ବାହାନଗାର ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା: ଆସିଲେ ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ୨ ମୁଖ୍ୟମନ୍ତ୍ରୀ, ୨ କେନ୍ଦ୍ରମନ୍ତ୍ରୀ

ବାହାନଗାରେ ମାଳମାଳ ମନ୍ତ୍ରୀ, ରାଜନେତା ଓ ଅଫିସର, ଅସ୍ଥାୟୀ ହେଲିପ୍ୟାଡ୍‌ରେ ଓହ୍ଲାଇ ପାରିଲେନି ଜୁନିୟର୍‌ ଷ୍ଟାଲିନ୍‌

ବାହାନଗା : ବାହାନଗାର ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏହି ଦୁର୍ଘଟଣାଜନିତ ପରିସ୍ଥିତି ଏବଂ ମୃତାହତଙ୍କୁ ଉଦ୍ଧାର କରିବା ପାଇଁ ଆହ୍ବାନକୁ ଦୃଷ୍ଟିରେ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତତ୍‌ପର ହୋଇ ଉଠିଥିଲେ। ନୂଆଦିଲ୍ଲୀଠ‌ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମୀକ୍ଷା କରିବା ପରେ ଘଟଣାସ୍ଥଳକୁ ଆସି ପରିଦର୍ଶନ କରିଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବି ଘଟଣାସ୍ଥଳକୁ ଛୁଟିଆସିଛନ୍ତି। ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ଣବ ବାଲେଶ୍ବରରେ ଡେରାପକାଇ ରହିଛନ୍ତି। ସେମାନଙ୍କ ବ୍ୟତୀତ ରାଜ୍ୟସ୍ତରର ବହୁନେତା ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ବୁଝିଛନ୍ତି।
ଶନିବାର ସକାଳ ୮ଟା ପୂର୍ବରୁ ଦୁର୍ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ତାଙ୍କ ସହିତ ରେଳବାଇ ବୋର୍ଡର ଅଧ୍ୟକ୍ଷ, ଦକ୍ଷିଣପୂର୍ବ ଓ ପୂର୍ବତଟ ରେଳବାଇର ବରିଷ୍ଠ ପଦାଧିକାରୀ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଉଭୟ ଟ୍ରେନ୍‌ର ସ୍ଥିତାବସ୍ଥା ଅନୁଧ୍ୟାନ କରିବା ସହ ଦୁର୍ଘଟଣାର ପୃଷ୍ଠଭୂମି ଓ କାରଣ ସଂପର୍କରେ ଆଲୋଚନା କରିଥିଲେ।ପୂର୍ବାହ୍ନ ୯ଟା ପାଖାପାଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଲିକପ୍ଟର ଯୋଗେ ଆସି ବାହାନଗା ହାଇସ୍କୁଲ ପଡ଼ିଆରେ ଓହ୍ଲାଇଥିଲେ। ସେଠାରୁ କାର୍‌ ଯୋଗେ ଦୁର୍ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କ ସହ ଆଲୋଚନା କରିଥିଲେ।

ଅପରାହ୍ନ ପ୍ରାୟ ୪ଟା ବେଳକୁ ପ୍ରଧାନମନ୍ତ୍ରୀ ମୋଦୀ ବାୟୁସେନାର ସ୍ବତନ୍ତ୍ର ଏମ୍‌ଆଇ ହେଲିକପ୍ଟର ଯୋଗେ ଆସି ବାହାନଗାର ଏକ ବିଲ ମଝିରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡ୍‌ରେ ଓହ୍ଲାଇଥିଲେ। ସେଠାରେ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଓ ରେଳ ବିଭାଗର ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଦୁର୍ଘଟଣାର ସ୍ଥିତି ଅନୁଧ୍ୟାନ କରିଥିଲେ। ଉଦ୍ଧାରକାରୀ ଦଳ ସହ କଥା ହୋଇ ସେମାନଙ୍କ ମନୋବଳ ବଢ଼ାଇଥିଲେ। ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ମଧ୍ୟାହ୍ନରେ ପହଞ୍ଚିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ ହେଲିକପ୍ଟରରେ ଆସି ବାହାନଗା ହାଇସ୍କୁଲ ଖେଳପଡ଼ିଆରେ ଓହ୍ଲାଇବା ପରେ ସେଠାରୁ କାର୍‌ ଯୋଗେ ଦୁର୍ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ତାଙ୍କ ସହ ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲ୍ଲୀପ ଘୋଷ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ପରେପରେ ଓଡ଼ିଶା ରାଜ୍ୟପାଳ ଗଣେଶୀ ଲାଲ ପହଞ୍ଚି ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଥିଲେ।

କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଆଜି ଦିନତମାମ ଦୁର୍ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର ଓ ମରାମତି କାର୍ଯ୍ୟ ତଦାରଖ କରିଥିଲେ। ତାଙ୍କ ସହ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବାଲେଶ୍ବର ସାଂସଦ ଶ୍ରୀ ଷଡ଼ଙ୍ଗୀ ରହିଥିଲେ। ସେହିପରି ଓଡ଼ିଶା ପିସିସି ପ୍ରଭାରୀ ସାଂସଦ ଡ.ଏ ଚେଲା କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସର ଯୁବନେତା ନବଜ୍ୟୋତି ପଟ୍ଟନାୟକ, ଦଳୀୟ ମୁଖପାତ୍ର ସୁଦର୍ଶନ ଦାସ, ପୂର୍ବତନ ପ୍ରଶାସକ ତଥା କଂଗ୍ରେସ ନେତା ବିଜୟ ପଟ୍ଟନାୟକ ଦୁର୍ଘଟଣାସ୍ଥଳ ବୁଲି ଦେଖିବା ସହ ଆତ୍ମୀୟଙ୍କୁ ହରାଇଥିବା ପରିବାରଙ୍କୁ ଭେଟି ସମବେଦନା ଜଣାଇଥିଲେ।

ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ଙ୍କ ପୁଅ ତଥା କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍‌ ମଧ୍ୟ ଦୁର୍ଘଟଣାସ୍ଥଳ ଅନୁଧ୍ୟାନ କରିବା ପାଇଁ ହେଲିକପ୍ଟରରେ ଆସିଥିଲେ। ତେବେ ସେହିସମୟରେ ହେଲି‌ପ୍ୟାଡ୍‌ରେ ମମତା ବାନାର୍ଜୀଙ୍କ ହେଲିକେପ୍ଟର ଥିବାରୁ ସେଠାରେ ଓହ୍ଲାଇ ନପାରି ବାଲେଶ୍ବର ରିଜର୍ଭ ଲାଇନ୍ ପୁଲିସ ପଡ଼ିଆରେ ଓହ୍ଲାଇଥିଲେ। ଶ୍ରୀ ଷ୍ଟାଲିନ୍ ବାଲେଶ୍ବର ଡାକ୍ତରଖାନା ଯାଇ ଚିକିତ୍ସିତ ହେଉଥିବା ଟ୍ରେନ୍ ଯାତ୍ରୀଙ୍କୁ ଭେଟିବା ସହ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜଳେଶ୍ବର ବିଧାୟକ ତଥା ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି, ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ , ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ାଙ୍କ ସହ ବହୁ ବିଧାୟକ ଓ ବରିଷ୍ଠ ନେତା ଆଜି ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହ ଚିକିତ୍ସାଧୀନ ଟ୍ରେନ୍ ଯାତ୍ରୀଙ୍କୁ ଭେଟି ସମବେଦନା ଜଣାଇଥିଲେ।

ସମ୍ବନ୍ଧିତ ଖବର