ରାୟଗଡ଼ା ସୀମା ସିଲ୍ କଲା ପ୍ରଶାସନ

ବିଦେଶରୁ ଫେରିଥିବା ୩୪ ଜଣରୁ ୨୪ ସୁସ୍ଥ

ଜେକେପୁର, ବିଷମକଟକ, କାଶୀପୁରରେ ଖୋଲିବ ସ୍ବତନ୍ତ୍ର ଡାକ୍ତରଖାନା
ସ୍ବାସ୍ଥ୍ୟ ଓ ପୂର୍ତ୍ତ ଅଧିକାରୀଙ୍କ ସହ ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ, ଏସପି

ରାୟଗଡ଼ା : କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଆଜି ମଧ୍ୟରାତ୍ରିରୁ ଓଡ଼ିଶା ଲକ୍ ଡାଉନ୍ ଘୋଷଣା କରିବା ପରେ ରାୟଗଡ଼ା ଜିଲ୍ଲା ସୀମା ସିଲ୍ କରିଛି ପ୍ରଶାସନ। କେବଳ ଅତ୍ୟାବଶ୍ୟକ ମାଲବାହୀ ଗାଡ଼ିକୁ ଛାଡ଼ିଲେ ଅନ୍ୟ କୌଣସି ଗାଡ଼ି ଚଳାଚଳ ନ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦେଶାବଳୀ ଜାରି ହୋଇଛି। ହୋମ୍ କ୍ବାରାଣ୍ଟାଇନରେ ଥିବା ସମସ୍ତଙ୍କ ଉପରେ ତୀକ୍ଷଣ ନଜର ରଖିଛି ସ୍ବାସ୍ଥ୍ୟ ବିଭାଗ। ବିଦେଶରୁ ରାୟଗଡ଼ାକୁ ଫେରିଥିବା ୩୪ ଜଣଙ୍କ ମଧ୍ୟରୁ ୨୪ଜଣଙ୍କ ହୋମ୍ କ୍ବାରାଣ୍ଟିନ୍ ଶେଷ ହୋଇଥିବା ବେଳେ ସମସ୍ତେ ସୁସ୍ଥ ଥିବା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସୂଚନା ଦେଇଛନ୍ତି।

ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୯୯୫ଜଣ ହୋମ୍ କ୍ବାରାଣ୍ଟିନରେ ଅଛନ୍ତି। ପ୍ରତିଦିନ ବାହାର ରାଜ୍ୟରୁ ଲୋକେ ଗାଁ ମୁହାଁ ହେଉଥିବାରୁ ଏହି ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ୧୩ ତାରିଖରୁ ଜିଲ୍ଲାରେ କ୍ବାରାଣ୍ଟିନ୍ ବ୍ୟବସ୍ଥା ଆରମ୍ଭ ହୋଇଥିବା ବେଳେ ୧୧ବ୍ଲକରେ ସଙ୍ଗରୋଧ କେନ୍ଦ୍ର ଖୋଲାଯାଇଛି। ୩୪ଟି ରାପିଡ୍ ରେସପନ୍ସ ଟିମ୍ ଏ ଦିଗରେ କାମ କରୁଛନ୍ତି। ପରିସ୍ଥିତିକୁ ଆଖି ଆଗରେ ରଖି ଜିଲ୍ଲାର ଜେକେପୁର, ବିଷମକଟକ, କାଶୀପୁରରେ ସ୍ବତନ୍ତ୍ର କରୋନା ଡାକ୍ତରଖାନା ଖୋଲିବାକୁ ପ୍ରଶାସନ ଆଜି ନିଷ୍ପତ୍ତି ନେଇଛି। ଏହି ସମସ୍ତ ସ୍ଥାନରେ ସ୍ବତନ୍ତ୍ର ଡାକ୍ତରଖାନା ପାଇଁ ଭିତ୍ତିଭୂମି କେମିତି ରହିଛି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର୍ତବନ୍ଧୁ ନାୟକ, ପୂର୍ତ୍ତ ନିର୍ବାହୀ ଅଧିକାରୀ ଇଂ. ପ୍ରିୟବ୍ରତ ସାମନ୍ତରାୟ, ଇଂ. ସୀମାଦ୍ରି ନାୟକ, ସହକାରୀ ଶ୍ରମ କମିଶନର୍ ପ୍ରଶାନ୍ତ ତ୍ରିପାଠୀଙ୍କ ସହ ଜିଲ୍ଲାପାଳ ସ୍ଥିତି ସମୀକ୍ଷା କରିଛନ୍ତି। ଜେକେପୁରରେ ଥିବା ଇଏସ୍ଆଇ ହସ୍‌ପିଟାଲକୁ ସ୍ବତନ୍ତ୍ର ଡାକ୍ତରଖାନା ଭାବେ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳ ନିର୍ଦେଶ ଦେବା ପରେ ସ୍ବାସ୍ଥ୍ୟ ଓ ପୂର୍ତ୍ତ ବିଭାଗ ଟିମ୍ ଇଏସଆଇ ହସ୍‌ପିଟାଲ୍ ପରିଦର୍ଶନ କରିଛନ୍ତି।

ସତର୍କତା ଓ ସଚେତନତା ମାଧ୍ୟମରେ କରୋନାକୁ ରୋକିବାକୁ ରାଜ୍ୟ ସରକାର ଆଜି ବଡ଼ ନିଷ୍ପତ୍ତି ପରେ ଆସନ୍ତାକାଲିଠୁ ପୂରା ଜିଲ୍ଲା ଲକ୍ ଡାଉନ୍ କରିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ। ବସ୍, ଟ୍ରେନ୍ ଚଳାଚଳ ପରେ ସମସ୍ତ ଦୋକାନ, ବଜାର ବନ୍ଦ ରଖିବାକୁ ନିର୍ଦେଶ ହୋଇଛି। ଅତି ଆବଶ୍ୟକ ନଥିଲେ ଘରୁ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ ଦେଇଛି ପ୍ରଶାସନ। ଆସନ୍ତା ୩୧ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଏହି କଟକଣା ଲାଗୁ କରାଯାଇଛି। ଅପରାହ୍ନରେ ଜିଲ୍ଲାପାଳ ଶ୍ରୀ ବେହେରା, ଏସପି ଡା. ଶର୍ବଣା ବିବେକ ଏମ୍ ସହର ପରିକ୍ରମା କରି ଆସନ୍ତାକାଲିଠୁ ସମସ୍ତ ଦୋକାନ, ବଜାର ଲକ୍ ଡାଉନ୍ ରଖିବାକୁ ବ୍ୟବସାୟୀଙ୍କ ସମେତ ବଜାରକୁ ନ ଆସିବାକୁ ବିଭିନ୍ନ ଲୋକଙ୍କୁ ସଚେତନ କରିଥିଲେ। ନିୟମ ଉଲ୍ଲଂଘନ କରି ବାହାରକୁ ଆସିଥିବା ଜଣାପଡ଼ିଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଏସପି୍‌। ଜରୁରୀ କାମ ଥିଲେ ଲୋକଙ୍କୁ ଚାଲି ଚାଲି ଯିବା ପାଇଁ ପରାମର୍ଶ ଦିଆଯାଇଛି। ଆଜି ସଂଧ୍ୟାରେ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ଏ ନେଇ ସଚେତନ କରାଯାଇଛି। ଏଥି ସହିତ ଆସନ୍ତାକାଲି ସକାଳେ ପୁଲିସ୍ ପକ୍ଷରୁ ସହରରେ କଡ଼ା ପହରା ଦିଆଯିବ।

ସମ୍ବନ୍ଧିତ ଖବର