ଅନିଶ୍ଚିତତାରେ ସାତକୋଶିଆର ‘ପ୍ରୋଜେକ୍ଟ ଟାଇଗର୍‌’

ଶିମିଳିପାଳରୁ ବାଘ ଆଣିବା ଯୋଜନା ନାହିଁ: ପିସିସିଏଫ୍‌

ଅନୁଗୁଳ: ଶିମିଳିପାଳରୁ ସାତକୋଶିଆକୁ ବାଘ ଆଣିବାର କୌଣସି ଯୋଜନା ନାହିଁ। ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ନେଇ ଆଜି ପିସିସିଏଫ୍‌ ସୁଶାନ୍ତ ନନ୍ଦ ଏଭଳି ରୋକଠୋକ୍‌ ମନା କରି ଦେଇଛନ୍ତି। ଫଳରେ ସାତକୋଶିଆରେ ମହାବଳ ବାଘ ଛାଡ଼ିବା ନେଇ ଯେଉଁ ଯୋଜନା କରାଯାଇଥିଲା ତାହା ଅନିଶ୍ଚିତତାକୁ ମଧ୍ୟକୁ ଠେଲି ହୋଇ ଯାଇଛି। ଗୋଟିଏ ପଟେ କୋର୍‌ ଅଞ୍ଚଳରୁ ଗାଁ ବିସ୍ଥାପନ ଶେଷ ‌ହୋଇ ନଥିବା ବେଳେ ପିସିସିଏଫ୍‌ଙ୍କ ଏଭଳି ମନ୍ତବ୍ୟ ସାତକୋଶିଆର ‘ପ୍ରୋଜେକ୍ଟ ଟାଇଗର’ ସ୍ବପ୍ନରେ ରୋକ୍‌ ଲଗାଇଛି। ତେବେ ଗାଁ ବିସ୍ଥାପନ ସରିବା ପରେ ସାତକୋଶିଆକୁ ବାଘ ଆଣିବା ନେଇ ରାଜ୍ୟ ସରକାର ନିଶ୍ଚିତ ଚିନ୍ତା କରିବେ ବୋଲି ଅନୁଗୁଳ ଆର୍‌ସିସିଏଫ୍‌ ସୁଧାଂଶୁ ଶେଖର ଖୋରା କହିଛନ୍ତି।

ସୂଚନା ମୂତାବକ, ୨୦୧୮ରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଫେଲ୍‌ ହୋଇଥିଲା। ବାନ୍ଧବଗଡ଼ରୁ ଆସିଥିବା ବାଘୁଣୀର ଉତ୍ପାତ, ଲୋକଙ୍କ ଜୀବନ ଯିବା ଓ ବାଘ ଶିକାର ପରେ ଏଠାରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ଭଟା ପଡ଼ିଥିଲା। ୨୦୦୭ରେ ସାତକୋଶିଆକୁ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର ଭାବେ ଘୋଷଣା ହେବା ପରେ ପଶୁପ୍ରେମୀ ଉତ୍ସାହିତ ହୋଇଥିଲେ ବି ୨୦୧୮ରେ ଏହା ଫେଲ୍‌ ହେବା ସମସ୍ତଙ୍କୁ ନିରାଶ କରିଥିଲା। ଏହାପରେ ସାତକୋଶିଆ କର୍ତ୍ତୃପକ୍ଷ ପୁଣିଥରେ ବାଘ ଆଣିବା ପାଇଁ ନିଜ ଉଦ୍ୟମ ଚଳାଇଛନ୍ତି। ଇତିମଧ୍ୟରେ ୫ବର୍ଷ ବିତିଯାଇଛି। କୋର୍‌ ଅଞ୍ଚଳରେ ଥିବା ରାଇଗୁଡ଼ା, ଅସନବାହାଳ, ଟୁଲ୍‌କା, ଭୁରକୁଣ୍ଡି ଓ କଟରଙ୍ଗ ଗାଁକୁ ବିସ୍ଥାପନ କରାଯାଇଛି। ସମସ୍ତ ପ୍ୟାକେଜ୍ ଦେଇ ଲୋକଙ୍କୁ କୋର୍‌ ଅଞ୍ଚଳରୁ ବାହାରକୁ ଉଠାଇ ଅଣାଯାଇଛି। କିନ୍ତୁ ବାକି ରହିଥିବା ୪/୫ଟି ଗାଁ ବିସ୍ଥାପନ ଏପର୍ଯ୍ୟନ୍ତ ଶେଷ ହୋଇ ପାରୁନି। ବନବିଭାଗ ଉପରେ ଲୋକେ ଭରସା କରିପାରୁନାହାନ୍ତି ନା ବନବିଭାଗ ଲୋକଙ୍କ ଭରସା ଜିତିପାରୁନି; ତାହା ଦ୍ବନ୍ଦ୍ବରେ। ପୂର୍ବରୁ ବିସ୍ଥାପିତ ଗାଁଗୁଡ଼ିକରେ ଜଙ୍ଗଲ ବିଭାଗ ଯେଉଁ ଆନୁଷଙ୍ଗିକ ସୁବିଧା କରିବା କଥା ତାହା ଏଯାଏଁ ହୋଇପାରିନି। ତେଣୁ ଅନ୍ୟ ଗ୍ରାମବାସୀ ବନବିଭାଗ କର୍ତ୍ତୃପକ୍ଷଙ୍କୁ ଭରସା କରିପାରୁ ନଥିବା କୁହାଯାଉଛି। ଗାଁ ବିସ୍ଥାପନ ଶେଷ ନହେବା ଯାଏଁ ବାଘ ଆଣି ଜଙ୍ଗଲରେ ଛାଡ଼ିବା ଅସମ୍ଭବ। ଅବଶ୍ୟ ସାତକୋଶିଆ କର୍ତ୍ତୃପକ୍ଷ ଗାଁ ବିସ୍ଥାପନ ପାଇଁ ଉଦ୍ୟମ ଜାରି ରଖିଛନ୍ତି। କିନ୍ତୁ ୨୦୨୪ ଶେଷ ସୁଦ୍ଧା ଗାଁଗୁଡ଼ିକ ବିସ୍ଥ‌ାପିତ ହେବ କି ନାହିଁ ତାହାକୁ ନେଇ କୌଣସି ନିଶ୍ଚିତ ସୂଚନା ମିଳିପାରୁନି।

ଅନ୍ୟପଟେ କିଛିଦିନ ତ‌ଳେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପରୁ ବାଘ ଆଣି ସାତକୋଶିଆରେ ଛାଡ଼ିବା ନେଇ ସାତକୋଶିଆ କର୍ତ୍ତୃପକ୍ଷ ଚିନ୍ତା କରୁଥିବା କହିଥିଲେ। ଗଣମାଧ୍ୟମରେ ଏନେଇ ରିପୋର୍ଟ ବି ପ୍ରକାଶ ପାଇଥିଲା। ଆଜି ‘ସମ୍ବାଦ’ରେ ଏ ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ ପାଇଥିବା ବେଳେ ଏନେଇ ପିସିସିଏଫ୍‌ ସୁଶାନ୍ତ ନନ୍ଦ ମୁହଁ ଖୋଲିଛନ୍ତି। ଶିମିଳିପାଳରୁ ବାଘ ଆଣି ସାତକୋଶିଆରେ ଛାଡ଼ିବା ପାଇଁ କୌଣସି ଯୋଜନା ନାହିଁ ବୋଲି ‘ଏକ୍ସ’ ପେଜ୍‌ରେ ସୂଚନା ଦେଇଛନ୍ତି। ସେହିପରି ସୋତକୋଶିଆ ବ୍ୟାଘ୍ର ପ୍ରକଳ୍ପର କୋର୍‌ ଅଞ୍ଚଳରେ ଥିବା ଗ୍ରାମଗୁଡ଼ିକୁ ବାଧ୍ୟତାମୂଳକ ସ୍ଥାନାନ୍ତର ପାଇଁ ରାଜ୍ୟ ସରକାର ପ୍ରୋତ୍ସାହନ ଦିଅନ୍ତି ନାହିଁ ବୋଲି ଶ୍ରୀ ନନ୍ଦ ଉକ୍ତ ପୋଷ୍ଟରେ ସ୍ପଷ୍ଟ କରିଛନ୍ତି। ତେ‌ବେ ସାତକୋଶିଆ ସମ୍ବନ୍ଧରେ ଅନ୍ୟ କିଛି ପ୍ରଶ୍ନ ସାମ୍ବାଦିକମାନେ ‘ଏକ୍ସ’ରେ ପଚାରିଥିଲେ ବି ଶ୍ରୀ ନନ୍ଦ ସେ ସମ୍ପର୍କରେ କୌଣସି ଉତ୍ତର ରଖିନାହାନ୍ତି। ପିସିସିଏଫ୍‌ଙ୍କ ସ୍ପଷ୍ଟୀକରଣ ପରେ ଶିମିଳିପାଳରୁ ସାତକୋଶିଆ ବାଘ ଆସିବେନି ବୋଲି ତ ସ୍ପଷ୍ଟ ହୋଇଛି, କିନ୍ତୁ କେଉଁଠାରୁ ବାଘ ଆଣିବାକୁ ଯୋଜନା ହେଉଛି ବା ସାତକୋଶିଆରେ ପୁଣିଥରେ ବାଘ ହେଣ୍ଟାଳ ଶୁଭିବ କି ନାହିଁ ତାହା ସ୍ପଷ୍ଟ ହୋଇପାରିନି। ଏ ସମ୍ପର୍କରେ ଅନୁଗୁଳ ଆର୍‌ସିସିଏଫ୍‌ ସୁଧାଂଶୁ ଶେଖର ଖୋରାଙ୍କୁ ଯୋଗାଯୋଗ କରିବାରେ, କୋର୍‌ ଅଞ୍ଚଳରୁ ଗାଁ ବିସ୍ଥାପନକୁ ଗୁରୁତ୍ବ ଦିଆଯାଉଛି। ୫ଟି ଗାଁକୁ ବିସ୍ଥାପିତ କରାଯାଇଥିଲାବେଳେ ଅନ୍ୟ ଗାଁଗୁଡ଼ିକୁ ଆଲୋଚନା ଭିତ୍ତିରେ ବିସ୍ଥାପନ ପାଇଁ ଉଦ୍ୟମ ଚାଲିଥିବା କହିଛନ୍ତି। ଯେ ପର୍ଯ୍ୟନ୍ତ ଗାଁ ବିସ୍ଥାପନ ଶେଷ ହୋଇନାହିଁ, ସେ ଯାଏଁ କିଛି କହିହେବ ନାହିଁ ବୋଲି ସେ କହିଛନ୍ତି। ତେବେ ଗାଁଗୁଡ଼ିକ ବିସ୍ଥାପନ ପରେ ରାଜ୍ୟ ସରକାର ସାତକୋଶିଆକୁ ବାଘ ଆଣିବା ପାଇଁ ନିଶ୍ଚିତ ଚିନ୍ତା କରିବେ ବୋଲି ସେ କହିଥିଲେ। କେବେ ସୁଦ୍ଧା ଗାଁ ବିସ୍ଥାପନ ହେବ ବୋଲି ବନବିଭାଗ କୌଣସି ଟା‌ର୍ଗେଟ୍‌ ନେଇନାହିଁ ବରଂ ଯେତେ ଶୀଘ୍ର ହେବ ଲୋକଙ୍କ ସହ ଆଲୋଚନା କରି ଏହାକୁ ବିସ୍ଥାପନ କରିବା ପାଇଁ ଚେଷ୍ଟା କରାଯାଉଥିବା ଶ୍ରୀ ଖୋରା କହିଛନ୍ତି।

ସମ୍ବନ୍ଧିତ ଖବର