ରାଜ୍ୟସଭା ସମାଚାର…

ସାଂସଦ ପାଣ୍ଠିକୁ ପୂର୍ବାବସ୍ଥାକୁ ଅଣାଯାଉ: ବିଜେଡି
ନୂଆଦୀଲ୍ଲୀ : କରୋନା ଜନିତ ଖର୍ଚ୍ଚକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସାଂସଦ ପାଣ୍ଠିକୁ ଦୁଇ ବର୍ଷ ପାଇଁ ସ୍ଥଗିତ ରଖିଛନ୍ତି। ତେବେ, ଏହାକୁ ନାପସନ୍ଦ କରିଛି ବିଜେଡି। ସାଂସଦ ପାଣ୍ଠିକୁ ପୂର୍ବାବସ୍ଥାକୁ ଫେରାଇ ଆଣିବା ପାଇଁ ଆଜି ରାଜ୍ୟସଭାରେ ଦଳର ନେତା ପ୍ରସନ୍ନ ଆଚାର୍ଯ୍ୟ ଦାବି କରିଛନ୍ତି।

ସାଂସଦମାନଙ୍କ ଦରମା, ଭତ୍ତା ଏବଂ ପେନସନ(ସଂଶୋଧନ) ବିଲ୍-୨୦୨୦ ଉପରେ ଆଜି ରାଜ୍ୟସଭାରେ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ ଭାଗନେଇ ସାଂସଦ ଶ୍ରୀ ଆଚାର୍ଯ୍ୟ କହିଥିଲେ ଯେ, ସାଂସଦମାନଙ୍କ ଦରମା କାଟ୍ ନିଷ୍ପତ୍ତି ସ୍ବାଗତ୍ଯୋଗ୍ୟ। ମାତ୍ର, ସାଂସଦ ପାଣ୍ଠି ବନ୍ଦ ନିଷ୍ପତ୍ତି ଠିକ୍ ନୁହେଁ। ସାଂସଦ ପାଣ୍ଠିକୁ ସରକାର କେଉଁଠାରେ ଖର୍ଚ୍ଚ କରିଛନ୍ତି, ତାହାର କୌଣସି ସୂଚନା ନ ଥିବାର ସେ କହିଥିଲେ।

ସମ୍ବଲପୁରରେ ରେଳବାଇର ବଜେଟ୍ ହୋଟେଲ ପ୍ରତିଷ୍ଠା ପ୍ରସ୍ତାବ ନାହିଁ
ନୂଆଦୀଲ୍ଲୀ : ରେଳବାଇ ଦ୍ୱାରା ସମ୍ବଲପୁରରେ ବଜେଟ୍ ହୋଟେଲ ପ୍ରତିଷ୍ଠା କରାଯିବାର କୌଣସି ପ୍ରସ୍ତାବ ନାହିଁ। ଆଜି ରାଜ୍ୟସଭାରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କର ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ରେଳ, ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପିୟୁଷ ଗୋଏଲ ଏହି ସୂଚନା ଦେଇଛନ୍ତି। ଅପରପକ୍ଷେ ପୂର୍ବତଟ ରେଲୱେ ଦ୍ୱାରା ୬ଟି ଷ୍ଟେସନ୍- କଟକ, ତାଳଚେର, ରାୟଗଡ଼ା, ବ୍ରହ୍ମପୁର, ସମ୍ବଲପୁର ଓ ଭୁବନେଶ୍ୱରରେ ବହୁ କାର୍ଯ୍ୟାତ୍ମକ କମ୍ପ୍ଲେକ୍ସ (ଏମଏଫସି) ସ୍ଥାପନ କରିବାର ପ୍ରସ୍ତାବ ରହିଛି। କଟକ ଷ୍ଟେସନର ଏମଏଫ୍‌ସି ପାଇଁ ବୁଝାମଣା ବାତିଲ ଯୋଗୁଁ ମାମଲା ବର୍ତ୍ତମାନ ଆଇନ ପ୍ରକ୍ରିୟାରେ ରହିଥିବାବେଳେ ତାଳଚେର ଏମଏଫ୍‌ସି ପ୍ରସ୍ତାବ ଜମି ଉପଲବ୍ଧ ନହେବା ଯୋଗୁ ସ୍ଥଗିତ ରଖାଯିବାର ଯୋଜନା ରହିଛି। ସମ୍ବଲପୁର ଷ୍ଟେସନରେ ଏମଏଫ୍‌ସି ସାଇଟର ନିର୍ମାଣ ଅଗ୍ରଗତି କରିଥିବାବେଳେ ଭୁବନେଶ୍ୱର ଷ୍ଟେସନରେ ପୁନଃବିକାଶ ଯୋଜନା ପାଇଁ କାର୍ଯ୍ୟକୁ ସ୍ଥଗିତ ରଖାଯାଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି।

‘ଓଡ଼ିଶାରେ ସଂଖ୍ୟାଲଘୁଙ୍କ ଜନଗଣନା ହେଉ’
ନୂଆଦୀଲ୍ଲୀ : ଓଡିଶାରେ ସଂଖ୍ୟାଲଘୁଙ୍କର ଜନଗଣନା କରାଯାଉ। ଆଜି ରାଜ୍ୟସଭାର ଶୂନ୍ୟକାଳରେ ବିଜେଡି ସାଂସଦ ମୁଜିବୁଲ୍ଲା ଖାନ ଏହି ଦାବି କରିଛନ୍ତି।

ପ୍ରଥମଥର ପାଇଁ ରାଜ୍ୟସଭାର ଶୂନ୍ୟକାଳରେ ଭାଗନେଇ ମୁଜିବୁଲ୍ଲା କହିଥିଲେ, ଗତ ୪୦ ବର୍ଷରୁ ଓଡିଶାରେ ସଂଖ୍ୟାଲଘୁ ମାନଙ୍କର ଜନସଂଖ୍ୟା ୨ ରୁ୩ ପ୍ରତିଶତ ରହିଥିବା କୁହାଯାଉଛି। ଏହାକୁ ଗ୍ରହଣୀୟ ନୁହେଁ। ଜନଗଣନାରେ ନିଶ୍ଚିତ ଭାବେ କିଛି ବ୍ୟତିକ୍ରମ ରହିଛି, ଯାହାକୁ ସଂଶୋଧନ କରାଯିବାର ଆବଶ୍ୟକତା ରହିଛି। ଅନ୍ୟଥା ଅଧିକ ଲୋକ ରହିବେ ତଥା କମ୍ ଲୋକଙ୍କ ତାଲିକା ପ୍ରସ୍ତୁତ ହେବ । ଏଥିସହିତ, ବିଭିନ୍ନ ସରକାରୀ ଯୋଜନାରୁ ସେମାନେ ବଞ୍ଚିତ ହେବେ।

ହୋମିଓପାଥି ସଂଶୋଧନ ବିଲ୍‌କୁ ବିଜେଡିର ସମର୍ଥନ
ନୂଆଦୀଲ୍ଲୀ : ଆଜି ରାଜ୍ୟସଭାରେ ଗୃହୀତ ହୋଇଥିବା ହୋମିଓପାଥି ସେଣ୍ଟ୍ରାଲ କାଉନସିଲ (ସଂଶୋଧନ) ବିଲ୍-୨୦୨୦କୁ ବିଜୁ ଜନତା ଦଳ (ବିଜେଡି) ସମର୍ଥନ କରିଛି। ବିଲ୍‌ର ଆଲୋଚନାରେ ଭାଗ ନେଇଥିଲେ ରାଜ୍ୟସଭାରେ ବିଜେଡିର ନେତା ପ୍ରସନ୍ନ ଆଚାର୍ଯ୍ୟ। ସେ ବିଲ୍କୁ ସମର୍ଥନ କରିଥିଲେ ମଧ୍ୟ ଷ୍ଟାଣ୍ଡିଂ କମିଟିର ଗୁରୁତ୍ବପୂର୍ଣ୍ଣ ସୁପାରିଶକୁ ବିଲ୍ରେ ଅନ୍ତର୍ଭୁକ୍ତ କରାଯାଇନାହିଁ ବୋଲି ଅଭିଯୋଗ କରିଥିଲେ।

ଶ୍ରମ ଆଇନ ପରିବର୍ତ୍ତନ ପାଇଁ କେନ୍ଦ୍ର ଲୋଡ଼ିଲା ଅନୁମତି
ନୂଆଦିଲ୍ଲୀ : ଶ୍ରମ ଆଇନ ପରିବର୍ତ୍ତନ ପାଇଁ ଓଡ଼ିଶା ସମେତ ୧୩ଟି ରାଜ୍ୟ ନିକଟରୁ ଅନୁମତି ଲୋଡ଼ାଯାଇଛି। ଆଜି ରାଜ୍ୟସଭାରେ ଏକ ଲିଖିତ ଉତ୍ତର ଦେଇ କେନ୍ଦ୍ର ଶ୍ରମ ଓ ନିୟୋଜନ ରାଷ୍ଟ୍ରମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାର ଏହି ସୂଚନା ଦେଇଛନ୍ତି।

କୌଶଳ ବିକାଶ ଯୋଜନାରେ ଓଡ଼ିଶାରୁ ୩,୭୫,୦୮୪ ଜଣ ପ୍ରଶିକ୍ଷିତ
ନୂଆଦିଲ୍ଲୀ : ଗତ ତିନି ବର୍ଷ (୨୦୧୭-୨୦୧୯-୨୦)ରେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଅନ୍ତର୍ଗତ ଓଡ଼ିଶାରେ ମୋଟ ୩୭୫୦୮୪ ଜଣ ପ୍ରଶିକ୍ଷିତ ହୋଇଛନ୍ତି।

ସେଥିମଧ୍ୟରୁ ୨୦୧୭-୧୮ରେ ୬୬,୨୬୦ ଜଣ ପ୍ରଶିକ୍ଷିତ ହୋଇଥିବାବେଳେ ୨୦୧୮-୧୯ରେ ୯୩,୨୫୮ ଜଣ ଓ ୨୦୧୯-୨୦ରେ ସର୍ବାଧିକ ୨,୧୫,୫୬୬ ଜଣ ପ୍ରଶିକ୍ଷିତ ହୋଇଛନ୍ତି। ଅପରପକ୍ଷେ ଓଡ଼ିଶାର ଆଇଟିଆଇ ମାନଙ୍କରେ ଗତ ତିନି ବର୍ଷରେ ଦକ୍ଷତା ବିକାଶ ଟ୍ରେନିଂ ପାଇଁ ମୋଟ ୧୦,୯୮୨୯ ଜଣ ନାମ ଲେଖାଇଥିଲେ। ବିଜେଡି ସାଂସଦ ଡଃ ସସ୍ମିତ ଏକ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରେ କେନ୍ଦ୍ର ଦକ୍ଷତା ବିକାଶ ରାଷ୍ଟ୍ରମନ୍ତ୍ରୀ ଆର୍ କେ ସିଂହ ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର