‘ୟଙ୍ଗ୍‌ ଆଣ୍ଡ୍‌ ଫିଟ୍‌ @ ୬୦’ ଲୋକାର୍ପିତ

ଭୁବନେଶ୍ବର: ମଣିଷ ପୃଥିବୀକୁ ଆସିଥିବାର କାରଣ ବୁଝିପାରେ ନାହିଁ ବୋଲି ସେ କେବେ ଶାନ୍ତି ପାଇପାରେ ନାହିଁ। ନିଜ ଭିତରେ ଓ ପାଖରେ ଥିବା ଲୋକଙ୍କ ଗୁରୁତ୍ବ ବୁଝି ନପାରି, ପାଖରେ ନଥିବା ବସ୍ତୁକୁ ନେଇ ଅଧିକ ଚିନ୍ତା କରେ। ଏହା ତାକୁ ଅଶାନ୍ତି ଭିତରକୁ ଟାଣି ନିଏ। ଫଳରେ ସେ ସୁସ୍ଥ ରହିବାରୁ ବଞ୍ଚିତ ହୁଏ। ଲେଖକ ଅଶୋକ କୁମାର ସାମଲଙ୍କ ପୁସ୍ତକ ‘ୟଙ୍ଗ୍‌ ଆଣ୍ଡ୍‌ ଫିଟ୍‌ @ ୬୦’ର ଲୋକାର୍ପଣ ଉତ୍ସବରେ ଯୋଗ ଦେଇ ଅତିଥିମାନେ ଏଭଳି କହିଛନ୍ତି।

ଜୟଦେବ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଅତିଥି ବିଶିଷ୍ଟ ଶିକ୍ଷାବିତ୍‌ ସଙ୍ଗୀତା ରଥ କହିଥିଲେ ଯେ ଭାରତୀୟମାନେ ଖୁସିକୁ ଗୁରୁତ୍ବ ଦିଅନ୍ତି ନାହିଁ। ନିଜ ଖୁସି କେଉଁଥିରେ ରହିଛି, ସେମାନେ ତାହା ଜାଣନ୍ତି ନାହିଁ। ବର୍ତ୍ତମାନ ସମୟରେ ଯାହାର ସଫଳତା‌ର ମାନ ଦଣ୍ଡ ଯେତେ ଅଧିକ, ସେ ସେତିକି ଖୁସି ବୋଲି ବିଚାର କରାଯାଉଛି। ଏହାର କୁ-ପ୍ରଭାବ ଏବେ ୧୫ରୁ ୨୯ ବର୍ଷର ଯୁବକ ଯୁବତୀମାନଙ୍କ ଭିତରେ ଦେଖିବାକୁ ମିଳୁଛି। ଫଳରେ ସଫଳତା ନ ପାଇଲେ କିମ୍ବା ପରୀକ୍ଷାରେ ଭଲ ନମ୍ବର ନ ରଖିଲେ, ସେମାନେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଉଛନ୍ତି।

ଏଭଳି ମାନସିକତାରୁ ମୁକୁଳି ପାରିଲେ ଏବଂ ବର୍ତ୍ତମାନର ମୁହୂର୍ତ୍ତକୁ ଆନନ୍ଦର ସହ ବଞ୍ଚି ଶିଖିଲେ, ସମସ୍ତେ ସୁସ୍ଥ ଓ ଦୀର୍ଘାୟୁ ହେବେ। କାର୍ଯ୍ୟକ୍ରମରେ ଡା. ଆଲୋକ କାନୁନ୍‌ଗୋ, ଭୂମିକା ଡାକ୍ତରଖାନାର ପରିଚାଳନା ନିର୍ଦ୍ଦେଶକ ଭୀଷ୍ମ ରଥ, ନେଭେଲି ଲିଗ୍‌ନାଇଟ୍‌ କର୍ପୋରେସନ୍‌ର ପୂର୍ବତନ ସିଏମ୍‌ଡି ଏସ୍‌.କେ ଆଚାର୍ଯ୍ୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଲେଖକ ଶ୍ରୀ ସାମଲ କହିଥିଲେ ଯେ ପ୍ରତ୍ୟେକ ମଣିଷ ପାଖରେ ଅମୂଲ୍ୟ ହୃଦୟ, ବୁଦ୍ଧି, ସ୍ବପ୍ନ, ଭାବନା ଥାଇ ମଧ୍ୟ ସେ ବାହାରେ ଥିବା ମହଙ୍ଗା ସାମଗ୍ରୀ ଭିତରେ ଖୁସି ଖୋଜେ। ତେଣୁ ସେ କେବେ ଶାନ୍ତି ପାଏ ନାହିଁ। ଯାହା ତାକୁ ଯୁବକ ଏବଂ ସୁସ୍ଥ ରହିବାରୁ ବଞ୍ଚିତ କରେ। ତାଙ୍କ ପୁସ୍ତକ ଶାନ୍ତିର ରାସ୍ତା ଦେଖାଇବାରେ ସହାୟକ ହେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ଏହି ଅବସରରେ ଏକାଗ୍ରତା ଡ୍ୟାନ୍ସ ଫାଉଣ୍ଡେସନ୍‌ ପକ୍ଷରୁ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଲେଖକଙ୍କ ବାପା ବୈରାଗୀ ଚରଣ ସାମଲ, ମା’ ପୁଷ୍ପଲତା ସାମଲ, ସହଧର୍ମିଣୀ ମାନସୀ ସାମଲ, ପ୍ରଫୁଲ୍ଲ ସାମଲ, ଉର୍ମିଳା ସାମଲ, ଅଂଶୁକ ସାମଲ, ଅନୁଷ୍କା ସାମଲ, ସତ୍ୟପ୍ରକାଶ ସାମଲ, ଅର୍ପିତା ସାମଲ, ଶର୍ମିଳା ଭୂୟାଁ, ପ୍ରମିଳା ପାଲ୍‌, ଶରତ ଚନ୍ଦ୍ର ପ୍ରଧାନ, ଲକ୍ଷ୍ମୀ ନାରାୟଣ ପ୍ରତାପ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର