ତାମିଲନାଡ଼ୁରେ ତଦନ୍ତ ପାଇଁ ଏବେ ସିବିଆଇକୁ ନେବାକୁ ହେବ ରାଜ୍ୟ ସରକାରଙ୍କ ଅନୁମତି

ଚେନ୍ନାଇ : ତାମିଲନାଡୁରେ ଶାସନ କରୁଥିବା ଡିଏମକେ ସରକାରରେ ଶକ୍ତି ଓ ଅବକାରୀ ମନ୍ତ୍ରୀ ଭି ସେନ୍ଥିଲ ବାଲାଜୀଙ୍କୁ ଇଡି ଗିରଫ ହେବା ପରେ ରାଜ୍ୟ ସରକାର କେନ୍ଦ୍ରୀୟ ଏଜେନ୍ସିକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ତାମିଲନାଡୁରେ କୌଣସି ମାମଲାର ତଦନ୍ତ ପାଇଁ ସିବିଆଇକୁ ରାଜ୍ୟ ସରକାରଙ୍କ ଅନୁମତି ଆବଶ୍ୟକ ହେବ ।  ତାମିଲନାଡୁ ଗୃହ ବିଭାଗ ବୁଧବାର ଏକ ନିର୍ଦ୍ଦେଶ ଜାରି କରି କହିଛି ଯେ ତାମିଲନାଡୁରେ  କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ସାଧାରଣ ସମ୍ମତି ପ୍ରତ୍ୟାହାର କରିନିଆଯାଇଛି ।

ତେବେ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଇଡି କିମ୍ବା ଜାତୀୟ ତଦନ୍ତକାରୀ ସଂସ୍ଥାର ତଦନ୍ତକୁ ପ୍ରଭାବିତ କରିବ ନାହିଁ । ଏହା ପୂର୍ବରୁ ପଶ୍ଚିମବଙ୍ଗ, ଛତିଶଗଡ଼, ତେଲେଙ୍ଗାନା, ପଞ୍ଜାବ ଓ ରାଜସ୍ଥାନ ସମେତ ୯ଟି ରାଜ୍ୟ ଏହି ପଦକ୍ଷେପ ନେଇସାରିଛନ୍ତି । ଏଣୁ ଏହା କରିବାରେ ତାମିଲନାଡୁ ୧୦ମ ରାଜ୍ୟ ହୋଇଛି ।

ସୂଚନାଯୋଗ୍ୟ ଯେ ତାମିଲନାଡୁ ପରିବହନ ବିଭାଗରେ ହୋଇଥିବା ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ବୁଧବାର ମନ୍ତ୍ରୀ ବାଲାଜୀଙ୍କୁ ଗିରଫ କରିଥିଲା । ବାଲାଜୀ ୨୦୧୪-୧୫ରେ ଏହି କଥିତ ଦୁର୍ନୀତି ସମୟରେ ଏଆଇଏଡିଏମକେରେ ଥିଲେ ଏବଂ ସେତେବେଳେ ସେ ପରିବହନ ମନ୍ତ୍ରୀ ଥିଲେ।

ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ନେତୃତ୍ୱାଧୀନ ସରକାରରେ ବାଲାଜୀ ହେଉଛନ୍ତି ପ୍ରଥମ ମନ୍ତ୍ରୀ ଯିଏ କି କେନ୍ଦ୍ରୀୟ ଏଜେନ୍ସିର ଏଭଳି କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ କହିଛନ୍ତି ଯେ ବାଲାଜୀ ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ଦୀର୍ଘ ସମୟ ଧରି ପଚରାଉଚରାର ଆବଶ୍ୟକତା କ’ଣ ଥିଲା ? ଇଡିର ଏଭଳି ଅମାନୁଷିକ କାର୍ଯ୍ୟ ଯଥାର୍ଥ କି?

 

ସମ୍ବନ୍ଧିତ ଖବର