ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପ୍ରତାପ ଷଡ଼ଙ୍ଗୀ : ସଙ୍ଗରୋଧ କେନ୍ଦ୍ରରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କରାଯାଉ

ଭୁବନେଶ୍ବର : ପ୍ରବାସୀ ଶ୍ରମିକମାନେ ରହୁଥିବା ସଙ୍ଗରୋଧ କେନ୍ଦ୍ରଗୁଡ଼ିକରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କରିବାକୁ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଦାବି କରିଛନ୍ତି। ଏ ସମ୍ପର୍କରେ ‌ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଏକ ଚିଠି ଲେଖିଛନ୍ତି। ଏଥିରେ ଶ୍ରୀ ଷଡ଼ଙ୍ଗୀ ଦର୍ଶାଇଛନ୍ତି, ପ୍ରବାସୀ ଶ୍ରମିକମାନେ ଆସିଲା ପରେ ସଙ୍ଗରୋଧ କେନ୍ଦ୍ରଗୁଡ଼ିକ କିପରି ପରିଚାଳନା କରାଯିବ ସେ ସମ୍ପକର୍ରେ ସରପଞ୍ଚମାନଙ୍କୁ ଅବଗତ କରାଯାଇଥିଲା। ଫଳପ୍ରଦ ପରିଚାଳନା ପାଇଁ ସେମାନଙ୍କୁ ଜିଲ୍ଲାପାଳ କ୍ଷମତା ଦିଆଯାଇଥିଲା। କିନ୍ତୁ ସଙ୍ଗରୋଧ କେନ୍ଦ୍ରଗୁଡ଼ିକର ସୁରକ୍ଷା ବ୍ୟବସ୍ଥାକୁ ଆଦୌ ଗୁରୁତ୍ବ ଦିଆଯାଇ ନ ଥିଲା। ଫଳରେ ବିଭିନ୍ନ ସ୍ଥାନରେ ସଙ୍ଗରୋଧ କେନ୍ଦ୍ରର ଫାଟକ ଭାଙ୍ଗି ଅନ୍ତେବାସୀ ବାହାରକୁ ଆସୁଛନ୍ତି। ଏହା ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳାଉଛି। ସରକାରୀ ପରିଚାଳନା ଯୋଜନାରେ ଥିବା ତ୍ରୁଟିକୁ ଏହା ପଦାରେ ପକାଉଛି।

ଓଡ଼ିଶା ଆସିବା ପୂର୍ବରୁ ପ୍ରବାସୀମାନଙ୍କ କୋଭିଡ୍‌ ପରୀକ୍ଷାକୁ ଓଡ଼ିଶା ହାଇକୋର୍ଟ ବାଧ୍ୟତାମୂଳକ କରିଥିଲା ବେଳେ ସୁପ୍ରିମକୋର୍ଟ ତାହା ଉପରେ ରହିତାଦେଶ ଜାରି କରିଛନ୍ତି। ଗୃହ ମନ୍ତ୍ରଣାଳୟର ଗାଇଡ୍‌ଲାଇନ୍ ଅନୁଯାୟୀ ପ୍ରବାସୀ ଶ୍ରମିକ ନିଜ ନିଜ ରାଜ୍ୟକୁ ଫେରିବେ ବୋଲି କୁହାଯାଇଛି। ଏହି ନ୍ୟାୟିକା ପ୍ରକ୍ରିୟା ପରେ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ ରହୁଛି। ଏହି ପ୍ରସଙ୍ଗରେ ସ୍ପଷ୍ଟ ମତ ରଖିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ମନ୍ତ୍ରୀ କହିଛନ୍ତି। ତୁରନ୍ତ ଅନ୍ୟ ରାଜ୍ୟ ସହ ଯୋଗାଯୋଗ କରି ପ୍ରବାସୀଙ୍କୁ ଆଣିବାର ବନ୍ଦୋବସ୍ତ କରାଯାଉ। ସଙ୍ଗରୋଧ କେନ୍ଦ୍ରରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉ। ସଙ୍ଗରୋଧ କେନ୍ଦ୍ରର ନିକଟସ୍ଥ ଗ୍ରାମର ଲୋକଙ୍କୁ ସୁରକ୍ଷା ଦାୟିତ୍ବରେ ରଖିଲେ ତାହା ଅଧିକ ଫଳପ୍ରଦ ହେବ ବୋଲି ଶ୍ରୀ ଷଡ଼ଙ୍ଗୀ ପ୍ରସ୍ତାବ ଦେଇଛନ୍ତି।

ସମ୍ବନ୍ଧିତ ଖବର