ପ୍ରଭାତ ବିଶ୍ୱାଳଙ୍କ ଜାମିନ ଆବେଦନ ଖାରଜ

ଦୁଇ ମାସରେ ତଦନ୍ତ ସାରିବାକୁ ସିବିଆଇକୁ ନିର୍ଦ୍ଦେଶ

କଟକ: ସିସୋର ଚିଟଫଣ୍ଡ୍‌ ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଜାମିନ ଆବେଦନ ହାଇକୋର୍ଟ ଖାରଜ କରିଛନ୍ତି। ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦୧୭, ନଭେମ୍ବର ୨୪ରେ ଶ୍ରୀ ବିଶ୍ୱାଳଙ୍କ ଜାମିନ ଆବେଦନର ପୂର୍ଣ୍ଣାଙ୍ଗ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଆଜି ଏହାର ରାୟ ପ୍ରକାଶ ପାଇଛି। ଶ୍ରୀ ବିଶ୍ୱାଳଙ୍କ ବିରୋଧରେ ସିସୋର ସହିତ ଅର୍ଥନୈତିକ ସଂପର୍କ ନେଇ ଅଭିଯୋଗ ରହିଥିବା ବେଳେ ଘଟଣାର ତଦନ୍ତ ସରି ନଥିବା ଦୃଷ୍ଟିରୁ ତାଙ୍କୁ ଏବେ ଜାମିନ ପ୍ରଦାନ କରାଯିବା ଉଚିତ ହେବ ନାହିଁ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି। ଏଥି ସହିତ ଶ୍ରୀ ବିଶ୍ୱାଳଙ୍କ ବିରୋଧରେ ରହିଥିବା ଅଭିଯୋଗର ତଦନ୍ତ ୨ ମାସ ଭିତରେ ସାରିବା ପାଇଁ ଖଣ୍ଡପୀଠ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ସରି ଚାର୍ଜସିଟ ଦାଖଲ ହେବା ପରେ ଶ୍ରୀ ବିଶ୍ୱାଳ ନିମ୍ନ ଅଦାଲତରେ ପୁଣି ଥରେ ଜାମିନ ଆବେଦନ ଦାଖଲ କରିବେ। ମାମଲାର ତଥ୍ୟ ପ୍ରମାଣକୁ ଆଧାର କରି ନିମ୍ନ ଅଦାଲତ ଆବେଦନକାରୀଙ୍କ ଜାମିନ ଆବେଦନର ଶୁଣାଣି କରି ରାୟ ପ୍ରକାଶ କରିବେ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର