କମ୍ପିଲା ବାଲିଯାତ୍ରା ପଡ଼ିଆ, ମତୁଆଲା କଲେ ଦଲେର ମେହେନ୍ଦୀ

ଅସମ୍ଭାଳ ଭିଡ଼, ବ୍ୟବସାୟ ରେକର୍ଡ ଟପିଲା, ପଥୋତ୍ସବରେ ଓଡ଼ିଆ ଗୀତ ଗାଇଲେ ଏନ୍‌ଡିଆର୍‌ଏଫ୍‌ ଡିଜି

କଟକ : ଐତିହାସିକ କଟକ ବାଲିଯାତ୍ରାର ପଞ୍ଚମ ସଂଧ୍ୟାରେ ଆଜି ଜମିଥିଲା ଅସମ୍ଭାଳ ଭିଡ଼। ବାଲିଯାତ୍ରା ପଡ଼ିଆକୁ ଯାଉଥିବା ସହରର ସବୁ ରାସ୍ତା ଜାମ୍ ହୋଇଯାଇଥିଲା। ବାଲିଯାତ୍ରାର ପଞ୍ଚମ ସଂଧ୍ୟାର ପ୍ରମୁଖ ଆକର୍ଷଣ ଥିଲେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଦଲେର ମେହେନ୍ଦୀ। ରାତି ଦଶଟା ପର୍ଯ୍ୟନ୍ତ ଗଣକବି ବୈଷ୍ଣବ ପାଣି ମଞ୍ଚରେ ଦଲେରଙ୍କ ସୋ’ ଚାଲିଥିବାବେଳେ ସଂଗୀତର ତାଳେତାଳେ ନୃତ୍ୟ କରିଥିଲେ ହଜାର ହଜାର ଦର୍ଶକ। ନିଜର ଅନେକ ଲୋକପ୍ରିୟ ଗୀତ ଗାଇ ସେ ଦର୍ଶକଙ୍କ ଭରପୂର ମନୋରଞ୍ଜନ କରିଥିଲେ। ଦଲେରଙ୍କ ସହ ତାଙ୍କ ପତ୍ନୀ ଓ ଛୋଟ ଝିଅ ମଧ୍ୟ ଆଜି ବାଲିଯାତ୍ରାକୁ ଆସିଥିଲେ। ତାଙ୍କ ସୋ ସରିବା ପରେ ବି ପଡ଼ିଆରେ ବିଳମ୍ବିତ ରାତି ଯାଏ ଭିଡ଼ ଜମି ରହିଥିଲା।

ଅନ୍ୟପଟେ ଆଜି ସକାଳେ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ପଥୋତ୍ସବରେ ଯୋଗ ଦେଇଥିଲେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନ୍‌ଡିଆରଏଫ୍‌)ର ମହାନିର୍ଦ୍ଦେଶକ ସତ୍ୟନାରାୟଣ ପ୍ରଧାନ। ଶ୍ରୀ ପ୍ରଧାନ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ସହିତ ନିଜେ ଓଡ଼ିଆ ଗୀତ ଗାଇ ଉପସ୍ଥିତ ଦର୍ଶକଙ୍କୁ ଚକିତ କରି ଦେଇଥିଲେ। ଜିଲ୍ଲାପାଳ ଭବାନୀଶଙ୍କର ଚୟନୀଙ୍କ ଆବାହକତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରେସ ଦିବସ ପାଇଁ ସ୍ବତନ୍ତ୍ର ଆଲୋଚନାଚକ୍ର ପଡ଼ିଆରେ ଅନୁଷ୍ଠିତ ହୋଇଥିଲା। ବାଲିଯାତ୍ରା ଆଜି ପଞ୍ଚମ ଦିନରେ ପହଞ୍ଚି ଥିବାବେଳେ ଆଜି ସବୁଠୁ ଅଧିକ ଭିଡ଼ ହୋଇଥିଲା। ପଡ଼ିଆରେ ବ୍ୟବସାୟ ବି ଖୁବ୍ ଜମିଥିଲା। ରେକର୍ଡ ଅନୁଯାୟୀ ବାଲିଯାତ୍ରା ତଳପଡ଼ିଆରେ ଗତକାଲି ଓରମାସ ପରିସରରେ ୧ କୋଟି ୮୯ ଲକ୍ଷ ୩୩ ହଜାର ୯୭୦ ଟଙ୍କାର ବ୍ୟବସାୟ ହୋଇଛି। ପୂରା ପଡିଆରେ ଏହି ବ୍ୟବସାୟ ପରିମାଣ ଗତକାଲି ୬ କୋଟି ଟଙ୍କାରୁ ଅଧିକ ହୋଇଥିବା ଆକଳନ କରାଯାଉଛି। ବାଲିଯାତ୍ରା ଆସନ୍ତା ୨୦ ତାରିଖ ଯାଏ ହେବାକୁ ଥିବା ବେଳେ ଆସନ୍ତାକାଲି ରବିବାର ଥିବାରୁ ଭିଡ଼ ଓ ବ୍ୟବସାୟ ରେକର୍ଡ ଟପିବ ବୋଲି ଆକଳନ କରାଯାଉଛି। ଆସନ୍ତାକାଲି ବାଲିଯାତ୍ରାର ଗଣକବି ବୈଷ୍ଣବ ପାଣି ମଞ୍ଚରେ ବଲିଉଡ୍‌ର ଲୋକପ୍ରିୟ ଓଡ଼ିଆ କଣ୍ଠଶିଳ୍ପୀ ସୋନା ମହାପାତ୍ରଙ୍କ ସୋ’ ଥିବା ବେଳେ ଏଥିପାଇଁ ସ୍ବତନ୍ତ୍ର ପ୍ରସ୍ତୁତି ହୋଇଛି। ଭିଡ଼ ନିୟନ୍ତ୍ରଣ ପାଇଁ କଟକ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ସମ୍ବନ୍ଧିତ ଖବର