ସାରନଗରୀ ଡବଲ ମର୍ଡର ଘଟଣା: ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ପୁଲିସ

ଏବେ ବି ହତ୍ୟାକାରୀ ଦମ୍ପତି ଫେରାର

ରାଉର‌କେଲା: ସାରନଗରୀ କନଷ୍ଟ୍ରକ୍ସନ କଲୋନି ଡବଲ ମର୍ଡର ଘଟଣାରେ ଟାଙ୍ଗରପାଲି ପୁଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଲାଲଟାଙ୍କି ବିଜ୍‌ଲିବାସାର ଲାଲ ଓରଫ ଲଳିତ ଗୋପ (୨୪), କନଷ୍ଟ୍ରକ୍ସନ କଲୋନିର ଗୋଦ୍ରା ଓରଫ ମିଥୁନ ଗିରି (୩୧) ଓ କଇଁଥବସାର ଘୋଷା ବୋଇପାଇ (୪୫)। ପୁଲିସ ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିଛି। ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଦମ୍ପତି ଏବେ ଫେରାର ଥିବା ପୁଲିସ କହିଛି। ଦୁହିଁଙ୍କୁ ଗିରଫ କରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଜମି କିଣାବିକାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ଫେରାର ଦମ୍ପତିଙ୍କୁ ଗିରଫ ପରେ ହତ୍ୟାକାଣ୍ଡ ଉପରୁ ପରଦା ହଟିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ଗତ ଶନିବାର ସଂଧ୍ୟା ପ୍ରାୟ ୫ଟାରେ କନଷ୍ଟ୍ରକ୍ସନ କଲୋନିରେ ଜମି କିଣାବାକୁ କେନ୍ଦ୍ର କରି ଦମ୍ପତିଙ୍କ ଫାର୍ସା ଚୋଟରେ ଦୁଇ ଯୁବକଙ୍କ ମୃ୍ତ୍ୟୁ ହୋଇଥିଲା। ମୃତକମାନଙ୍କ ମଧ୍ୟରେ ଥିଲେ ସାରନଗରୀ ଲାଲଟାଙ୍କିର ସଞ୍ଜୟ ଓ ତା’ର ସାଙ୍ଗ ଇନ୍ଦ୍ରଜିତ୍‌। ସୌଭାଗ୍ୟବଶତ୍‌ ଅନ୍ୟ ଜଣେ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ। ଇନ୍ଦ୍ରଜିତ୍‌ ଓ ସଞ୍ଜୟ ତା’ର କିଛି ସହଯୋଗୀଙ୍କ ସହ ଘଟଣାଦିନ ସକାଳେ ଗଞ୍ଜୁ ଭୂମିଜ୍‌ ରହୁଥିବା କନଷ୍ଟ୍ରକ୍ସନ କଲୋନିସ୍ଥ ଘରେ ପହଞ୍ଚିଥିଲେ। ସେହି ଜମିକୁ ମାତ୍ର ୨ ଲକ୍ଷ ଟଙ୍କାରେ ବିକିବାକୁ ସଞ୍ଜୟ ଓ ଇନ୍ଦ୍ରଜିତ୍‌ ଗଞ୍ଜୁକୁ ବାଧ୍ୟ କରିଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଓ ଠେଲାପେଲା ହୋଇଥିଲା। ଇନ୍ଦ୍ରଜିତ୍‌, ସଞ୍ଜୟ ଓ ତା’ର ଅନ୍ୟ ସହଯୋଗୀ ଗଞ୍ଜୁକୁ ଧମକ ଚମକ ଦେଇ ଘରକୁ ଫେରି ଆସିଥିଲେ।

ଫେରିବା ବେଳେ ସେମାନେ ସଂଧ୍ୟାରେ ପୁଣି ଆସିବାକୁ କହିଥିଲେ। ସେମାନେ ସଂଧ୍ୟାରେ ଆସୁଥିବା ଜାଣି ଗଞ୍ଜୁ ଓ ତା’ର ପତ୍ନୀ ଅନ୍ୟମାନଙ୍କ ସହ ପୁରା ପ୍ରସ୍ତୁତ ହୋଇ ରହିଥିଲା। ସଂଧ୍ୟା ପ୍ରାୟ ୫ଟାରେ ସଞ୍ଜୟ, ଇନ୍ଦ୍ରଜିତ୍‌ ଓ ତା’ର ଅନ୍ୟ ଜଣେ ସହଯୋଗୀ ମୋଟରବାଇକ୍‌ରେ ଗଞ୍ଜୁ ଘରେ ପହଞ୍ଚି ଦୁଇ ଲକ୍ଷରେ ଜମି ଦେବାକୁ ବାଧ୍ୟ କରିଥିଲେ। ଗଞ୍ଜୁ ଦୁଇ ଲକ୍ଷରେ ଜମି ଦେବାକୁ ରୋକଠୋକ୍‌ ମନା କରିବାରୁ ଉଭୟଙ୍କ ମଧ୍ୟରେ ବଚସା ସହ ଘରେ ଭିତରେ ଠେଲାପେଲା ହୋଇଥିଲା। ପୂର୍ବରୁ ପ୍ରସ୍ତୁତ ଥିବା ଗଞ୍ଜୁ ଓ ତା’ର ସହଯୋଗୀ ଫାର୍ସାରେ ସଞ୍ଜୟ, ଇନ୍ଦ୍ରଜିତ ଓ ତା’ର ଅନ୍ୟ ଜଣେ ସାଙ୍ଗକୁ ଆକ୍ରମଣ କରିଥିଲେ। ସୌଭାଗ୍ୟବଶତଃ ସଞ୍ଜୟ ଓ ଇନ୍ଦ୍ରଜିର ସାଙ୍ଗ ବର୍ତ୍ତିଯାଇଥିଲେ। ସଞ୍ଜୟ ଓ ଇନ୍ଦ୍ରଜିତଙ୍କର ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର