ରାଜ୍ୟରେ ଆଉ ୨ ଦିନ ବର୍ଷା

ଭୁବନେଶ୍ୱର : ଆସନ୍ତା ୨ ଦିନ ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ଏଥିସହ କିଛି ସ୍ଥାନରେ ଅତିପ୍ରବଳ ବର୍ଷା ହୋଇପାରେ। ଏହା ପରେ ୨୫ ତାରିଖଠାରୁ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ ବୋଲି ଆଞ୍ଚଳିକ ପାଣିପାଗ ଗବେଷଣା କେନ୍ଦ୍ର ପକ୍ଷରୁ କୁହାଯାଇଛି।

କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ବାସ କହିଛନ୍ତି, ବର୍ତ୍ତମାନ ମୌସୁମୀ ଟ୍ରାଫ୍‌ ପୂର୍ବ ମୁହାଁ ବିହାରରୁ ବଙ୍ଗୋପସାଗର ଆଡ଼କୁ ଗତି କରୁଛି। ଫଳରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସ୍ବାଭାବିକ ରହିବ। ଏହି ସମୟରେ ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ନୂଆପଡ଼ା, କନ୍ଧମାଳ, ଅନୁଗୁଳ, ବୌଦ୍ଧ, ବଲାଙ୍ଗୀର, ମାଲକାନଗିରି, କଳାହାଣ୍ଡି, ସୋନପୁର, ନବରଙ୍ଗପୁର, ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୪ ତାରିଖ ଅପରାହ୍ନରୁ ୨୫ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ନୂଆପଡ଼ା, ବଲାଙ୍ଗୀର, ନବରଙ୍ଗପୁର, ବୌଦ୍ଧ ଓ ଅନୁଗୁଳ ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏହାପରେ ରାଜ୍ୟରେ ବିଶେଷ ବର୍ଷା ନାହିଁ।

କେନ୍ଦ୍ରର ସୂଚନା ମୁତାବକ, ୧ ଜୁନ୍‌ରୁ ୨୩ ଜୁଲାଇ ପର୍ଯ୍ୟନ୍ତ ରାଜ୍ୟରେ ସମୁଦାୟ ୪୪୭.୨ ମିମି ବର୍ଷା ହୋଇଛି। ସ୍ବାଭାବିକ ଭାବେ ଏହି ସମୟ ମଧ୍ୟରେ ରାଜ୍ୟରେ ମୋଟ ୪୬୭.୨ ମିମି ବର୍ଷା ହୋଇଥାଏ। ଅର୍ଥାତ୍‌ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪% ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି। କିନ୍ତୁ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ବର୍ଷା ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ଦୁଇଟି ଜିଲ୍ଲା ଯଥା ଝାରସୁଗୁଡ଼ା ଓ ନୂଆପଡ଼ା ଜିଲ୍ଲାରେ ୨୦ ପ୍ରତିଶତରୁ ଅତିରିକ୍ତ ବର୍ଷା ହୋଇଯାଇଛି। ବାକି ୧୯ ଜିଲ୍ଲାରେ ବର୍ଷାର ପରିମାଣ ସ୍ବାଭାବିକ ଥିବା ବେଳେ ୯ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ଜଣାପଡ଼ିଛି। ଉପକୂଳରେ ଜୁନ୍‌ ମାସରୁ ନିଅଣ୍ଟିଆ ବର୍ଷା ପରିସ୍ଥିତି ଉପୁଜିଥିବା ବେଳେ ଲଗାତାର ଦେଢ଼ ମାସ ଧରି ଏହି ପରିସ୍ଥିତି ଲାଗି ରହିଛି। ଉପକୂଳର ପୁରୀ, ଖୋର୍ଧା, ଯାଜପୁର, କଟକ, କେନ୍ଦ୍ରାପଡ଼ା, ବାଲେଶ୍ବର, ଭଦ୍ରକ, ଜଗତସିଂହପୁର ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ସୋନପୁର ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରାୟ ଅଞ୍ଚଳରେ ବର୍ଷା ହୋଇଛି। କିଛି ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇଛି। ନବରଙ୍ଗପୁର ଜିଲ୍ଲାରେ ଝରିଗାଁରେ ୧୬୦.୦ ମିମି ସର୍ବାଧିକ ବର୍ଷା ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ବଣାଇଗଡ଼ରେ ୧୫୮.୦ ମିମି, ନୂଆପଡ଼ା ଜିଲ୍ଲାରେ ସିନାପଲ୍ଲୀ ୧୪୬.୦ ମିମି ଓ କଳାହାଣ୍ଡି ଜିଲ୍ଲା କୋକସରାରେ ୧୩୫. ୨ ମିମି ବର୍ଷା ରେକର୍ଡ ହୋଇଛି। ଏଥିସହ କଟକ, କଳାହାଣ୍ଡି, ବରଗଡ଼, ଦେବଗଡ଼, ନୂଆପଡ଼ା, ସୁନ୍ଦରଗଡ଼, ବଲାଙ୍ଗୀର ଓ ରାୟଗଡ଼ା ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି।

ସମ୍ବନ୍ଧିତ ଖବର