୍ୟାୟରେ ଧାନକିଣା ହୋଇଥିଲା। ଚଳିତ ବର୍ଷ ଧାନକିଣା କାର୍ଯ୍ୟ ଆରମ୍ଭ ପୂର୍ବରୁ ବିବାଦ ଦେଖାଦେଇଛି। ସେଟେଲାଇଟ୍ ସର୍ଭେରେ ନକଲି ଜମି ପ୍ଲଟ ଚିହ୍ନଟ କରାଯାଇଛି। ଏହିସବୁ ଜମି ପ୍ଲଟ୍‌କୁ ଚାଷୀ ପଞ୍ଜୀକରଣରୁ ବାଦ୍‌ ଦିଆଯିବା ପରେ ଅସଲି ଚାଷୀଙ୍କ ଠାରୁ ସରକାର ଧାନକ୍ରୟ କରିବେ ବୋଲି ନି‌ଷ୍ପତ୍ତି ନେଇଛନ୍ତି। ସେହିପରି ଚାଷୀ ସରକାରୀ ମଣ୍ଡିରେ ଧାନ ବିକ୍ରି କରିବାକୁ ଅନାଇ ରହିଥିବା ବେଳେ ଏବେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ ମାମଲା ରୁଜୁ କରାଯାଇ ରହିତାଦେଶ ଜାରି କରାଯାଇଛି।

ବାସୁଦେବପୁର ବ୍ଲକର ଲକ୍ଷ୍ମୀଦାସପୁର, କରଞ୍ଜଆଡିଆ, ଭଦ୍ରକ ବ୍ଲକର ବହୁଦରଡା, ବାଣିତିଆ, ହରିପୁର , ଭଣ୍ଡାରିପୋଖରୀ ବ୍ଲକର ନିର୍ଗୁଣ୍ଡି, ବନ୍ତ ବ୍ଲକର ଗୋପିନାଥପୁର, ଚାନ୍ଦବାଲି ବ୍ଲକର ନାନ୍ଦପୁର, ଧାମନଗର ବ୍ଲକର ଅସୁରାଳି, ତିହିଡି ବ୍ଲକର ନରେନ୍ଦ୍ରପୁର, କୋହ୍ଲ, ସାହାପୁର ଆଦି ପଞ୍ଚାୟତରେ ମହିଳା ସ୍ବୟଂ ସହା‌ୟିକା ଗୋଷ୍ଠୀ ଧାନ କିଣିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ଜିଲ୍ଲା ସମାଜ ମଙ୍ଗଳ ଓ ମିଶନ ଶକ୍ତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ଗୋଷ୍ଠୀଙ୍କ ପକ୍ଷରୁ ଆ‌େବଦନପତ୍ର ଗ୍ରହଣ କରାଯାଇଥିଲା। ମାତ୍ର ଡିସେମ୍ବର ୧୨ ତାରିଖରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଏହି ବିଜ୍ଞପ୍ତିର କାର୍ଯ୍ୟକାରିତା ନେଇ ଆଗକୁ ନ ବଢିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ଚାନ୍ଦବାଲି ବ୍ଲକର ଆରଡି ସେବା ସମବାୟ ସମିତି ପକ୍ଷରୁ ଏହି ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ଉଚ୍ଚ ନ୍ୟାୟାଳୟରେ ମାମଲା ରୁଜୁ କରାଯାଇଛି। ପୂର୍ବରୁ ଆରଡି ଓ ନାନ୍ଦପୁର ଭଳି ଦୁଇଟି ପଞ୍ଚାୟତର ଧାନ କିଣୁଥିଲା ଆରଡି ସେବା ସମବାୟ ସମିତି। ଚଳିତ ବର୍ଷ ନାନ୍ଦପୁର ପଞ୍ଚାୟତକୁ ବାଦ ଦେବା ଲାଗି ପ୍ରଶାସନର ନିଷ୍ପତ୍ତିକୁ ବିରୋଧ କରି ଏଇ ମାମଲା ଉଚ୍ଚ ନ୍ୟାୟାଳୟରେ ରୁଜୁ କରାଯାଇଛି। ଏହାକୁ ବିଚାର ପାଇଁ ଗ୍ରହଣ କରି ଉଚ୍ଚ ନ୍ୟାୟାଳୟ ପ୍ରଶାସନକୁ ଆଦେଶ ଦେଇଛନ୍ତି। ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ପରେ ଏହାକୁ ନେଇ ପ୍ରଶାସନିକ ସ୍ତରରେ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଘଟଣା ପରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜିଲ୍ଲାର ୭ଟି ବ୍ଲକର ବିଡିଓ ଓ ସିଡିପିଓଙ୍କୁ ଚିଠି କରି ମହିଳା ଗୋଷ୍ଠୀଙ୍କୁ ଧାନକିଣା ପାଇଁ ଚୟନ ପ୍ରକ୍ରିୟାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳ ଏହି ଘଟଣାର ତର୍ଜମା ଆରମ୍ଭ କରିଥିବା ବେଳେ ଉଚ୍ଚ ନ୍ୟାୟାଳୟର ରହିତାଦେଶ କିଭଳି ପ୍ରତ୍ୟାହାର ହେବ ସେଥିପାଇଁ ପ୍ରଶାସିକ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଘଟଣା ପରେ ଆସନ୍ତା ୨୮ରେ ହେବାକୁ ଥିବା ସରକାରୀ ଧାନ କିଣା ପ୍ରକ୍ରିୟା କିପରି ଚାଲିବ ତାକୁ ନେଇ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର