ଶ୍ରୀଜଗନ୍ନାଥଙ୍କ ଆଶିଷ ଲାଭ କରି ଆମ ଦେଶ ଅଭିବୃଦ୍ଧି ଓ ବିକାଶର ଶୀର୍ଷରେ ପହଞ୍ଚୁ: ଦ୍ରୌପଦୀ ମୁର୍ମୁ

ପୁରୀ/ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ଦୁଇ ଦିନିଆ ଓଡ଼ିଶା ଗସ୍ତ ଅବସରରେ ଶ୍ରୀକ୍ଷେତ୍ର ଯାଇ ମହାପ୍ରଭୁଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି। ମହାପ୍ରଭୁଙ୍କୁ ଦର୍ଶନ କରିବା ଓ ଗଜପତି ମହାରାଜାଙ୍କ ସହିତ ମହାପ୍ରସାଦ ସେବନ କରିବା ସହିତ ଏକାଧିକ ଅଭୁଲା ସ୍ମୁତି ଛାଡ଼ି ଯାଇଛନ୍ତି। ସେ କୌଳିକ ପଣ୍ଡାଙ୍କ ଯାତ୍ରୀଖାତାରେ ଦର୍ଶନ ଅନୁଭୂତି ସାଉଁଟି ଓଡ଼ିଆ ହସ୍ତାକ୍ଷର କରି ଆଉ ଏକ ଇତିହାସ ଯୋଡିଛନ୍ତି । ଯାତ୍ରୀଖାତାରେ ରାଷ୍ଟ୍ରପତି ଲେଖିଛନ୍ତି, ‘ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଦା ମୂରତି ଏବଂ ପାର୍ଶ୍ବ ଦେବଦେବୀଙ୍କୁ ଦର୍ଶନ କରି ନିଜକୁ ସୌଭାଗ୍ୟବତୀ ମନେ କରୁଛି। ଓଡ଼ିଆ ଜାତିର ପରମ ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରଣିପାତ କରି ମୁଁ ଏକ ବିରଳ ଓ ଦିବ୍ୟ ଅନୁଭୂତି ଲାଭ କରିଛି। ମହାପ୍ରଭୁ ଆଦିବାସୀମାନଙ୍କର ଦାରୁଦେବତା ଏବଂ ସମଗ୍ର ବିଶ୍ବବ୍ରହ୍ମାଣ୍ଡ ଠାକୁର। ମାନବଜାତିର କଲ୍ୟାଣ ପାଇଁ ମୁଁ ତାଙ୍କ ନିକଟରେ ବିନମ୍ର ପ୍ରାର୍ଥନା କରୁଛି। ଶ୍ରୀଜଗନ୍ନାଥଙ୍କ ଆଶିଷ ଲାଭ କରି ଆମ ଦେଶ ଅଭିବୃଦ୍ଧି ଓ ବିକାଶର ଶୀର୍ଷରେ ପହଞ୍ଚୁ। ଏହା ମୋର କାମନା।’

ଶ୍ରୀକ୍ଷେତ୍ର ଗସ୍ତ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବଡ଼ଦାଣ୍ଡରେ ଭାବବିହ୍ବଳ ହୋଇପଡ଼ିଥିଲେ। ପୁରୀ ବଡ଼ଦାଣ୍ଡରେ ଚାଲି ଚାଲି ଶ୍ରୀମନ୍ଦିରକୁ  ଆସିଲେ ଓଡ଼ିଶା ମାଟିର ଝିଅ। ସେ ଆଜି ତାଳବଣିଆ ହେଲିପ୍ଯାଡରୁ ଓହ୍ଲାଇବା ପରେ କାରରେ ଶ୍ରୀମନ୍ଦିରକୁ ଆସୁଥିବା ବେଳେ ମେଡିକାଲ ଛକରେ କାରରୁ ଓହ୍ଲାଇଥିଲେ। ସେଠାରେ ମହାବାହୁଙ୍କୁ ହାତଟେକି ନିଜର ଭକ୍ତିଭାବ ପ୍ରଦର୍ଶନ କରିଥିଲେ। ସେ ସେଠାରୁ ଚାଲି ଚାଲି ଆସିଥିଲେ। ବାଟରେ ଏକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ କିଛି ସମୟ ଲାଗି ମିଶିଥିଲେ।

ରାଷ୍ଟ୍ରପତି ସିଂହଦ୍ବାର ସମ୍ମୁଖରେ ଶ୍ରୀଜିଉଙ୍କୁ ଭୂମିରେ ମୁଣ୍ଡ ଲଗାଇ ପ୍ରଣିପାତ କରିଥିଲେ। ଏସବୁ ଦୃଶ୍ୟ ସାରା ଓଡ଼ିଶାବାସୀଙ୍କୁ ଅଭିଭୂତ କରିଛି। ତାଙ୍କ ସହ ରାଜ୍ୟପାଳ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଡାକ୍ତର ସମ୍ବିତ ପାତ୍ର ଓ ରାଷ୍ଟ୍ରପତିଙ୍କ କନ୍ୟା ପ୍ରମୁଖ ବି ଥିଲେ। ସିଂହଦ୍ବାର ନିକଟରେ ଗଜପତି ଦିବ୍ୟସିଂହ ଦେବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ଅରୁଣ ସ୍ତମ୍ଭଙ୍କୁ ଛୁଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ।

ସମ୍ବନ୍ଧିତ ଖବର