ନିଆରା ପହିଲି ରଜ: ମାନସିକ ରୋଗରେ ପୀଡ଼ିତା ଓ ଭତ୍ତା ହିତାଧକାରୀ ପିଠା ଖାଇ ଖେଳିଲେ ଦୋଳି

ମାଲକାନଗିରି: ମାନସିକ ରୋଗରେ ପୀଡିତ ହୋଇ ଥଇଥାନ କେନ୍ଦ୍ରରେ ରହିଛନ୍ତି। ପରିବାର ବୋଲି କେହି ନାହିଁ, ଜଣେ ଏଠି ଆଉ ଜଣଙ୍କର ପରିବାର ସଦସ୍ୟ ସାଜିଛନ୍ତି। ଓଡ଼ିଆ ପର୍ବ ରଜ ଆସିଲେ ଘରେ ମହିଳାମାନ‌େ ନୂଆ ପୋଷାକ ପିନ୍ଧିବା ସହ ପିଠାପଣା ଖାଇଥାନ୍ତି। ପାନ ଖାଇବା ସହ ସାଙ୍ଗସାଥୀ ସହ ଦୋଳି ଖେଳି ମଜା ନେଇଥାନ୍ତି। ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ବୁଧବାର ରଜ ପାଳନ ହୋଇଥିବା ବ‌େଳେ ଦୁଇଟି ସ୍ଥାନରେ ନିଆରା ଢ଼ଙ୍ଗରେ ପହିଲି ରଜ ପାଳିତ ହୋଇଛି। ମାଲକାନିଗିରି ପୌରାଞ୍ଚଳରେ ମାନସିକ ରୋଗରେ ପୀଡ଼ିତ ଅସହାୟ ମହିଳମାନେ ମିସନ ଆଶ୍ରା କେନ୍ଦ୍ରରେ ପହିଲି ରଜ ପାଳିଥିବା ବ‌େଳେ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ନେବା ପାଇଁ ଆସିଥିବା ହିତାଧିକାରୀଙ୍କୁ ପୋଡ଼ପିଠା ଖୁଆଇ ରଜ ଦୋଳିରେ ଖେଳାଇଛନ୍ତି ମାଥିଲି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ।

ମାଲକାନଗିରି ପୌରପାଳିକା ଅନ୍ତର୍ଗତ କୋଭିଡ୍ ହସ୍ପିଟାଲ ଠାରେ ମିଶନ ଆଶ୍ରା କେନ୍ଦ୍ର ରହିଛି। ରାଜ୍ୟ ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ସଶକ୍ତିକରଣ ଓ ଜିଲ୍ଲା ପ୍ରଶାସନର ସହଯୋଗ‌େ ପିପୁଲସ୍ ଫୋରମ କେନ୍ଦ୍ରକୁ ପରିଚାଳନା କରୁଛି। ଏଠାରେ ୧୩ ଜଣ ମାନସିକ ରୋଗରେ ପୀଡିତ ଅସହାୟ ମହିଳା ରହିଛନ୍ତି। ସେଠାରେ ପହିଲି ରଜ ପାଳନ ପାଇଁ ପୋଡପିଠା ସହ ଅନ୍ୟାନ ପିଠା କରାଯାଇଛି। ମହିଳାମାନ‌େ ନୂତନ ପୋଷାକ ପିନ୍ଧିବା ସହ ମିଠା ପାନ ଖାଇଛନ୍ତି। ରଜ ଦୋଳିକୁ ଅତି ସୁନ୍ଦର ଭାବରେ ସାଜସଜ୍ଜା କରାଯାଇଥିବା ବ‌େଳେ ଅନ୍ତେବାସୀମାନ‌େ ଦୋଳି ଖେଳିଛନ୍ତି। ଏଥିସହ ନୃତ୍ୟ କରି ପହିଲି ରଜର ଖୁବ୍ ମଜ୍ଜା ନେଇଛନ୍ତି। ଏଥିସହ ରଜ ପର୍ବ ଅବସରରେ ସେମାନଙ୍କ ପାଇଁ ଆଜି ସ୍ବତନ୍ତ୍ର ବ୍ୟଞ୍ଜନ ପ୍ରଦାନ କରାଯାଇଛି। ନିଜର ପରିବାର ବୋଲି ସେଠାରେ କେହି ନଥିବା ବେଳ‌େ ବେଶ୍ ଖୁସିରେ ରଜ ପାଳନ କରିଛନ୍ତି। ରଜପର୍ବ ପାଳନ ବେଳେ ମାଲକାନଗିରି ସିଡିଏମ୍ଓ ଡା. ପ୍ରଫୁଲ କୁମାର ନନ୍ଦ, ଡା. ଦୁର୍ଗା ପ୍ରସାଦ ରାଜ୍, ରାଜୀବ ପୂଜାରୀ, ପ୍ରକାଶ କୁମାର ସାହୁ, କେନ୍ଦ୍ରର ଅଧିକ୍ଷକ ଲିପ୍ସା ମିଶ୍ର ଓ କାଉନସିଲର ମଧୁସ୍ମିତା ମେଦିନିରାୟ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

ସେହିପରି ମାଥିଲି ବ୍ଲକର ମାଥିଲି ଗ୍ରାମପଞ୍ଚାୟତରେ ଏଭଳି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ପଞ୍ଚାୟତ କାର୍ଯ୍ୟାଳୟରେ ଆଜି ଭତ୍ତା ଟଙ୍କା ବଣ୍ଟନ କରାଯାଉଥିବା ବେଳେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ବୃଦ୍ଧବୃଦ୍ଧାମାନେ ଆସିଥିଲେ। ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ନେବା ପରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ମହରଣା ସେମାନଙ୍କୁ ପୋଡପିଠା ଓ ପାନ ଖୁଆଇଛନ୍ତି। ଏଥିସହ ବୃଦ୍ଧ ଓ ବୃଦ୍ଧାମାନଙ୍କୁ ଦୋଳିରେ ବସାଇ ରଜ ଉତ୍ସବକୁ ପାଳନ କରିଛନ୍ତି। ଭତ୍ତା ହିତାଧିକାରୀମାନ‌େ ପଞ୍ଚାୟତ କାର୍ଯ୍ୟାଳୟରେ ବେଶ୍ ଖୁସିରେ ରଜ ପର୍ବକୁ ପାଳନ କରିଛନ୍ତି। ଏଥିରେ ସରପଞ୍ଚ କାନାମରାଜୁ ନାୟକ ଓ ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝୀ ଓ ସ୍ବଂୟ ସହାୟକ ଗୋଷ୍ଠୀର ମହିଳାମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର