ସମ୍ବଲପୁର ହିଂସା: ୧୪ ଦିନ ପରେ କର୍ଫ୍ୟୁ ଉଠିଲା

ଏବେ ସାମାଜିକ ଗଣମାଧ୍ୟମ ଉପରେ ନଜର, ୧୬ ଜଣଙ୍କୁ ତାଗିଦ, ଆଗକୁ କାର୍ଯ୍ୟାନୁଷ୍ଠାନ

ସମ୍ବଲପୁର : ହନୁମାନ ଜୟନ୍ତୀ ବାଇକ୍‌ ଶୋଭାଯାତ୍ରା ଉପରକୁ ପଥରମାଡ଼ ଓ ଆକ୍ରମଣ ପରେ ଅଶାନ୍ତ ହୋଇଉଠିଥିବା ସମ୍ବଲପୁରର ସ୍ଥିତି ନିୟନ୍ତ୍ରଣ ପାଇଁ ଗତ ୧୪ ତାରିଖ ମଧ୍ୟରାତ୍ରିରୁ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିବା କର୍ଫ୍ୟୁ ଦୀର୍ଘ ୧୪ ଦିନ ପରେ ଉଠାଇ ଦିଆଯାଇଛି। ସମ୍ବଲପୁରବାସୀ କର୍ଫ୍ୟୁ କଟକଣାରୁ ଏବେ ମୁକ୍ତ ହୋଇଛନ୍ତି। ତେବେ, ଗତ ୧୭ ତାରିଖର ଜିଲ୍ଲା ମାଜିଷ୍ଟ୍ରେଟ ତଥା ଜିଲ୍ଲାପାଳଙ୍କ ଆଦେଶ ଅନୁଯାୟୀ ପୂର୍ବ ଲିଖିତ ଅନୁମତି ବିନା ‌କୌଣସି ସାମାଜିକ ଓ ରାଜନୈତିକ ସଭା ଆୟୋଜନ ତଥା ପ୍ରତିନିଧି ଦଳର ସମ୍ବଲପୁର ଜିଲ୍ଲା ସୀମାକୁ ପ୍ରବେଶ ବାରଣ କରାଯିବା ବଳବତ୍ତର ରହିଛି।

ଅପରପକ୍ଷରେ ଘୃଣାଭାବ ସୃଷ୍ଟି ରୋକିବା ନିମନ୍ତେ ଏବେ ସାମାଜିକ ଗଣମାଧ୍ୟମ ଉପରେ ନଜର ରଖାଯାଇଥିବା ଏସ୍‌ପି ବି. ଗଂଗାଧର ସୂଚନା ଦେଇଛନ୍ତି।

ଶନିବାର ଦିନ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ବି. ଗଂଗାଧର କହିଲେ, ହିଂସାକୁ ଦୃଷ୍ଟିରେ ରଖି ସମ୍ବଲପୁର ସହରର ଅଇଁଠାପାଲି, ଧନୁପାଲି, ବରେଇପାଲି, କ୍ଷେତରାଜପୁର, ସଦର ଏବଂ ଟାଉନ ଥାନା ଆଦି ୬ଟି ଥାନା ଅଂଚଳରେ କର୍ଫ୍ୟୁ ଘୋଷଣା କରାଯାଇଥିଲା। ପର୍ଯ୍ୟାୟକ୍ରମେ କର୍ଫ୍ୟୁ କଟକଣା ‌କୋହଳ କରାଯାଇଥିବା ବେଳେ ‌ଏବେ କେବଳ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିଥିଲା। ତ‌େବେ, ଦୁଇଟି ପର୍ଯ୍ୟାୟରେ ଆଗରୁ ବରେଇପାଲ, ସଦର ଏବଂ ଅଇଁଠାପାଲି ଓ କ୍ଷେତରାଜପୁର ଆଦି ୪ଟି ଥାନା ଅଂଚଳରୁ ପୂରାପୂରି କର୍ଫ୍ୟୁ ହଟିଥିବା ବେଳେ ଆଜି ଧନୁପାଲି ଓ ଟାଉନ ଥାନା ଅଂଚଳରୁ କର୍ଫ୍ୟୁ ଉଠାଇ ଦିଆଯାଇଛି। ତେବେ, ଫେସ୍‌ବୁକ୍‌, ହ୍ବାଟସ୍‌ ଅପ୍, ଟ୍ବିଟର, ଟେଲିଗ୍ରାମ ଭଳି ସାମାଜିକ ଗଣମାଧ୍ୟମ ଉପରେ ପୁଲିସର ସ୍ବତନ୍ତ୍ର ନଜର ରହିଛି। ଯେଉଁମାନେ ଘୃଣାଭାବ, ଗୁଜବ ଆଦି ସୃଷ୍ଟି କରିବେ, ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ଗତକାଲି ୨ ଜଣ ଗ୍ରୁପ୍‌ ଆଡମିନଙ୍କୁ ବ୍ୟକ୍ତିଗତ ମୁଚାଳିକାରେ ଛଡ଼ାଯାଇଥିବା ବେଳେ ସୋସିଆଲ ମିଡିଆରେ ଘୃଣାଭାବ ସଂପର୍କିତ ମେସେଜ୍ ପଠାଉଥିବା ସର୍ବମୋଟ ୧୬ ଜଣଙ୍କୁ ଥାନାକୁ ଡାକି ତାଗିଦ୍ କରାଯାଇଛି। ସେମାନଙ୍କଠାରୁ ଅଣ୍ଡରଟେକିଂ ନିଆଯାଇଛି।

ସମ୍ବଲପୁର ଜିଲ୍ଲା ପୁଲିସର ଏକ ସ୍ବତନ୍ତ୍ର ସେଲ୍ ସାମାଜିକ ଗଣମାଧ୍ୟମ ଉପରେ ନଜର ରଖିଛି ବୋଲି ସେ କହିଥିଲେ। ଗତ ୧୨ ତାରିଖ ଘଟଣା (ଶୋଭାଯାତ୍ରା ଉପରକୁ ପଥରମାଡ଼)ରେ ଏପର୍ଯ୍ୟନ୍ତ ୪୬ ଜଣ ଏବଂ ୧୪ ତାରିଖ ଘଟଣା (ଦୋକାନ ଜଳ‌ାପୋଡ଼ା)ରେ ୫୬ ଜଣଙ୍କୁ ଗିରଫ କରାଯାଇଛି। ଜଣେ ଯୁବକଙ୍କୁ ହତ୍ୟା ଘଟଣାରେ ୮ ଜଣଙ୍କ ଗିରଫ କରାଯାଇଛି। ତେବେ, ଜନସାଧାରଣଙ୍କୁ‌ କୌଣସି ଗୁଜବ ପ୍ରତି ଗୁରୁତ୍ବ ନଦେବାକୁ ସେ ଅନୁରୋଧ କରିଛନ୍ତି। ଯଦି, କୌଣସିଠାରେ କିଛି ଅପ୍ରୀତିକର ଘଟଣା ଜଣାପଡ଼େ କିମ୍ବା ଆଶଙ୍କା ବ୍ୟକ୍ତ କରନ୍ତି, ତାହେଲେ ଲୋକେ ପୁଲିସ ନିୟନ୍ତ୍ରଣ କକ୍ଷ, ସ୍ଥାନୀୟ ଥାନା କିମ୍ବା ସିଧାସଳଖ ତାଙ୍କ ସହିତ ଯୋଗଯୋଗ କରିବାକୁ ଏସ୍‌ପି ବି.ଗଂଗାଧର ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ଶୋଭାଯାତ୍ରା ଉପରକୁ ପଥରମାଡ଼ ଘଟଣାରେ ଜଣେ ପୁଲିସ ବାବୁଙ୍କ ଅତି ନିକଟ ସଂପର୍କୀୟଙ୍କ ସଂପୃକ୍ତି ଥିବା ଅଭିଯୋଗ ସଂକ୍ରାନ୍ତରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଏସ୍‌ପି କହିଲେ, ତାହାକୁ ନେଇ ଏବେ ତଦନ୍ତ ଚାଲିଛି। ଘଟଣାରେ ସଂପୃକ୍ତି ଥିବା ନେଇ ପ୍ରମାଣ ମିଳିଲେ ତାଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ନିଆଯିବ। କାହାରିକୁ ଛଡ଼ାଯିବ ନାହିଁ ବୋଲି ଏସ୍‌ପି ସ୍ପଷ୍ଟ କରିଥିଲେ।

ସମ୍ବନ୍ଧିତ ଖବର