ବୈଷୟିକ କୃଷି ଯନ୍ତ୍ରାଂଶ ସହାୟତାରେ ଚାଷ କରି ସଶକ୍ତ ହେଲେ ‌ଦେଶ ଆଗେଇବ- ମନ୍ତ୍ରୀ

ଦକ୍ଷିଣାଂଚଳ କୃଷି ମହୋତ୍ସବ ଓ  ଜିଲ୍ଲା କୃଷି ଯନ୍ତ୍ରପାତି ମେଳା ଉଦଘାଟିତ

ଜୟପୁର: ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଦକ୍ଷିଣାଂଚଳ କୃଷି ମ‌ହୋତ୍ସବ ଓଜିଲ୍ଲା କୃଷି ଯନ୍ତ୍ରପାତି ମେଳା ଉଦଘାଟିତ ହୋଇଯାଇଛି। ଆସନ୍ତା ୧୦ତାରିଖ ପର୍ଯ୍ୟନ୍ତ ଏହା ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟଅତିଥି ଭାବେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଯୋଗ ଦେଇ ପାରମ୍ପରିକ ପଦ୍ଧତିର  ଚାଷ ପାଇଁ  କୃଷି ଶ୍ରମିକ ମିଳୁନାହାନ୍ତି । ତେଣୁ ଏହାକୁ ଛାଡ଼ି ବିଭିନ୍ନ ରକମର ବୈଷୟିକ କୃଷି ଯନ୍ତ୍ରପାତି ସହାୟତାରେ ଚାଷ କଲେ ସମୟ ବଂଚିବା ସହ ପୂର୍ବ ଅପେକ୍ଷା ଅଧିକା ଲାଭ ମିଳିବ। ଏଥି ପାଇଁ ରାଜ୍ୟସରକାର ଚାଷୀ ଅଧିକା ଉତ୍ପାଦନ କରିବା ପାଇଁ ଋଣରେ ବିନାସୁଧରେ କୃଷି ଯନ୍ତ୍ରପାତି ଯୋଗାଇବା ସହ ଉତ୍ପାଦିତ ସାମଗ୍ରୀ ଗୁଡିକୁ ବିକ୍ରୀବଟା କରିବା ପାଇଁ ଉତ୍ତମ ବଜାର ବ୍ୟବସ୍ଥା ବି କରିଛନ୍ତି। ଚାଷୀଙ୍କ ସହ ମହିଳା ସ୍ବୟଂସହାୟକ ଦଳ, କୃଷି ଉଦ୍ୟୋଗୀଙ୍କୁ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ସାମିଲ କରି ସଶକ୍ତ କରୁଛି ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ ସୂଚନା ଦେଇଥିଲେ।

ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କୋରାପୁଟବିଧାୟକ ରଘୁରାମ ପଡ଼ାଲ, କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନ୍, ପଟାଙ୍ଗୀ ବିଧାୟକ ପିତମ୍ ପାଢ଼ୀ, ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ଚନ୍ଦ୍ରଶେଖର ମାଝୀ, ,ରାଜ୍ୟ ସ୍ତରୀୟ ଯାନ୍ତ୍ରିକ ପ୍ରଶିକ୍ଷକ ନିର୍ବାହୀ ଯନ୍ତ୍ରୀ ମୁକ୍ତି କାନ୍ତ ମହାପାତ୍ର, କୋରାପୁଟ ଜିଲ୍ଲପାଳ ଅବଦାଲ ମହମ୍ମଦ ଅଖତର ପ୍ରମୁଖ ଯୋଗ ଦେଇ ଗ୍ରାମାଂଚଳର ପ୍ରକୃତ ଚାଷୀଙ୍କୁ ସଶକ୍ତି କରି ରାଜ୍ୟସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ପାଇବା ଦିଗରେ କୃଷି, ଉଦ୍ୟାନ, ପଶୁସଂପଦ, ମତ୍ସ୍ୟ  ଆଦି ବିଭାଗର ରହିଥିବା ଯୋଜନାରେ ସାମିଲ କରିବାକୁ ପରାମର୍ଶ ଦେଇଥିଲେ। ଓଡିଶା କୃଷି ଓ ଖାଦ୍ୟ ନିର୍ଦେଶକ ପ୍ରେମଚାନ୍ଦ ଚୌଧୁରୀ ଯୋଗ ଦେଇ ଦିନକରେ ୪ଟି ଜିଲ୍ଲାର ଶତାଧିକ ଚାଷୀ ସବସିଡି ମାଧ୍ୟମରେ ୧୦କୋଟି ଟଙ୍କାର କୃଷି ଯନ୍ତ୍ରପାତି ନେବା ପାଇଁ ଅଗ୍ରୀମ ବୁକିଂ କରିଥିବା ସୂଚନା ଦେଇଥିଲେ।

ଅବିଭକ୍ତ କୋରାପୁଟଜିଲ୍ଲାର ୬୦ପ୍ରତିଶତ ଚାଷୀ ଏହି ବର୍ଷ ଟକୋନ୍ ନପାଇ ୭ଲକ୍ଷ କୁଇଣ୍ଟାଲ  ଧାନକୁ ଏମସିପି ଦର ୨୧୦୦ଟଙ୍କା ବଦଳରେ ୧୪ଶହ ଟଙ୍କାରେ ଦଲାଲ, ମିଲର , ବେପାରୀ ଆଦିଙ୍କ ନିକଟରେ ବିକ୍ରୀ କରିଛନ୍ତି ବୋଲି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଅଭିଯୋଗ କରିଥିଲେ। କୃଷି ଯନ୍ତ୍ରପାତି ଯୋଗାଇବା ପରେ ଚାଷୀ ମାନେ ଧାନ, ମାଣ୍ଡିଆ, ସୁଆଁ, ବାଜାରା, ମକା, ଓ ପନିପରିବା ଚାଷ କରି ଅଧିକା ଉତ୍ପାଦନ କରିବେ , ତେବେ ସେମାନେ ଏହାକୁ ସାଇତି ରଖିବା ପାଇଁ ଶୀତଳ ଭଣ୍ଡାର ରହିଛି ନା ରାଜ୍ୟ ସରକାର ଉତ୍ତମ ବଜାର ଯୋଗାଇ ପାରିବ କି ବୋଲି ପ୍ରଶ୍ନ କରିଥିଲେ। ଆନ୍ଧ୍ରରୁ କୁକୁଡା ଅଣ୍ଡା, ବ୍ରୟଲର କୁକୁଡା, ମାଛ, କ୍ଷୀର  ସହ ଲେମ୍ବୁବି ଆନ୍ଧ୍ରରୁ ଆସି ଏଠାରେ ବିକ୍ରୀ ହେଉଛି ବୋଲି ବିଧାୟକ ଅଭିଯୋଗ କରିଥିଲେ।

ଏହାକୁ ରୋକିବ କିଏ ବୋଲି ପ୍ରଶ୍ନ କରିଥିଲେ ବିଧାୟକ। ଏହି ଅବସରରେ ଚାରୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଧାନ ଓ ମାଣ୍ଡିଆ ଚୁନା କଳ,  ପାଣି ପମ୍ପ ସେଟ, ୧୦ଜଣ ଯୁବ କୃଷି ଉଦ୍ୟୋଗୀଙ୍କୁ କାର୍ଯ୍ୟାଦେଶ ସହ ୪ଜଣ ଚାଷୀଙ୍କୁ ଚାରୋଟି ଟ୍ରାକ୍ଟର ଦିଆଯାଇଥିଲା। ମେଳାକୁ କୋରାପୁଟ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଶ୍ବରାଜ ରଥ ପରିଚାଳନା କରିଥିଲେ I ଶେଷରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ କୋରାପୁଟ ଗୌରବ ଶିବାଜୀ ଏସଲୱାର ଧନ୍ୟବାଦ ଦେଇଥିଲେ।

 

ସମ୍ବନ୍ଧିତ ଖବର