ଉପର ଚିକ୍କଣ, ଭିତରେ ଘୁଣ; ‘ଏ-୧’ରେ ସରକାରୀ ସ୍କୁଲ୍‌କୁ ଟପିଲେ ବେସରକାରୀ

ଅନୁଗୁଳ : ଅନୁଗୁଳ ଜିଲ୍ଲାର ୫-ଟି ଯୋଜନାରେ ସରକାରୀ ସ୍କୁଲ୍‌ଗୁଡ଼ିକର ରୂପ ବଦଳି ଯାଇଛି। ନୂଆ ବିଲ୍‌ଡିଂ ତିଆରି ହୋଇଛି। ନୂଆ ରଙ୍ଗ, ସ୍ମାର୍ଟ କ୍ଲାସ୍‌ ରୁମ୍‌ ସାଙ୍ଗକୁ ପିଲାଙ୍କ ପାଇଁ ସରକାର ସ୍ମାର୍ଟ ବ୍ଲାକ୍‌ବୋର୍ଡ ବି ଯୋଗାଇଛନ୍ତି। କେବଳ ସେତିକି ନୁହେଁ, ସ୍କୁଲ୍‌କୁ ଏଲ୍ଇଡି ଟିଭି, କମ୍ପ୍ୟୁଟର୍‌ ସହିତ ସ୍ମାର୍ଟ ଲାଇବ୍ରେରି ଓ ବିଜ୍ଞାନ ପରୀକ୍ଷାଗାର ମଧ୍ୟ ଖଞ୍ଜାଯାଇଛି। କିନ୍ତୁ, ସ୍କୁଲ୍‌ରେ ପାଠପଢ଼ାକୁ ନେଇ ପ୍ରଶ୍ନଚିହ୍ନ ଉଠିଛି। ଜିଲ୍ଲାରେ ଏଥର ୧୧୧ଜଣ ବିଦ୍ୟାର୍ଥୀ ‘ଏ-୧’ ଗ୍ରେଡ୍‌ ହାସଲ କରିଛନ୍ତି। ସେଥିରୁ ଅଧାରୁ ଅଧିକ ଜିଲ୍ଲାର ସାତଟି ବେସରକାରୀ ହାଇସ୍କୁଲ୍ ପୋଛି ନେଇଥିବା ବେଳେ ଜିଲ୍ଲାର ସରକାରୀ ହାଇସ୍କୁଲ ଭାଗରେ ପଡ଼ିଛି ମାତ୍ର ୪୪ଟି। ଏହି ଫଳାଫଳ ହିଁ ସରକାରୀ ହାଇସ୍କୁଲ୍‌ର ପାଠପଢ଼ା ବ୍ୟବସ୍ଥା କେମିତି ଚାଲିଛି ତାହା ସୂଚାଇ ଦେଉଛି।

ସୂଚନା ମୁତାବକ, ଚଳିତ ମାଟ୍ରିକ୍‌ ପରୀକ୍ଷାରେ ଜିଲ୍ଲାର ପ୍ରାୟ ୧୬ ହଜାରରୁ ଅଧିକ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିଲେ। ଜିଲ୍ଲାର ସରକାରୀ ହାଇସ୍କୁଲ୍‌ ସଂଖ୍ୟା ହେଲା ୨୪୧। ଏହି ବିଦ୍ୟାର୍ଥୀଙ୍କ ମଧ୍ୟରୁ ଅଧିକାଂଶ ଥିଲେ ସରକାରୀ ଉଚ୍ଚ ବିଦ୍ୟାଳୟର। ଜିଲ୍ଲା ଶିକ୍ଷା ବିଭାଗର ତଥ୍ୟ ମୁତାବକ, ଜିଲ୍ଲାରେ ୨୪୧ଟି ଓଡ଼ିଆ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ଥିବାବେଳେ ସେଥିରୁ ସରକାର ୨୨୪ଟି ହାଇସ୍କୁଲକୁ ୫-ଟି ଯୋଜନାରେ ରୂପାନ୍ତରିତ କରାଯାଇଛି। ଗଲା ମାଟ୍ରିକ୍‌ ପରୀକ୍ଷାରେ ଜିଲ୍ଲାର ଯେଉଁ ୧୬ହଜାରରୁ ଅଧିକ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିଲେ, ସେଥିରୁ ଅଧିକାଂଶ ଥିଲେ ଏହି ୫-ଟି ବିଦ୍ୟାଳୟର। ସ୍କୁଲ୍‌ର ଏପରି ପରିବର୍ତ୍ତନର ଫଳ ଚଳିତ ମାଟ୍ରିକ୍‌ ପରୀକ୍ଷାରେ ମିଳିବ ବୋଲି ସମସ୍ତଙ୍କ ଆଶା ଥିଲା। କିନ୍ତୁ, ଏଥର ଫଳ ସମସ୍ତଙ୍କୁ ନିରାଶ କରିଛି। ଜିଲ୍ଲାର ‘ଏ-୧’ ଫଳାଫଳକୁ ବିଚାର କଲେ, ମୋଟ୍ ୧୧୧ଜଣ ବିଦ୍ୟାର୍ଥୀଙ୍କ ମଧ୍ୟରୁ ୬୭ଜଣ ହେଉଛନ୍ତି ବେସରକାରୀ ବିଦ୍ୟାଳୟର। ସଫଳତାର ଅଧାରୁ ଅଧିକ ଭାଗ ବେସରକାରୀ ବିଦ୍ୟାଳୟ ଖାତାକୁ ଯାଇଛି।

ସମ୍ବନ୍ଧିତ ଖବର