୪ ପର୍ଯ୍ୟଟକ ବୁଡ଼ିବା ପରେ ପଦକ୍ଷେପ ନେଲା ପ୍ରଶାସନ: ପୁରୀ ବେଳାଭୂମିରେ ଲଗାଇଲା ନାଲି ପତାକା

ପୁରୀ: କ୍ରମାଗତ ଭାବେ ଦୁଇ ଦିନରେ ୪ ଜଣ ପର୍ଯ୍ୟଟକ ସମୁଦ୍ରରେ ବୁଡ଼ିଯିବା ପରେ ପ୍ରଶାସନର ତତ୍ପରତା ପ୍ରକାଶ ପାଇଛି। ପ୍ରଶାସନ ତରଫରୁ ପୁରୀ‌ ବେଳାଭୂମିରେ ନାଲି ପତାକା ଲଗାଯାଇ ପର୍ଯ୍ୟଟକମାନଙ୍କୁ ସତର୍କ ସୂଚନା ଦିଆଯାଇଛି। ବିଶେଷ ଭାବରେ ସମୁଦ୍ରର ୧୩ ନମ୍ବର ଜୋନ୍‌ ବେଳାଭୂମିରେ ନାଲି ପତାକା ଲଗାଯାଇଛି। ପର୍ଯ୍ୟଟକଙ୍କୁ ଏଠାରେ ନଗାଧୋଇବା ପାଇଁ ପରାମର୍ଶ ଦିଆଯାଇଛି। ଏହି ଅଞ୍ଚଳରେ ବ୍ୟାପକ ସୁରକ୍ଷା କର୍ମୀ ମୁତୟନ ଅଛନ୍ତି।

.google.co.in

ସୂଚନାଯୋଗ୍ୟ, ଗୁରୁବାର ଦିନ ପୁଣି ସମୁଦ୍ରରେ ବୁଡ଼ି ଦୁଇଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକମାନେ ହେଲେ ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲା ଶ୍ରୀରାମପୁର ଅଞ୍ଚଳର  ଅରବିନ୍ଦ ଦେ(୩୨) ଓ ଅଜୟ ଦେ(୩୩)। ସେମାନେ ଅନ୍ୟ ୪ ଜଣ ଯୁବକଙ୍କ ସହିତ ପୁରୀ ବୁଲିବାକୁ ଆସି ଏଠାରେ ପହଞ୍ଚିଥିଲେ। ସେମାନେ ସ୍ବର୍ଗଦ୍ବାର ନିକଟସ୍ଥ ଏକ ହୋଟେଲରେ ରହି ଅପରାହ୍ନ ପ୍ରାୟ ଗୋଟାଏ ସମୟରେ ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ। ତେବେ ସେମାନେ ସମୁ୍ଦ୍ରରେ ଗାଧୋଉଥିବା ବେଳେ ଏକ ଲହଡ଼ି ଆସି ଅରବିନ୍ଦ ଓ ଅଜୟଙ୍କୁ ଭସାଇ ନେଇଥିଲା। ଘଟଣାସ୍ଥଳରେ ଥିବା ଅନ୍ୟମାନେ ଚିତ୍କାର କରିବାରୁ ଲାଇଫ୍‌ଗାର୍ଡମାନେ ସମୁଦ୍ରଗର୍ଭରୁ ଉଭୟଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇବାରେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ସେହିପରି ପୁରୀ ସମୁଦ୍ରରେ ବୁଧବାର ଦିନ ବୁଡ଼ି ଯାଇ ଦୁଇ ବଙ୍ଗୀୟ ପର୍ଯ୍ୟଟକ(ବାପ, ପୁଅ)ଙ୍କ ମୃତ୍ୟୁ ହୋଇଥିଲା। ମୃତକମାନେ ହେଲେ ହାୱଡ଼ା ଜିଲ୍ଲା ସିପୁର, ଖୁରୁଟ ଆଚାର୍ଯ୍ୟପଡ଼ାର ରଞ୍ଜନ ଦାସ(୫୧) ଓ ତାଙ୍କ ପୁତ୍ର ରେସୋଭ ଦାସ(୧୫)। ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶକ୍ରମେ ରେଡ୍‌କ୍ରସ ସହାୟତାରେ ସେମାନଙ୍କ ଶବକୁ ପଶ୍ଚିମବଙ୍ଗକୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ପଠାଯାଇଛି।

ସମ୍ବନ୍ଧିତ ଖବର