ଚଳିତ ମାସରେ ବିଜେପୁର ଉପନିର୍ବାଚନ!

ନୂଆଦିଲ୍ଲୀ: ବିଜେପୁର ଉପନିର୍ବାଚନ ପାଇଁ ରାଜ୍ୟ ରାଜନୀତିରେ କଳ୍ପନାଜଳ୍ପନା ଜାରି ରହିଥିବା ବେଳେ ରାଜ୍ୟ ନିର୍ବାଚନ ଅଧିକାରୀ ଡି.ଏନ୍‌ ଗୁପ୍ତା ଆଜି ଏ ସମ୍ପର୍କରେ ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟିଥିବା ଜଣାଯାଇଛି। ଏଠାରେ ଆୟୋଜିତ ନିର୍ବାଚନ ତାଲିମ ପରିଚାଳନା ବୈଠକରେ ଆଜି ଶ୍ରୀ ଗୁପ୍ତା ଯୋଗଦେବା ଅବସରରେ ବିଜେପୁର ଉପନିର୍ବାଚନ ପାଇଁ ରାଜ୍ୟ ପ୍ରସ୍ତୁତ ଥିବା ସମ୍ପର୍କରେ ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ଅବଗତ କରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ପୁଲିସ ମୁତୟନ, ପର୍ବପର୍ବାଣି ଏବଂ ପାଣିପାଗ ପ୍ରସଙ୍ଗ ସମେତ ନିର୍ବାଚନରେ ଇଭିଏମ୍‌ର ସୁପରିଚାଳନା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିବା କୁହାଯାଉଛି।

ତେବେ ବିଜେପୁର ଉପନିର୍ବାଚନର ତାରିଖ ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ଅପରପକ୍ଷେ, ମାଟ୍ରିକ୍‌ ପରୀକ୍ଷା ପୂର୍ବରୁ ବିଜେପୁର ଉପନିର୍ବାଚନର ସମସ୍ତ ପ୍ରକ୍ରିୟା ସରିବ ବୋଲି ଗତ ୨୫ ତାରିଖରେ ନିର୍ବାଚନ ଅଧିକାରୀ ସୂଚନା ଦେଇଥିଲେ। ସେହିପରି ଏଥିପାଇଁ ୪୫ ଦିନ ସମୟ ଲାଗୁଥିବାରୁ ଚଳିତ ମାସ ଶେଷ ସପ୍ତାହ ଆଡ଼କୁ ଉପନିର୍ବାଚନ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତେବେ ଦେଶର ୧୦ଟି ରାଜ୍ୟରେ ହେବାକୁ ଥିବା ୭ଟି ଲୋକସଭା ଆସନ ଏବଂ ବିଜେପୁର ସମେତ ୧୦ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ପାଇଁ ଖୁବ୍‌ ଶୀଘ୍ର ତାରିଖ ଘୋଷଣା ହେବ ବୋଲି ଜଣାଯାଇଛି। ଉଲ୍ଲେଖ ଥାଉ କି, ବିଜେପୁରର କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପରଲୋକ ପରେ ଏହି ଆସନ ଖାଲି ପଡ଼ିଛି।

ସମ୍ବନ୍ଧିତ ଖବର