ପୁରୀ-ସୋନପୁର ସାପ୍ତାହିକ ଏକ୍ସପ୍ରେସ ଆରମ୍ଭ: ଝାରତରଭା-ସୋନପୁର ରେଳଲାଇନ ଲୋକାର୍ପିତ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାବାସୀଙ୍କ ବହୁ ଦିନ ପ୍ରତୀକ୍ଷାର ଅନ୍ତ ଘଟିଛି। ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଝାରତରଭାରୁ ସୋନପୁର ପର୍ଯ୍ୟନ୍ତ ୩୦୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ୨୧.୭ କିଲୋମିଟର ରେଳପଥକୁ ସମ୍ବଲପୁର ଆଇଆଇଏମ୍‌ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ମାଧ୍ୟମରେ ଲୋକାର୍ପଣ କରିଛନ୍ତି। ସେହିପରି ପୁରୀ-ସୋନପୁର- ପୁରୀ ସାପ୍ତାହିକ ଏକ୍ସପ୍ରେସ ଟ୍ରେନ୍‌ର ମଧ୍ୟ ଆରମ୍ଭ କରିଛନ୍ତି। ଏହି ସମୟରେ ରାଜ୍ୟପାଳ ରଘୁବାର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପ୍ରମୁଖ ଉପସ୍ଥିତଥିଲେ।

ସେହିପରି ସୋନପୁର ରେଳ ଷ୍ଟେସନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରେଳ ବିଭାଗର ବରିଷ୍ଠ ଡିପିଓ ଜେ. କେ. ଅନସାରୀ, ବରିଷ୍ଠ ଡିଏମ୍‌ଇ ଦୀପକ ପରେଶ ପୁରିଆ, ବରିଷ୍ଠ ଡିଇଇଓପି ବିନାୟକ ବେହେରା, ଡିଓଏମ୍‌ ସନ୍ଦୀପ କୁମାର, ସିଡିଓ ଆଦିତ୍ୟ ସେଠୀ ପ୍ରମୁଖ ଉପସ୍ଥିତଥିଲେ। ପୁରୀ-ସୋନପୁର ରେଳପଥ ୫୪୨ କିମି ଦୈର୍ଘ୍ୟ ରହିଛି। ଏହି ସାପ୍ତାହିକ ଏକ୍ସପ୍ରେସ ଖୋର୍ଦ୍ଧା ରୋଡ, ଭୁବନେଶ୍ବର, ନରାଜ ମାର୍ଥାପୁର, ଢେଙ୍କାନାଳ, ତାଳଚେର, ଅନୁଗୁଳ, ବୋଇଣ୍ଡା, ରେଢ଼ାଖୋଲ, ସମ୍ବଲପୁର, ବରଗଡ଼ ରୋଡ଼, ବଲାଙ୍ଗୀର, ବିଛୁପାଲି, ଝାରତରଭା ଓ ନରସିଂହଗଡ଼ ଆଦି ଷ୍ଟେସନରେ ରହିବା ନେଇ ସୂଚନା ‌ଦିଆଯାଇଛି। ପୁରୀ-ସୋନପୁର ଏକ୍ସପ୍ରେସ ଟ୍ରେନ୍‌ ନଂ-୧୮୪୨୧ ଆସନ୍ତା ୮ ତାରିଖ ଦିନ ଆସିବ ଓ ସୋନପୁର-ପୁରୀ ଏକ୍ସପ୍ରେସ ଟ୍ରେନ୍‌ ନଂ-୧୮୪୨୨ ଆସନ୍ତା ୯ ତାରିଖ ଦିନ ଯିବା ନେଇ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର