‘ଯୁବପିଢ଼ି ଚାକିରି ପଛରେ ନ ଦୌଡ଼ି ଆତ୍ମନିର୍ଭରଶୀଳ ହୁଅନ୍ତୁ’

‘ନୋସି’ରେ ଶିଳ୍ପ ବାଣିଜ୍ୟ ଗ୍ରାହକ ମେଳା-୨୦୨୨ ଉଦ୍‌ଘାଟିତ

ବାଲେଶ୍ବର: ଶିଳ୍ପ ବାଣିଜ୍ୟ ମେଳା ଖାଲି ରାଜ୍ୟ ତଥା ରାଜ୍ୟ ବାହାର ଉତ୍ପାଦିତ ଉତ୍ପାଦ ବା ସାମଗ୍ରୀ ଗୁଡ଼ିକୁ ପ୍ରଦର୍ଶିତ କରୁନାହିଁ, ଉତ୍ତର ଓଡ଼ିଶାର କ୍ଷୁଦ୍ର ଉଦ୍ୟୋଗୀଙ୍କୁ ମଧ୍ୟ ଏହା ପ୍ରୋତ୍ସାହିତ କରୁଛି। ଯୁବ ପିଢ଼ିଙ୍କୁ ପ୍ରେରଣା ଦେଉଛି ଏହି ମେଳା। ସବୁ ବର୍ଗଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରି ଏହି ମେଳା ବିକାଶର ମନ୍ତ୍ର ପ୍ରଦାନ କରୁଛି। ନୂଆ ଉଦ୍ୟୋଗୀ ଓ ପ୍ରତିଷ୍ଠିତ ଉଦ୍ୟୋଗୀଙ୍କ ମଧ୍ୟରେ ଏକ ସୁସଂପର୍କ ତିଆରି କରିବା ସହ ଅଭିଜ୍ଞତା ଆଦାନ ପ୍ରଦାନରେ ଏହି ମେଳା ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଶିଳ୍ପର ବିକାଶ ହେଲେ ସାମୂହିକ ବିକାଶ ହେବ। ‌ବିକାଶ ଖାଲି ଜଣଙ୍କର ନ ହେଉ, ଏହା ସାମଗ୍ରିକ ହେବା ଉଚିତ। ଯୁବ ପିଢ଼ି ଚାକିରି ପଛରେ ନ ଦୌଡ଼ି ନିଜେ କେମିତି ଚାକିରି ସୃଷ୍ଟି କରିପାରିବ ଏହି ମେଳା ବାଟ ଦେଖାଇବ। ନୋସି ସମସ୍ତଙ୍କ ଭିତରେ ସମନ୍ବୟ ରଖି ଏଭଳି ଏକ ପ୍ରଦର୍ଶନୀ ମେଳା ଆୟୋଜନ କରିପାରିଛି, ଏହି ଉଦ୍ୟମ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ବାଲେଶ୍ବର ବାମପଦା ସ୍ଥିତ ନୋସି ବିଜ୍‌ନେସ୍‌ ପାର୍କ ପରିସରରେ ‘ଶିଳ୍ପ ବାଣିଜ୍ୟ ଗ୍ରାହକ ମେଳା-୨୦୨୨’ ଉଦ୍‌ଘାଟନ ଉତ୍ସବରେ ଅତିଥିମାନେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ।

କରୋନା ମହାମାରୀ ପାଇଁ ତିନି ବର୍ଷ ପରେ ଏହି ମେଳା ବା ମେଗା ଏକ୍ସପୋ ଉଦ୍‌ଘାଟିତ ହୋଇଛି। ଚାରି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ମେଳା ଆଜିର ଉଦ୍‌ଘାଟନ ଉତ୍ସବକୁ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସା‌ହେବ ଶିନ୍ଦେ ମୁଖ୍ୟଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ସଦର ବିଧାୟକ ସ୍ବରୂପ କୁମାର ଦାସ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ଏମ୍‌ଏସ୍‌ଏମ୍‌ଇର ଯୁଗ୍ମ ନିର୍ଦ୍ଦେଶକ ପି କେ ଗୁପ୍ତା, ବାଲେଶ୍ବର ଡିଆଇସି ଜିଏମ୍‌ ବିପିନ କୁମାର ଦେହୁରି ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ଡ. ନିନା ସିଂ ଅତିଥି ପରିଚୟ ପ୍ରଦାନ କରିଥିଲେ। ନୋସିର ସଭାପତି ପି କେ ଦାଭେ ସ୍ବାଗତ ଭାଷଣ ରଖିଥିବା ବେଳେ ସଂପାଦକ ହରିଶ ପଟେଲ ଧନ୍ୟବାଦ୍‌ ଅର୍ପଣ କରିଥିଲେ। ଏହି ପ୍ରଦର୍ଶନୀ ମେଳାରେ ଗୁଜୁରାଟ, କଲିକତା, କଟକ ଆଦି ସ୍ଥାନରୁ ମୋଟ ୧୨୦ ପ୍ରଦର୍ଶକ ଅଂଶଗ୍ରହଣ କରିଛନ୍ତି। ମେଳାରେ ବିଭିନ୍ନ ଉତ୍ପାଦ ବା ସାମଗ୍ରୀ ଉପରେ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ରିହାତି ରହିଛି। ସବୁ ଷ୍ଟଲରେ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା। ଖାଦ୍ୟ ଷ୍ଟଲ୍‌ଠୁ ଆରମ୍ଭ କରି ସ୍ବୟଂସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ପ୍ରକାର ସାମଗ୍ରୀ ଲାଗିଛି। ସବୁଠୁ ଅଧିକ ଖାଦ୍ୟ ଷ୍ଟଲରେ ଭିଡ଼ ଦେଖିବାକୁ ମିଳିଥିଲା। ସନ୍ଧ୍ୟାରେ ସ୍ଥାନୀୟ ପ୍ରତିଭା ତଥା ପ୍ରଖ୍ୟାତ ବାଦ୍ୟଯନ୍ତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବିଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୁଲିସ୍‌ ପ୍ରଶାସନ ସହଯୋଗରେ ନୋସି ସୁରକ୍ଷାକର୍ମୀଙ୍କ ଦ୍ବାରା ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର