ୱାଟ୍‌କୋରେ ସାମିଲ୍‌ ହେବ ପୁରୀ, କଟକ

ଭୁବନେଶ୍ବର : ଜଳ ନିଗମ ବା ୱାଟ୍‌କୋରେ ପୁରୀ ଓ କଟକ ସହର ସାମିଲ୍‌ ହେବ। ଏନେଇ ଖୁବ୍‌ ଶୀଘ୍ର ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ। ଏବେ ୱାଟ୍‌କୋ ଭୁବନେଶ୍ବର, ଜଟଣୀ ଓ ଖୋର୍ଦ୍ଧା ସହରରେ ଜଳ ଯୋଗାଣ କରୁଥିବାବେଳେ ଆଗକୁ ଏଥିରେ ପୁରୀ ଓ କଟକ ସହରକୁ ସାମିଲ୍‌ କରିବାକୁ ଜନସ୍ବାସ୍ଥ୍ୟ ବିଭାଗ ସ‌ର୍ବୋଚ୍ଚ ଯନ୍ତ୍ରୀ ଆଜି ନଗର ଉନ୍ନୟନ ବିଭାଗ ପ୍ରୁମଖ ସଚିବଙ୍କୁ ଚିଠି ଲେଖିଛନ୍ତି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ଏପ୍ରିଲରୁ ଏହି ଦୁଇଟି ସହରରେ ୱାଟ୍‌କୋ ଜଳ ଯୋଗାଣ କରିବ। ଏବେ ୱାଟ୍‌କୋ ଯେଉଁ ଅଞ୍ଚଳରେ ‌ଜଳ ଯୋଗାଣ କରୁଛି ସେଠାରେ ଜନସ୍ବାସ୍ଥ୍ୟ ବିଭାଗ ସରକାରୀ କୋଠା ଓ କ୍ବାର୍ଟର୍ସର ମରାମତି କରୁଛି। ୱାଟ୍‌କୋ ମାଧ୍ୟମରେ ରାଜ୍ୟର ସମସ୍ତ ସହରାଞ୍ଚଳରେ ୨୪ଘଣ୍ଟିଆ ଜଳ ଯୋଗାଣ କରିବାକୁ ଯୋଜନା ହୋଇଥିବାବେଳେ ଏବେ ସୁଦ୍ଧା ଭୁବନେଶ୍ବରରେ ବି ଏହା ସମ୍ଭବ ହୋଇନି। ୱାଟ୍‌କୋ ଯେଉଁ ଅଞ୍ଚଳରେ କାର୍ଯ୍ୟକାରୀ ହେବ ସେଠାରେ ଲୋକଙ୍କ ଘରେ ପାଣି ମିଟର ଲାଗିବ। ଯିଏ ଯେତେ ପାଣି ବ୍ୟବହାର କରିବେ ସେମାନଙ୍କୁ ସେତେ ଅଧିକ ଟଙ୍କା ଗଣିବାକୁ ହେବ। ୟୁନିଟ ହିସାବରେ ପାଣି ବିଲ୍‌ ‌ଦେବେ।

ସମ୍ବନ୍ଧିତ ଖବର