ପ୍ରଦୀପଙ୍କ ସହଯୋଗୀ ସର୍ବେଶ୍ବର ଗିରଫ: ପ୍ରଦୀପଙ୍କ ସହ ୩ ଘଣ୍ଟା ମୁହାଁମୁହିଁ ଜେରା

ରିମାଣ୍ଡ ଶେଷ, ଜେଲ୍‌ ଗଲେ ବିଧାୟକ

ଭୁବନେଶ୍ବର: ଟାଟା ମୋଟର୍ସ ଠକେଇ ମାମଲାର ଅନ୍ୟତମ ଅଭିଯୁକ୍ତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘନିଷ୍ଠ ସହଯୋଗୀ ତଥା ବ୍ରହ୍ମପୁର ସିଟି କଲେଜର ପୂର୍ବତନ ଅଧ୍ୟକ୍ଷ ଭି. ସର୍ବେଶ୍ବର ରାଓଙ୍କୁ ଗତରାତିରେ ଗିରଫ କରିଛି କ୍ରାଇମବ୍ରାଞ୍ଚ। ପ୍ରାୟ ୧୫ ଦିନର ଲୁଚକାଳି ଖେଳ ପରେ ଶେଷରେ ଧରାପଡ଼ିଛନ୍ତି ସର୍ବେଶ୍ବର। ଆଜି ସକାଳୁ ପ୍ରାୟ ତିନି ଘଣ୍ଟା ଧରି ପ୍ରଦୀପଙ୍କ ସହ ତାଙ୍କୁ ମୁହାଁମୁହିଁ ଜେରା କରାଯାଇଥିଲା। ଠକେଇ ସଂକ୍ରାନ୍ତରେ ସର୍ବେଶ୍ବରଙ୍କ ପାଖରୁ ତଦନ୍ତକାରୀ ଟିମ୍ ହାତରେ କିଛି ପ୍ରମାଣ ମଧ୍ୟ ଲାଗିଛି। ଆଜି ଅପରାହ୍‌ଣରେ ତାଙ୍କୁ ଭୁବନେଶ୍ବର ଏସ୍‌ଡିଜେଏମଙ୍କ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ, ସର୍ବେଶ୍ବର ୨୦୧୧ ମସିହାରେ ବ୍ରହ୍ମପୁର ସିଟି କଲେଜର ଅଧ୍ୟକ୍ଷ ଥିବା ବେଳେ ପ୍ରଦୀପ ପାଣିଗ୍ରାହୀ

ପରିଚାଳନା କମିଟି ଅଧ୍ୟକ୍ଷ ଥିଲେ। ସେହି ସମୟରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ଆସିଥିଲା। ଚାକିରିରୁ ଅବସର ପରେ ସେ ପ୍ରଦୀପଙ୍କ ଘନିଷ୍ଠ ସହଯୋଗୀ ପାଲଟି ଯାଇଥିଲେ। ଆକାଶର ପିଏ ଡେଭିଡ୍‌ ପିଟର୍‌ କ୍ରାଇମବ୍ରାଞ୍ଚ ନିକଟରେ ଦେଇଥିବା ବୟାନ ଅନୁସାରେ ସର୍ବେଶ୍ବର ଗୋପାଳପୁର, ବ୍ରହ୍ମପୁର ଅଞ୍ଚଳରୁ ଟାଟା ମୋଟର୍ସରେ ଚାକିରି ନାଁରେ ପିଲାଙ୍କ ବାୟୋଡାଟା ସଂଗ୍ରହ କରି ଆକାଶ ପାଖକୁ ପଠାଉଥିଲେ। କେଉଁ ପିଲା ଚାକିରି ପାଇବେ, ତାହାର ମଧ୍ୟ ତଥ୍ୟ ଦେଉଥିଲେ। ଚାକିରି ପାଇଁ ପିଲାଙ୍କଠାରୁ ସେ ହିଁ ଟଙ୍କା ଆଦାୟ କରୁଥିବା କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି। ଏବେ ସୁଦ୍ଧା ୬ଜଣ ଅଭିଯୋଗକାରୀଙ୍କ ଭିତରୁ ଜଣେ କ୍ରାଇମବ୍ରାଞ୍ଚ ନିକଟରେ ବୟାନ ଦେଇଛନ୍ତି ଯେ ପ୍ରଦୀପଙ୍କ ପାଇଁ ସର୍ବେଶ୍ବର ଚାକିରି ପାଇଁ ଟଙ୍କା ନେଇଥିଲେ। ଏପରିକି ଆକାଶ ଓ ସର୍ବେଶ୍ବରଙ୍କ ଭିତରେ ପ୍ରଦୀପ ମଧ୍ୟସ୍ଥ ଭାବେ କାମ କରୁଥିବା ଜଣାପଡ଼ିଛି। ଅଧିକ ତଥ୍ୟ ଓ ପ୍ରମାଣ ଯୋଗାଡ଼ କରିବା ଲାଗି ସର୍ବେଶ୍ବରଙ୍କୁ ତଦନ୍ତକାରୀ ଟିମ୍ ରିମାଣ୍ଡରେ ଆଣିପାରେ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଗତକାଲି ପ୍ରଦୀପ ପାଣିଗ୍ରାହୀଙ୍କର ଦୁଇ ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ଆଜି ତାଙ୍କୁ ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା। ଏହା ପରେ ସେ ଝାରପଡ଼ା ଜେଲ୍‌ ଫେରି ଯାଇଛନ୍ତି।

ସୂଚନାଯୋଗ୍ୟ ଯେ ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲାରେ ଗତ ୩ ତାରିଖରେ କ୍ରାଇମବ୍ରାଞ୍ଜ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଥିଲା। ଗତ ୧୫ ତାରିଖରେ ତାଙ୍କୁ ଦୁଇ ଦିନ ପାଇଁ ରିମାଣ୍ଡରେ ନେଇଥିଲା। ସେହିପରି ଆକାଶଙ୍କୁ ଗତ ୧୧ ତାରିଖରେ ୫ ଦିନ ପାଇଁ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ।

ସମ୍ବନ୍ଧିତ ଖବର