ମାନିଲେନି କଟକଣା: ଏତେ ବାଣ ଆସିଲା କୁଆଡ଼ୁ?

ଚୋରାରେ ବିକିଲେ, ମନଇଚ୍ଛା ଫୁଟାଇଲେ, ସବୁ ଜାଣି ନଜାଣିଲା ଭଳି ହେଲା ପୁଲିସ

ପୁରୁଣା ବାଣ ତିନିଗୁଣା ଦାମରେ ବିକ୍ରି!

ଭୁବନେଶ୍ବର : ସନ୍ଧ୍ୟା ହେଉହେଉ ଆରମ୍ଭ ହୋଇଗଲା ଢୋ…‌ଢା। ପ୍ରଚଣ୍ଡ ଶବ୍ଦରେ କମ୍ପି ଉଠୁଥିଲା ସହରରୁ ଗାଁ। କେଉଁଠି ସୂତୁଲି ବାଣ ତ କେଉଁଠି ବକ୍ସ ବମ୍। ସବୁଜ ବାଣ ନାଁରେ ବେଧଡ଼କ ଫୁଟୁଥିଲା ଯେତେ‌ସବୁ ନିଷିଦ୍ଧ ବାଣ। ଛାତ ଉପରୁ ସୁଁ ସାଁ ହୋଇ ଉଠୁଥିଲା ରକେଟ୍। ରାସ୍ତା ଉପରେ କୁମ୍ପି, କୋନ୍ ବାଣରେ ଝଲ୍‌ସି ଯାଉଥିଲା ପୂରା ଅଞ୍ଚଳ। ଖାଲି ଶବ୍ଦ ପ୍ରଦୂଷଣ ନୁହେଁ; ଧୂଆଁମୟ ହୋଇ ଯାଇଥିଲା ପରିବେଶ। ବାଣଫୁଟାରେ ଆହତଙ୍କ ସଂଖ୍ୟା ବି କିଛି କମ୍ ନ ଥିଲା। କେବଳ ରାଜଧାନୀରେ ବାଣ ଫୁଟାଇ ପ୍ରାୟ ୭୦ରୁ ଅଧିକ ଆହତ ହୋଇଥିବା ବେଳେ ୧୫ ଜଣ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ରାଜ୍ୟର ଆଉ କେତେକ ସ୍ଥାନରେ ତିନି ଜଣ ପ୍ରାଣ ହରାଇଥିବାର ଖବର ମଧ୍ୟ ମିଳିଛି। ଦୀପାବଳିରେ ରାଜ୍ୟସାରାର ଚିତ୍ର ଥିଲା ଏମିତି। ସରକାର ଜାରି କରିଥିବା କରୋନା କଟକଣା; ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ କେବଳ ସବୁଜ ବାଣ ଫୁଟାଇବା ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ଏବଂ ସ୍ବତନ୍ତ୍ର ବୈଠକ ଜରିଆରେ ମୁଖ୍ୟ ସଚିବଙ୍କ ମାର୍ଗଦର୍ଶିକା ସମସ୍ତେ ଫୁ’ କରି ଉଡ଼ାଇ ଦେଇଥିଲେ ଏବଂ କୋଟି କୋଟି ଟଙ୍କାର ବାଣ ଫୁଟାଇଥିଲେ। ଲୋକଙ୍କୁ ବାଣଫୁଟାରୁ ନିବୃତ୍ତ କରିବାକୁ ପୁଲିସ ପ୍ରଶାସନ ସମ୍ପୂର୍ଣ୍ଣ ଫେଲ୍ ମାରିଥିଲା ବେଳେ ପ୍ରହସନ ପାଲଟିଥିଲା କାର୍ଯ୍ୟାନୁଷ୍ଠାନ ଚେତାବନୀ।

ଦୀପାବଳିରେ ବାଣ ଫୁଟିବ ନା ନାହିଁ ତାକୁ ନେଇ ଲାଗି ରହିଥିବା ବିବାଦର ଗତ ୨ ତାରିଖରେ ଅନ୍ତ ଘଟାଇଥିଲେ ହାଇକୋର୍ଟ। ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ଦୁଇ ଘଣ୍ଟା କେବଳ ସବୁଜ ବାଣ ଫୁଟିବ ବୋଲି କହିଥିଲେ। ୩ ତାରିଖରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବୈଠକ ବସି ସବୁଜ ବାଣ ବିକ୍ରି ଓ ବ୍ୟବହାର ସମ୍ବନ୍ଧିତ ସୁପ୍ରିମକୋର୍ଟ ଏବଂ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ସହ ସ୍ବତନ୍ତ୍ର ରିଲିଫ କମିସନରଙ୍କ ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ପା​ଳନ କରିବାକୁ ସମସ୍ତ ଜିଲ୍ଲାପାଳ, ଏସପି, ଡିସିପିଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ଓଡ଼ିଶାରେ କେଉଁଠି ବି ସବୁଜ ବାଣ କାରଖାନା ନ ଥିବା ବେଳେ ଭୁବନେଶ୍ବରରେ ଜଣେ ହେଲେ ଦୋକାନୀଙ୍କୁ ଲାଇସେନ୍ସ ମିଳି ନ ଥିଲା।

The Indian Express

ତେଣୁ ଅନୁମାନ କରାଯାଉଥିଲା ଯେ ଏଥର ଦୀପାବଳିରେ ବାଣ ଫୁଟିବନି କି ପ୍ରଦୂଷଣ ହେବନି। ମାତ୍ର ବାସ୍ତବ ଚିତ୍ର ଥିଲା ସମ୍ପୂର୍ଣ୍ଣ ଓଲଟା। ଏବେ ପ୍ରଶ୍ନ ଉଠୁଛି, ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏତେ ବାଣ ଆସିଲା କେଉଁଠୁ? କେମିତି ଲୋକଙ୍କ ପାଖରେ ପହଞ୍ଚିଲା ଓ ବିକ୍ରି କରାଗଲା?

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜଧାନୀର ପ୍ରାୟ ସବୁ ଅଞ୍ଚଳରେ କେତେକ ନିର୍ଦ୍ଦିଷ୍ଟ ବେପାରୀ ବାଣ ବିକ୍ରି କରୁଥିଲେ। ଦୀପ, ଲିଚୁ ଲାଇଟ୍, ମହମବତି ଓ ଫ୍ୟାନ୍ସି ଲାଇଟ୍ ବିକ୍ରି ଆଳରେ ବେଧଡ଼କ ବାଣ ବିକ୍ରି ଚାଲିଥିଲା। ଟେବୁଲ ଉପରେ ଏ ସବୁ ସାମଗ୍ରୀ ରଖିଥିବା ବେଳେ ଟେବୁଲ ତଳେ କିନ୍ତୁ ବାଣ ରଖିଥିଲେ। କେତେକ ସ୍ଥାନରେ ଖୁଲମଖୋଲା ସୂତୁଲି ବମ୍, ଗଙ୍ଗା ଜମୁନା ବମ୍, ଚକଲେଟ୍‌ ବମ୍, ବକ୍ସ ବମ୍, ଲଙ୍କା ବମ୍‌, ରକେଟ୍, ହାବେଳି, କୁମ୍ପି ଆଦି ବାଣ ଚଢ଼ା ଦାମ୍‌ରେ ବିକ୍ରି ଚାଲିଥିଲା। ସନ୍ଧ୍ୟା ଯେତିକି ପାଖେଇ ଆସୁଥିଲା ବେପାର ସେତେ ଜମିଥିଲା। ଦୋକାନରେ ଭିଡ଼ କରି ଲୋକ ବି ମନଇଚ୍ଛା ବାଣ କିଣୁଥିଲେ। କେମିତି ପୁଲିସ ନଜରରେ ଏସବୁ ପଡ଼ୁ ନ ଥିଲା ତାହା ସଚେତନ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ବିଶେଷକରି ରାଜଧାନୀରେ ବାଣବିକ୍ରିଠୁ ନେଇ ବାଣ ଫୁଟା ପର୍ଯ୍ୟନ୍ତ ସବୁକିଛି ବିନା ବାଧାରେ ଚାଲିଥିଲେ ମଧ୍ୟ କେହି ରୋକିବାକୁ ନ ଥିଲେ। ପୁଲିସ ପାଟ୍ରୋଲିଂ ଗାଡ଼ି କୁଆଡ଼େ ଯାଇଥିଲା ଓ କେମିତି ଯାଞ୍ଚ କରୁଥିଲା ବୋଲି ପ୍ରଶ୍ନ ମଧ୍ୟ ଉଠିଛି। ହାଇକୋର୍ଟଙ୍କ କଟକଣା ପରେ ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ ଗଲା କୁଆଡ଼େ? ନିର୍ଦ୍ଦେଶ ସତ୍ତ୍ବେ ପୁଲିସ ଓ ଜିଲ୍ଲା ପ୍ରଶାସନ କି ପଦକ୍ଷେପ ନେଇଥିଲେ? କରୋନା ସଂକ୍ରମଣ ଜାରି ରହିଥିବା ବେଳେ ଏତେ ବେପରୁଆ ହେଲେ କେମିତି? କାହିଁକି ଏହି ପ୍ରସଙ୍ଗକୁ ଗୁରୁତ୍ବର ସହ ଗ୍ରହଣ କରାଗଲା ନାହିଁ?

ଚଳିତ ବର୍ଷ ବାଣ ବେପାରୀମାନେ ବିକ୍ରିକୁ ନେଇ ଦ୍ବନ୍ଦ୍ବରେ ଥିବାରୁ ରାଜ୍ୟ ବାହାରୁ ବା ଭିତରୁ ଖୁବ୍ ବେଶି ବାଣ ମଗାଇ ପାରି ନ ଥିଲେ ବୋଲି କୁହାଯାଉଛି। ତଥାପି ଏତେ ବାଣ କେଉଁଠୁ ଆସିଲା ତାହା ସମସ୍ତଙ୍କୁ ବିସ୍ମିତ କରିଛି। ତେଣୁ ବିକ୍ରି ହୋଇଥିବା ବାଣ ପୂର୍ବ ବର୍ଷର ବୋଲି ଅନୁମାନ କରାଯାଉଥିବାବେଳେ ଚୋରାରେ ବାଣ ବିକ୍ରି ହୋଇଥିବା ସ୍ପଷ୍ଟ ହୋଇଛି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ବାଣ ଫୁଟାଇବା ଉପରେ କଟକଣା ଲାଗିଥିବାରୁ ବେପାରୀମାନେ ଚୋରାରେ ଦୁଇଗୁଣା, ତିନିଗୁଣା ଅଧିକ ଦାମରେ ବିକ୍ରି କଲେ। ଯାହା ପାଟିରୁ ବାହାରିଲା ମନଇଚ୍ଛ ଦର କସିନେଲେ। ଆଉ ଲୋକେ ସବୁଜ ବାଣ ଆଳରେ ନିୟମକାନୁନ, ନିର୍ଦ୍ଦେଶକୁ ଜଳାଞ୍ଜଳି ଦେଇ ବାଣ ଫୁଟାଇଲେ। କଟକଣା ବାଏଁ ବାଏଁ ଉଡ଼ିଗଲା। ସଚେତନତା ଧୂଆଁ ହୋଇଗଲା।

ସମ୍ବନ୍ଧିତ ଖବର