ଦେବୋତ୍ତର ଅଧିନିୟମରୁ ମୁକ୍ତ ହେଲା ପୁରୀ ଗୋବର୍ଦ୍ଧନ ମଠ

ଓଡ଼ିଶା ହିନ୍ଦୁ ଦେବୋତ୍ତର (ସଂଶୋଧନ) ବିଧେୟକ,୨୦୧୯ ପାରିତ

ବିଧେୟକକୁ ନେଇ ଅସନ୍ତୋଷ ଝାଡ଼ିଲେ କଂଗ୍ରେସ ବିଧାୟକ ଦଳ ନେତା
ମନ୍ତ୍ରୀ କହିଲେ ଶଙ୍କରାଚାର୍ଯ୍ୟ ମଠ ସହ କୌଣସି ଆର୍ଥିକ ଦେଣନେଣ ସରକାର କରନ୍ତିନି
ରାଜ୍ୟପାଳଙ୍କ ଅନୁମୋଦନ ଆବଶ୍ୟକ ନାହିଁ
ତାଲିକାଭୁକ୍ତ ମଠ-ମନ୍ଦିରର ହିସାବ ଯାଞ୍ଚ ପାଇଁ ଅଧିକ ପଦବି ପୂରଣ କରାଯିବ

ଭୁବନେଶ୍ବର : ପୁରୀ ଗୋବର୍ଦ୍ଧନ ମଠକୁ ଦେବୋତ୍ତର ଅଧିନିୟମରୁ ବାଦ ଦିଆଗଲା। ବିଧାନସଭାରେ ଓଡ଼ିଶା ହିନ୍ଦୁ ଦେବୋତ୍ତର (ସଂଶୋଧନ) ବିଧେୟକ,୨୦୧୯ ପାରିତ କରି ପୁରୀ ଶଙ୍କରାଚାର୍ଯ୍ୟ ମଠକୁ ସବୁ ଦିନ ପାଇଁ ସରକାରୀ ବ୍ୟବସ୍ଥାରୁ ମୁକ୍ତ କରାଯାଇଛି। କିନ୍ତୁ ବିଧେୟକ ଆଲୋଚନା ବେଳେ ଗୃହରେ କଂଗ୍ରେସ ବିଧାୟକ ଦଳ ନେତା ଯାହା ଆପତ୍ତି ଉଠାଇଲେ ତାକୁ ସରକାର ଚିରାଚରିତ ଭାବେ ଖଣ୍ଡନ କରିଛନ୍ତି। ଦେବୋତ୍ତର ବିଭାଗ ଅଧୀନରେ ତାଲିକାଭୁକ୍ତ ମଠ ମନ୍ଦିରର ଆୟବ୍ୟୟ ହିସାବ ନିକାଶ ଦେବୋତ୍ତର ବିଭାଗକୁ ପ୍ରଦାନ କରାଯାଉଥିବା ବେଳେ ଗତ ୧୦ ବର୍ଷ ଧରି ପୁରୀ ଗୋବର୍ଦ୍ଧନ ମଠ ତାର ଆୟବ୍ୟୟ ହିସାବ ପ୍ରଦାନ କରିନି। ଖାଲି ସେତିକି ନୁହେଁ, ଶ୍ରୀ ମିଶ୍ର ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ସ୍ବୀକୃତି ନେଇ ପ୍ରଶ୍ନ ଉଠାଇଥିଲେ।

ତେବେ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ ଦେବୋତ୍ତର କମିସନରଙ୍କ ଅଧୀନରେ ରାଜ୍ୟର ୧୮ ହଜାର ମଠ-ମନ୍ଦିର ରହିଛି। ପୁରୀ ଶ୍ରୀ ମନ୍ଦିର ନୀତିକାନ୍ତି ସହ ପୁରୀ ଗୋବର୍ଦ୍ଧନ ମଠର ସମ୍ପର୍କ ରହିଛି। ବିଶେଷକରି ରଥଯାତ୍ରା ସମୟରେ ପୁରୀ ଶଙ୍କରାଚାର୍ଯ୍ୟ ପହଣ୍ଡି ବିଜେ ପରେ ପ୍ରଥମ ଭକ୍ତ ଭାବେ ସେବା କରିବାର ଅଧିକାର ମିଳିଛି। ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦ୍ବାରା ପ୍ରତିଷ୍ଠିତ କର୍ଣ୍ଣାଟକର ଶ୍ରୀଙ୍ଗେରୀ ମଠ, ଗୁଜୁରାଟର ଦ୍ବାରକା ମଠ ଓ ଉତ୍ତରାଖଣ୍ଡର ଯୋଶୀ ମଠକୁ ସମ୍ପୃକ୍ତ ରାଜ୍ୟ ସରକାରମାନେ ଦେବୋତ୍ତର ଅଧିନିୟମରୁ ମୁକ୍ତ କରିସାରିଛନ୍ତି। ପୁରୀ ଗୋବର୍ଦ୍ଧନ ମଠକୁ ଦେବୋତ୍ତର କମିସନରଙ୍କ ନିୟନ୍ତ୍ରଣରୁ ମୁକ୍ତ କରିବା ପାଇଁ ମଧ୍ୟ ବହୁତ ଦିନରୁ ଦାବି ହୋଇ ଆସୁଥିଲା। ତେଣୁ ସନାତନ ଧର୍ମର ପୁରୋଧା ଭାବରେ ପୁରୀ ଗୋବର୍ଦ୍ଧନ ମଠକୁ ଦେବୋତ୍ତର ଅଧିନିୟମ,୧୯୫୧ରୁ ମୁକ୍ତ କରିବାକୁ ସରକାର ଏହି ସଂଶୋଧନ ବିଧେୟକ ଆଣିଛନ୍ତି। ମଠ-ମନ୍ଦିରର ହିସାବ ଯାଞ୍ଚ କରିବା ପାଇଁ ଦେବୋତ୍ତର କମିସନରେ ଆବଶ୍ୟକ ପଦବି ପୂରଣ କରିବାକୁ ସରକାର ପଦକ୍ଷେପ ନେବେ ବୋଲି ଗୃହରେ ଆଇନ ମନ୍ତ୍ରୀ ଶ୍ରୀ ଜେନା ପ୍ରତିଶ୍ରୁତି ଦେଇଥିଲେ।

ଦେବୋତ୍ତର ସଂଶୋଧନ ବିଧେୟକ ଉପରେ ଆଲୋଚନା ଆରମ୍ଭ କରି କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର ଆପତ୍ତି ଉଠାଇ କହିଥିଲେ ଯେ ମୂଳ ଦେବୋତ୍ତର ଆଇନରେ ବ୍ୟବସ୍ଥା ରହିଛି, ପ୍ରତ୍ୟେକ ତାଲିକାଭୁକ୍ତ ମଠ କିମ୍ବା ମନ୍ଦିର ସେମାନଙ୍କ ଆୟବ୍ୟୟ ସମ୍ପର୍କିତ ହିସାବ ଦେଦୋତ୍ତର କମିସନରଙ୍କ ପାଖରେ ନିର୍ଦ୍ଧାରିତ ଫର୍ମରେ ଦାଖଲ କରିବେ। ଆୟର ୫% ଦେବୋତ୍ତର କମିସନଙ୍କ କାର୍ଯ୍ୟାଳୟର ଖର୍ଚ୍ଚ ବାବଦରେ ଦାଖଲ କରିବେ। ମୂଳ ଆଇନରେ ଆର୍ଥିକ କାରବାର ସଂକ୍ରାନ୍ତ ବ୍ୟବସ୍ଥା ରହିଛି। ସାମ୍ବିଧାନିକ ନିୟମାନୁଯାୟୀ, କୌଣସି ଆର୍ଥିକ ସଂକ୍ରାନ୍ତ ବିଧେୟକ ବିଧାନସଭାକୁ ଆସିବା ପୂର୍ବରୁ ରାଜ୍ୟପାଳଙ୍କ ଅନୁମୋଦନ ନେବା ବାଞ୍ଛନୀୟ। କିନ୍ତୁ ଏହି ସଂଶୋଧନ ବିଧେୟକ ପାଇଁ ସରକାର ରାଜ୍ୟପାଳଙ୍କ ଅନୁମୋଦନ ନେଇନାହାନ୍ତି। ଖାଲି ସେତିକି ନୁହେଁ ଖୋଦ ସରକାର ସ୍ପଷ୍ଟ କରିଛନ୍ତି ଯେ ଗତ ୧୦ ବର୍ଷ ଧରି ପୁରୀ ଶଙ୍କରାଚାର୍ଯ୍ୟ ମଠ ଟ୍ରଷ୍ଟି ତାର ଆୟବ୍ୟୟ ହିସାବ ଦେବୋତ୍ତର କମିସନରଙ୍କୁ ପ୍ରଦାନ କରିନାହିଁ। ଶ୍ରୀ ମିଶ୍ର ଗୋବର୍ଦ୍ଧନ ମଠ ଟ୍ରଷ୍ଟି ତଥା ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ସାଙ୍ଗିଆକୁ ନେଇ ପ୍ରଶ୍ନ ଉଠାଇଥିଲେ। କହିଥିଲେ, ପୂର୍ବ ଶଙ୍କରାଚାର୍ଯ୍ୟ ନିରଞ୍ଜନ ଦେବତୀର୍ଥଙ୍କ ଉଇଲ ବଳରେ ନିଶ୍ଚଳା ନନ୍ଦ ସରସ୍ବତୀ ପୀଠାଧୀଶ ହୋଇଛନ୍ତି। ନିରଞ୍ଜନ ଦେବତୀର୍ଥଙ୍କ ଦ୍ବାରା କରାଯାଇଥିବା ଉଇଲୁ ପଢ଼ି ଶ୍ରୀ ମିଶ୍ର ଦର୍ଶାଇଥିଲେ ଯେ ଉଇଲରେ ସ୍ପଷ୍ଟ ଉଲ୍ଲେଖ ରହିଛି, ନିଶ୍ଚଳାନନ୍ଦ ସରସ୍ବତୀ ପୁରୀ ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ପଦରେ ଅଭିଷିକ୍ତ ହେବା ପରେ ତାଙ୍କ ସାଙ୍ଗିଆ ଦେବତୀର୍ଥ ହେବ। କିନ୍ତୁ ଏବେବି ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ବୋଲି ପରିଚିତ। ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ଶିକ୍ଷା, ଜାତି ନେଇ ମଧ୍ୟ କିଛି ବ୍ୟବସ୍ଥାବଳୀ ସମ୍ମତ ପ୍ରମାଣ ମିଳୁନି। ଏସବୁ ଦୃଷ୍ଟିରୁ ପୁରୀ ଶଙ୍କରାଚାର୍ଯ୍ୟଙ୍କ ସ୍ବୀକୃତି ଏବେ ପ୍ରଶ୍ନ ଘେରରେ। ଏଭଳି ଜଣେ ବ୍ୟକ୍ତି ହାତରେ ଅଚଳାଚଳ ସମ୍ପତ୍ତିକୁ ସରକାରୀ ନିୟନ୍ତ୍ରଣରୁ ମୁକ୍ତ କରିଦେବା ଯଥାର୍ଥ ହେବନି। ଏତେସବୁ ପ୍ରମାଣ ଉପସ୍ଥାପନ କରିବା ପରେ ଯଦି ସରକାର ଚେତୁନାହାନ୍ତି ତାହେଲେ ଏ ଗୃହ ବିଚାର କରୁ ବୋଲି କହି ଶ୍ରୀ ମିଶ୍ର କହିଥିଲେ।

ଆଲୋଚନାରେ ଭାଗ ନେଇ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଥିଲେ ଯେ ପୁରୀ ଶଙ୍କରାଚାର୍ଯ୍ୟଙ୍କ ସ୍ବୀକୃତିକୁ ନେଇ ବର୍ତ୍ତମାନ ସମୟରେ ପ୍ରଶ୍ନ ଉଠାଇବା ଠିକ୍ ନୁହେଁ। ଜଗଦଗୁରୁ ନିଶ୍ଚଳନାନନ୍ଦ ସରସ୍ବତୀ ପୁରୀ ମଠାଧୀଶ ବୋଲି ବିଚାରାଳୟରେ ମଧ୍ୟ ପୂର୍ବରୁ ପ୍ରମାଣିତ ହୋଇଛି। କିନ୍ତୁ ହିନ୍ଦୁ ଦେବୋତ୍ତର କମିସନ ଆଇନର ଧାରା ୧୭ ଅନୁଯାୟୀ, ପ୍ରତ୍ୟେକ ମଠ-ମନ୍ଦିର ସେମାନଙ୍କ ଆୟବ୍ୟୟର ହିସାବ ଦେବୋତ୍ତର କମିସନଙ୍କ ପାଖରେ ଦାଖଲ କରିବେ। ସେହି ଆଇନର ଧାରା ୧୮ ଅନୁଯାୟୀ, ଦେବୋତ୍ତର କମିସନରଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ନିୟମିତ ତାଲିକାଭୁକ୍ତ ମଠ-ମନ୍ଦିର ଗସ୍ତ କରି ସମ୍ପତ୍ତି ଓ ଆୟବ୍ୟୟ ଯାଞ୍ଚ କରିବେ। କିନ୍ତୁ ଯାଞ୍ଚ ପାଇଁ ଦେଦୋତ୍ତର କମିସନଙ୍କ କାର୍ଯ୍ୟାଳୟରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ଓ ଅଧିକାରୀଙ୍କ ଅଭାବ ରହିଛି। ତେଣୁ କର୍ମଚାରୀ ଓ ଅଧିକାରୀଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବା ଦରକାର। ପୂର୍ବରୁ ଅନେକ ବିଧେୟକ ରାଜ୍ୟପାଳଙ୍କ ବିନା ଅନୁମୋଦନରେ ଏ ଗୃହରେ ପାରିତ ହେବା ନଜିର ରହିଛି ବୋଲି ଶ୍ରୀ ଶତପଥୀ କହିଥିଲେ।

ସଦସ୍ୟମାନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ ପୁରୀ ଗୋବର୍ଦ୍ଧନ ମଠକୁ ଆଜି ପର୍ଯ୍ୟନ୍ତ ସରକାର ଟଙ୍କାଟିଏ ଦେଇନାହାନ୍ତି କି ଦେବାପାଇଁ ବ୍ୟବସ୍ଥା ନାହିଁ। ପୁରୀ ଶଙ୍କରାଚାର୍ଯ୍ୟ ମଠାଧୀଶ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ସ୍ବୀକୃତି ନେଇ ସରକାର ସଂଶୋଧନ ବିଧେୟକ ଆଣିନାହାନ୍ତି। ସେ ଦୃଷ୍ଟିରୁ ଏହି ବିଧେୟକ ପାଇଁ ରାଜ୍ୟପାଳଙ୍କ ଅନୁମୋଦନ ନେବାର ଆବଶ୍ୟକତା ନାହିଁ। ଗୋବର୍ଦ୍ଧନ ମଠର ମର୍ଯ୍ୟାଦା ଦୃଷ୍ଟିରୁ ଦେବୋତ୍ତର ଅଧିନିୟମରୁ ବାଦ ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ସ୍ବୀକୃତି ନେଇ କଂଗ୍ରେସ ବିଧାୟକ ଦଳ ନେତା ଉଠାଇଥିବା ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଜେନା କହିଥିଲେ ୧୯୯୫ ମସିହା ଜୁଲାଇ ୧ ତାରିଖରେ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ତତ୍କାଳୀନ ଦେବୋତ୍ତର କମିସନର ସ୍ବୀକୃତି ପ୍ରଦାନ କରିସାରିଛନ୍ତି। ଏପରି ସଂଶୋଧନ କେବଳ ପୁରୀ ଗୋବର୍ଦ୍ଧନ ମଠ ପାଇଁ ଉଦ୍ଦିଷ୍ଟ। ବିଜେ଼ଡି ବିଧାୟକ ଅମର ପ୍ରସାଦ ଶତପଥୀ ଦେଇଥିବା ପ୍ରସ୍ତାବ ଅନୁଯାୟୀ ଦେବୋତ୍ତର କମିସନରଙ୍କ କାର୍ଯ୍ୟାଳୟ ପାଇଁ ଅଧିକ କର୍ମଚାରୀ ଓ ଅଧିକାରୀ ନିଯୁକ୍ତି କରିବା ନେଇ ଆଗାମୀ ଦିନରେ ସରକାର ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ମନ୍ତ୍ରୀଙ୍କ ଉତ୍ତର ପରେ ଗୃହରେ ଓଡ଼ିଶା ହିନ୍ଦୁ ଦେବୋତ୍ତର (ସଂଶୋଧନ) ବିଧେୟକ,୨୦୧୯ ପାରିତ ହୋଇଥିଲା।ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପ୍ରଫୁଲ ସାମଲ ଓ ତାରା ପ୍ରସାଦ ବାହିନୀପତି ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର