ପୁରୀ : ଚାରି ମାସ ବିତିଲା, ତଥାପି ଗଡ଼ିଲାନି ବସ, ୫ ହଜାର କର୍ମଚାରୀଙ୍କ ଜୀବିକା ବିପନ୍ନ

ପୁରୀ : ୪ ମାସ ବିତିଲା, ତଥାପି ଗଡ଼ିଲାନି ବସ। ଶ୍ରୀନ୍ଦିର ଭକ୍ତଙ୍କ ପାଇଁ ଖୋଲୁନାହିଁ କି ବସ ଗଡ଼ୁନାହିଁ। ଏଭଳି ସ୍ଥିତିରେ ପୁରୀ ଜିଲ୍ଲା‌ରେ ୫୦୦ ଘରୋଇ ବସ ଥୁଆ ‌ହୋଇ କଳଙ୍କି ଲାଗିଲାଣି। ଲୁଣି ପବନରେ ବସ ସବୁ ନଷ୍ଟ ହୋଇଗଲାଣି। ଏସି ବସ ସବୁ ଖରାପ ହୋଇଗଲାଣି। ଅଧିକାଂଶ ଗାଡ଼ିରୁ ବ୍ୟାଟେରି ବି ଚୋରି ହୋଇଗଲାଣି। ପରିସ୍ଥିତି ଯାହା ବସ ମାଲିକ ବସ୍‌ ଚଲାଇବା ଅବସ୍ଥାରେ ନାହାନ୍ତି। ସେ‌ପ୍ଟେମ୍ବର ମାସ ସୁଦ୍ଧା ବସ ଚଳାଚଳ ସ୍ବାଭାବିକ ହେଲା ଭଳି ଲାଗୁନାହିଁ ବୋଲି ରାଜ୍ୟ ବସ ମାଲିକ ସଂଘ ସଭାପତି ଲୋକନାଥ ପାଣି କହିଛନ୍ତି। ବସ ମାଲିକଙ୍କ ସହିତ ପୁରୀରେ ୫ ହଜାର କର୍ମଚାରୀ ଓ ରାଜ୍ୟରେ ୧୪ ହଜାର ବସ୍‌ର ୫୬ ହଜାର କର୍ମଚାରୀ ଖାଇବାକୁ ପାଉନାହାନ୍ତି। ସରକାର ସେମାନଙ୍କ ପାଇଁ ତୁରନ୍ତ କିଛି କରନ୍ତୁ ବୋଲି ସଭାପତି ଶ୍ରୀ ପାଣି ଦାବି କରିଛନ୍ତି।

କ‌ରୋନା କଟକଣା, ଲକଡାଉନ, ଅନକଲ ୧ ଓ ୨ରେ ବି ବସ ଚାଲୁନାହିଁ। ଅନ୍ୟ ଜିଲ୍ଲାରେ କାଁଭାଁ ବସ ଯାଉଥିବା ‌‌ବେଳେ ଏବେ ପୁଣି ବନ୍ଦ ହୋଇଗଲାଣି। ପୁରୀକୁ ବସ ଗଡ଼ୁନାହିଁ। ରାଜ୍ୟରେ ମୋଟ ୧୪ ହଜାର ବସ ମଧ୍ୟରୁ ପୁରୀକୁ ୩୦୦ ରୁଟ୍‌ରୁ ବସ ଓ ୨୦୦ ଟୁରିଷ୍ଟ ବସ ଯାଆସ କରିଥାଏ। ମାତ୍ର ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିଥିବାରୁ ବସ ଚାଲିପାରୁନାହିଁ। ଏବେ କରୋନା ବଢ଼ୁଥିବାରୁ ଆଗକୁ ମଧ୍ୟ ବସ ଚାଲିବ ନାହିଁ। ମାଲିକମାନେ ବସ ଚଳାଇବା ଅବସ୍ଥାରେ ଆଉନାହାନ୍ତି। ବସ ଏବେ ଚାଲିଲେ କାମ କରିବାକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଶ୍ରୀ ପାଣି କହିଛନ୍ତି। ରାଜ୍ୟରେ ମୋଟ ୧୪ ହଜାର ବସ ଚଳାଚଳ ପ୍ରଭାବିତ ହୋଇଛି। ଗୋଟିଏ ବସରେ ଅତି କମରେ ୪ ଜଣ କର୍ମଚାରୀଙ୍କୁ ହିସାବକୁ ନେଲେ ପ୍ରତ୍ୟକ୍ଷ ଭାବେ ଏହା ଉପରେ ନିର୍ଭର କରୁଥିବା ୫୬ ହଜାର ପରିବାରର ଜୀବନଜୀବିକା ବିପନ୍ନ ହୋଇଛି। ମାଲିକଙ୍କ ଠାରୁ ଦୈନିକ ପାରିଶ୍ରମିକ ନେଉଥିବା ବସ ଚାଳକ, ହେଲପର, ଖଲାସି ଓ କଣ୍ଡକ୍ଟର ପରିବାର ଏବେ ଖାଇବାକୁ ପାଉନାହାନ୍ତି। ବସ ଚାଳକ ଓ ହେଲପର ଏବେ ପରିବା ଓ ଅଣ୍ଡା ଦୋକାନ କରି ପରିବାର ଚଳାଉଛନ୍ତି। ବସ ଚାଳକ, ହେଲପର, କଣ୍ଡକ୍ଟର ଓ ଅନ୍ୟ କର୍ମଚାରୀଙ୍କ ସହିତ ଏଥିରେ ପରୋକ୍ଷ ଭାବେ ଜଡ଼ିତ କର୍ମଚାରୀଙ୍କ ଭରଣପୋଷଣ ପାଇଁ ସରକାର ବ୍ୟବସ୍ଥା ନ କଲେ କର୍ମଚାରୀମାନେ ଏ ବୃତ୍ତି ଛାଡ଼ିଦେବେ। ଏହା ଦ୍ବାରା ସମଗ୍ର ଶିଳ୍ପ ପ୍ରଭାବିତ ହେବ ବୋଲି ଶ୍ରୀ ପାଣି କହିଛନ୍ତି।

ସମ୍ବନ୍ଧିତ ଖବର