ଦୁଇ ଘଣ୍ଟା ଅଚଳ ହୋଇଗଲା ଇଣ୍ଡିଗୋ ୱେବସାଇଟ୍‌ : ଭୁବନେଶ୍ବରରୁ ବିମାନ ଉଡ଼ାଣ ପ୍ରଭାବିତ

ଭୁବନେଶ୍ବର : ବିମାନ ଉଡ଼ାଣକାରୀ ସଂସ୍ଥା ଇଣ୍ଡିଗୋର ୱେବସାଇଟ୍‌ ଆଜି ପୂର୍ବାହ୍ନ ୯ଟା ୩୦ରୁ ୧୧ଟା ୩୦ ପର୍ଯ୍ୟନ୍ତ ଦୁଇ ଘଣ୍ଟା କାଳ ପୂରା ଅଚଳ ହୋଇ ଯାଇଥିଲା। କୌଣସି ଯାତ୍ରୀଙ୍କ ତଥ୍ୟ ଅପ୍‌ ଟୁ ଡେଟ୍‌ ହୋଇପାରି ନ ଥିଲା। ଫଳରେ ସାରା ଦେଶରେ ବହୁ ଇଣ୍ଡିଗୋ ବିମାନ ଉଡ଼ାଣ ପ୍ରଭାବିତ ହୋଇଥିବା ବେଳେ ଭୁବନେଶ୍ବର ବିମାନବନ୍ଦରରେ ମଧ୍ୟ ଦୁଇଟି ଇଣ୍ଡିଗୋ ବିମାନ ଉଡ଼ାଣ ପ୍ରଭାବିତ ହୋଇଛି।

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଇଣ୍ଡିଗୋ ବିମାନ ୬ଇ-୩୪୨ ସକାଳ ୯ଟା ୫୦ରେ ହାଇଦ୍ରାବାଦ ଯିବାକୁ ଥିବାବେଳେ ଏହା ୧୫ମିନିଟ ବିଳମ୍ବରେ ଛାଡ଼ିଥିଲା। ସେହିପରି ୬ଇ୬୩୧ ଇଣ୍ଡିଗୋ ବିମାନ ହାଇଦ୍ରାବାଦକୁ ପ୍ରାୟ ୧ଘଣ୍ଟା ୧୦ମିନିଟ ବିଳମ୍ବରେ ଛାଡ଼ିଥିଲା। ଏହି ବିମାନ ପୂର୍ବାହ୍ନ ୧୧ଟା ୪୦ରେ ଛାଡ଼ିବାକୁ ଥିବାବେଳେ ମଧ୍ୟାହ୍ନ ୧୨ଟା ୫୦ରେ ଛାଡ଼ିଥିଲା।

ତେବେ ଅନ୍ୟ କୌଣସି ବିମାନ ଉଡ଼ାଣକାରୀ ସଂସ୍ଥାର ବିମାନ କି ଅନ୍ୟ ଇଣ୍ଡିଗୋ ବିମାନଗୁଡ଼ିକର ଉଡ଼ାଣ ପ୍ରଭାବିତ ହୋଇ ନ ଥିଲା।

ସମ୍ବନ୍ଧିତ ଖବର