ଫୋନ୍‌-ଇନ୍‌-ପ୍ଲିଜ୍‌: ସ୍କୁଲ ଭାଙ୍ଗି ଅନ୍ଧବିଶ୍ବାସକୁ ଗୁରୁତ୍ବ

ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଶହ ଶହ ଯାତ୍ରୀଙ୍କ ମୃତଦେହ ସ୍ଥାନୀୟ ଏକ ସ୍କୁଲରେ ରଖାଯାଇଥିଲା। ପରବର୍ତ୍ତୀ ସମୟରେ ସେହି ସ୍କୁଲରେ ଭୂତ-ପ୍ରେତ ବାସ କରିବା ଭଳି ଅନ୍ଧବିଶ୍ବାସକୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ହୋଇଥିଲା। ସରକାର ଲୋକଙ୍କୁ ସଚେତନ କରିବା ପରିବର୍ତ୍ତେ ସେହି ସ୍କୁଲ ଘର ଭାଙ୍ଗି ସେଠାରେ ନୂତନ କୋଠା ନିର୍ମାଣ କରୁଛନ୍ତି। ଯାହାକୁ ନେଇ ସାମାଜିକ ଗଣମାଧ୍ୟମଠୁ ଆରମ୍ଭ କରି ବୁଦ୍ଧିଜୀବୀ ମହଲରେ ଦୃଢ଼ ବ‌ିରୋଧ କରାଯାଇଛି। ଏହା କରିବା ଦ୍ବାରା ସରକାର ଅନ୍ଧବିଶ୍ବାସକୁ ପ୍ରୋତ୍ସାହନ ଦେଉଥିବା‌ କହି ଲୋକମାନେ ସରକାରଙ୍କୁ ସମାଲୋଚନା କରିଛନ୍ତି। ଚଳିତଥର ‘ସମ୍ବାଦ’ ଫୋନ୍‌-ଇନ୍‌-ପ୍ଲିଜ୍‌ ପ୍ରସଙ୍ଗ ‘ବାହାନଗା ହାଇସ୍କୁଲ ଭାଙ୍ଗିବା ଅନ୍ଧବିଶ୍ବାସ ଛଡ଼ା ଅନ୍ୟ କିଛି ନୁହେଁ’ରେ ଅନୁଗୁଳ ସଂସ୍କରଣର ପାଠକ ଏଭଳି ମତ ଦେଇଛନ୍ତି।

ବାହାନଗା ହାଇସ୍କୁଲ୍‌କୁ ଭୂତପ୍ରେତ ଥିବା‌ ସନ୍ଦେହ ରଖି ଭଙ୍ଗାଯିବା ଅନ୍ଧବିଶ୍ବାସ ଅଟେ। ଆଜିର ବିଜ୍ଞାନଯୁଗରେ ଯେତେବେଳେ ଆମେ ମେକ୍‌ ଇନ୍‌ ଇଣ୍ଡିଆ କଥା କହୁଛୁ ଏବଂ ଭାରତକୁ ଏକ ପ୍ରଗତିଶୀଳ ରାଷ୍ଟ୍ରରେ ପରିଗଣିତ କରୁଛୁ, ସେତେବେଳେ ଏପରି ଅନ୍ଧବିଶ୍ବାସ ରଖି ଚାଲିଲେ ଆମେମାନେ ଆମର ଲକ୍ଷ୍ୟସ୍ଥଳରେ ପହଞ୍ଚିବା କାଠିକର ପାଠ ହେବ। ତେଣୁ ଏପରି ଅନ୍ଧବିଶ୍ବାସରୁ ନିଜରୁ ଏବଂ ସମାଜକୁ ଦୂରରେ ରଖାଯିବା ଉଚିତ୍ ହେବ।
ସ୍ବାଧୀନ ପ୍ରଧାନ, ବେଢ଼ାଶର,ଅନୁଗୁଳ

ବାହାନଗା ରେଳ ଦୁର୍ଘଟଣାରେ ମୃତ ବ୍ୟକ୍ତିମାନଙ୍କ ଅସ୍ଥାୟୀ ଶବାଗାର ପାଲଟିଥିବା ହାଇସ୍କୁଲ୍ ଭଙ୍ଗାଯିବା ଘଟଣା କୁସଂସ୍କାର ଓ ଅନ୍ଧବିଶ୍ବାସ ବୋଲି ଧରାଯିବ। ସଂସାରରେ ଜନ୍ମ ହେଲେ ମୃତ୍ୟୁ ସୁନିଶ୍ଚିତ। ଜନ୍ମ ପରି ମୃତ୍ୟୁ ମଧ୍ୟ ପ୍ରତି ଘରେ ହୋଇଥାଏ। ଯଦି ଏହି କୁସଂସ୍କାର ଚାଲେ ପୃଥିବୀରେ ଘର ବୋଲି କିଛି ରହିବ ନାହିଁ। ତେଣୁ ସରକାର ବିଦ୍ୟାଳୟ ଘର ଭାଙ୍ଗିବା ନିର୍ଦ୍ଦେଶ ଦେବା ଆଦୌ ଉଚିତ ନୁହେଁ।
ବିନୋଦ ବିହାରୀ ମହାପାତ୍ର
କଇଁଛପଦା, ଛେଣ୍ଡିପଦା

ବାହାନଗା ହାଇସ୍କୁଲ୍ ଭାଙ୍ଗିବା ଅନ୍ଧବିଶ୍ବାସ ଛଡ଼ା ଆଉ କିଛି ନୁହେଁ। ଏହାକୁ ଭାଙ୍ଗିବାର କୌଣସି ଆବଶ୍ୟକତା ନଥିଲା। ଏହା ଏକ ଭୁଲ୍ ଧାରଣା ବ୍ୟତୀତ ଆଉ କିଛି ନୁହେଁ।
ସିଦ୍ଧେଶ୍ବର ଆଚାର୍ଯ୍ୟ
କଲେଜ୍ ଛକ, ଅନୁଗୁଳ

ବାହାନଗା ହାଇସ୍କୁଲ୍ ଭଙ୍ଗାଯିବା ବେଆଇନ। ଏହା ଅନ୍ଧବିଶ୍ବାସ ବ୍ୟତୀତ ଆଉ କିଛି ନୁହେଁ। ଏପରି ହେବା ଆଦୌ ଠିକ୍ ନୁହେଁ।
ବୀରବର ସାହୁ, ତୁରଙ୍ଗ, ଅନୁଗୁଳ

ବାହାନଗା ହାଇସ୍କୁଲ୍ ଭାଙ୍ଗିବାକୁ ଅନ୍ଧବିଶ୍ବାସ ଛଡ଼ା ଆଉ କିଛି କୁହାଯାଇପାରିବ ନାହିଁ। କୌଣସି ମହତ ଉଦ୍ଦେଶ୍ୟ ପାଇଁ ଏପରି କରାଯାଇ ନାହିଁ।
ଚିତ୍ତରଞ୍ଜନ ହୋତା, କାମାକ୍ଷାନଗର

ବାହାନଗା ହାଇସ୍କୁଲ୍ ଭାଙ୍ଗିବା ଅନ୍ଧବିଶ୍ବାସ ଛଡ଼ା ଆଉ କିଛି ନୁହେଁ। କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହେବା ପରେ ପୁଣି ଚଳାଚଳ କଲା। ଅଯଥା ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ଏକ ହାଇସ୍କୁଲ୍ ଭାଙ୍ଗିବା ଆଦୌ ଉଚିତ ନୁହେଁ। ଏହା ଦ୍ବାରା ସରକାରଙ୍କ ଅଯଥା ଅର୍ଥହାନୀ ହେଉଛି।
ଅଦିତି ଲେଙ୍କା, କାମାକ୍ଷାନଗର

ଏକ ଦୁର୍ଘଟଣା ପାଇଁ ବାହାନଗା ହାଇସ୍କୁଲ୍ ଭାଙ୍ଗିବାକୁ ଅନ୍ଧବିଶ୍ବାସ ଛଡ଼ା କିଛି କୁହାଯାଇପାରିବ ନାହିଁ। ତେବେ ନୂତନ ହାଇସ୍କୁଲ୍ ଗଠନ ବେଳେ ଏହାର ବିକାଶ ପ୍ରତି ଦୃ‌ଷ୍ଟି ଦେବା ଆବଶ୍ୟକ।
ସୁବ୍ରତ କୁମାର ସାହୁ, ଢେଙ୍କାନାଳ

ସମ୍ବନ୍ଧିତ ଖବର