ଭିମ୍‌ସାର କ୍ୟାନସର ୱାର୍ଡରେ ରୋଗୀ ଚିକିତ୍ସା ବାଧାପ୍ରାପ୍ତ

୩ ଦିନ ହେଲା ରେଡିଏସନ୍ ମେସିନ ଅଚଳ

ସମ୍ବଲପୁର : ଭିମ୍‌ସାର କ୍ୟାନସର ବିଭାଗରେ ପୁରୁଣାକାଳିଆ ରେଡିଏସନ୍ ମେସିନରେ ଚାଲିଛି ଚିକିତ୍ସା। ଥରକୁ ଥର ଅଚଳ ହୋଇଯାଉଛି। ମେସିନ୍ ଅଚଳ ହେବା କାରଣରୁ ରୋଗୀମାନଙ୍କ ଚିକିତ୍ସା ବାଧାପ୍ରାପ୍ତ ହୋଇଛି। ସମଗ୍ର ପଶ୍ଚିମ ଓଡ଼ିଶାର ରୋଗୀ ଭିମ୍‌ସାର ଉପରେ ନିର୍ଭର କରୁଥିବା ବେଳେ ନୂଆ ମେସିନ ପାଇଁ ପଦକ୍ଷେପ ନିଆଯାଉନଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି।

ଭିମ୍‌ସାର କ୍ୟାନସର ବିଭାଗରେ ଏବେ ପ୍ରାୟ ୪୦ ଜଣ‌ ରୋଗୀ ଚିକିତ୍ସିତ ହେଉଛନ୍ତି। ରୋଗୀମାନଙ୍କୁ ସପ୍ତାହକୁ ୫ଦିନ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ରେଡିଏସନ୍ ପକାଇ ଚିକିତ୍ସା କରାଯାଉଛି। କେବଳ ଶନିବାର ଓ ରବିବାର ଦିନ ଏହା ବନ୍ଦ ରହିଥାଏ। କ୍ୟାନସର ରୋଗର ଚିକିତ୍ସା ପାଇଁ ଭିମ୍‌ସାର ବ୍ୟତୀତ ପଶ୍ଚିମ ଓଡ଼ିଶାରେ ଅନ୍ୟ କୌଣସି ଜାଗାରେ ସେଭଳି ବ୍ୟବସ୍ଥା ନାହିଁ। ଅଂଚଳର ଗରିବ ଜନସାଧାରଣ କ୍ୟାନସର ଭଳି ମାରାତ୍ମକ ରୋଗରେ ଚିକିତ୍ସା ପାଇଁ ସଂପୂର୍ଣ୍ଣ ଭାବେ ଏହି ଡାକ୍ତରଖାନାରେ ନିର୍ଭରଶୀଳ। କ୍ୟାନସର ରୋଗର ଚିକିତ୍ସା ପାଇଁ ୨୦୦୪ ମସିହାରେ ଥେରାଟନ୍ କଂପାନିର ଏକ ରେଡିଏସନ୍ ମେସିନ କିଣାଯାଇଥିଲା। ଇତିମଧ୍ୟରେ ଏହି ମେସିନକୁ ୧୫ ବର୍ଷ ଅତିକ୍ରାନ୍ତ ହେଲାଣି। ଗତ ୩ ଦିନ ‌ତଳେ ଏହି ମେସିନ ଅଚଳ ହୋଇଯାଇଛି। ମାତ୍ର ଗୋଟିଏ ମେସିନ ଥିବାରୁ ରେଡିଏସନ୍ ଚିକିତ୍ସା ସେବା ବନ୍ଦ ହୋଇଯାଇଛି। ଏ ସଂକ୍ରାନ୍ତରେ କ୍ୟାନସର ବିଭାଗ ମୁଖ୍ୟ ଡାକ୍ତର କବିତା ମାଝୀଙ୍କୁ ପଚାରିବାରୁ ସେ କହିଲେ, ଅଚଳ ହେବା ଦିନଠାରୁ କଂପାନିକୁ ସୂଚନା ଦିଆଯାଇଛି। ମାତ୍ର କଂପାନିର ଇଂଜିନିୟର ଏପର୍ଯ୍ୟନ୍ତ ଆସିପାରିନାହାନ୍ତି। ‌ସେ ଏବେ ଭୁବନେଶ୍ବରରେ ଥିବା ଜଣାପଡ଼ିଛି। ସେ ଶୀଘ୍ର ଏଠାକୁ ଆସି ମରାମତି କରିବାକୁ କୁହାଯାଇଛି ବୋଲି ସେ କହିଛନ୍ତି।

ଉଲ୍ଳେଖଯୋଗ୍ୟ ଯେ, ରାଜ୍ୟର ଅନ୍ୟ ଅଂଚଳ ତୁଳନାରେ ପଶ୍ଚିମ ଓଡ଼ିଶାରେ କ୍ୟାନସର ରୋଗୀଙ୍କ ସଂଖ୍ୟା ଅଧିକ ରହିଛି। ଏହାକୁ ଦୃ‌ଷ୍ଟିରେ ରଖି ପଶ୍ଚିମ ଓଡ଼ିଶ‌ାର ବରଗଡ଼ରେ କ୍ୟାନସର ହସ୍ପିଟାଲ ସ୍ଥାପାନ ପାଇଁ ଦାବି ହେଉଛି। ଅପରପକ୍ଷରେ ଭିମ୍‌ସାର କ୍ୟାନସର ବିଭାଗ ରାଜ୍ୟ ସରକାରଙ୍କ ପକ୍ଷରୁ ଅବହେଳାର ଶିକାର ହେଉଛି। ଅତ୍ୟାଧୁନିକ ଯନ୍ତ୍ରପାତି ଯୋଗାଇ ଦେଲେ ଅଂଚଳର ଗରିବ ରୋଗୀମାନେ ଉପକୃତ ହୋଇପାରନ୍ତେ।

ସମ୍ବନ୍ଧିତ ଖବର