ସ୍କୁଲ ଫି’ ବିବାଦ ଘନେଇଲା : ଆଇନର ଦ୍ବାରସ୍ଥ ହେବାକୁ ବିରୋଧୀଙ୍କ ସଜବାଜ

ବିଜୁ ଛାତ୍ର ଜନତା ଦଳ ଓ ଅଭିଭାବକ ମହାସଂଘର ସ୍ବାଗତ
ସମସ୍ତେ ଲାଗୁ କରିବେ ବୋଲି ଆଶା: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର : ସ୍କୁଲ୍ ଫି’ କୋହଳ ହେବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିବାଦ ଆରମ୍ଭ ହୋଇଛି। ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଘରୋଇ ସ୍କୁଲ କର୍ତୃପକ୍ଷ ଏହି ନିଷ୍ପତ୍ତିକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି। ନିଷ୍ପତ୍ତିକୁ ମାନିବେ ନାହିଁ ବୋଲି ରୋକଠୋକ୍‌ ଶୁଣାଇ ଦେଇଛନ୍ତି। ଏମିତିକି କିଛି ଘରୋଇ ସ୍କୁଲ୍ ଆଇନ୍‌ର ଦ୍ୱାରସ୍ଥ ହେବା ଲାଗି ଅଣ୍ଟା ଭିଡ଼ିଲେଣି। ସେମାନଙ୍କର ଯୁକ୍ତି ହେଉଛି ଯେ ମହାମାରୀ ସମୟରେ ସ୍କୁଲ୍ ଫି’ କୋହଳ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଥିଲେ। ସେ ସମୟରେ ଫି’ ବୃଦ୍ଧି କରାଯାଇ ନ ଥିଲା। ପୂର୍ବବର୍ଷର ଫି’ ଆଧାରରେ ଏଥର ଆଦାୟ କରାଯାଉଛି। ତେବେ ସରକାରଙ୍କ ବିଜ୍ଞପ୍ତି ବିରୋଧରେ କୌଣସି ବିଦ୍ୟାଳୟ ଅଧ୍ୟକ୍ଷ ମୁହଁ ଖୋଲିବାକୁ ରାଜି ହେଉ ନାହାନ୍ତି।

ଘରୋଇ ଓଡ଼ିଆ ମାଧ୍ୟମ ବିଦ୍ୟାଳୟଗୁଡ଼ିକ ମଧ୍ୟ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି। ସେମାନେ କହିଛନ୍ତି ଯେ କରୋନା କାଳରେ ଶିକ୍ଷକମାନେ ଦିନ ରାତି ଏକ କରି ଅନ୍‌ଲାଇନ୍‌ରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେଇଥିଲେ। ପିଲାଙ୍କଠାରୁ ମାସିକ ବହୁତ କମ୍‌ ଫି’ ଆଦାୟ କରାଯାଉଛି। ତା’ପରେ ବି ସ୍କୁଲ ଫି’ କୋହଳ କରିବାକୁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ଗ୍ରହଣ କରିପାରୁ ନାହିଁ। ସରକାର ଏହାର ବିକଳ୍ପ ଚିନ୍ତା କରନ୍ତୁ। ୟୁନିଟ୍‌-୪ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ପ୍ରଧାନଶିକ୍ଷକ ଅମ୍ବିକା ପ୍ରସାଦ ଦାସ କହିଛନ୍ତି ଯେ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରୁଛୁ। ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କଠାରୁ ବହୁତ କମ୍‌ ଫି’ ଆଦାୟ କରାଯାଇଥାଏ। ତା’ ପରେ ଯଦି ଫି’ ଛାଡ଼ ପାଇଁ କୁହାଯିବ ‌ତେବେ ବହୁତ ବାଧିବ। ଫି’ ହ୍ରାସ କରିବା ନେଇ ଆମମାନଙ୍କ ସହ ରାଜ୍ୟ ସରକାର କୌଣସି ଆଲୋଚନା‌ କଲେ ନାହିଁ। ନିଜ ଇଚ୍ଛାରେ ଫି’ କମାଇବା ଠିକ୍‌ ହୋଇ ନାହିଁ।

ଅନ୍ୟପକ୍ଷରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ସମେତ ଭୁବନେଶ୍ବରରେ ଥିବା ଅଧିକାଂଶ ଘରୋଇ ସ୍କୁଲ କର୍ତୃପକ୍ଷ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ବରିଷ୍ଠ ଅଧିକାରୀ ଶରତ କୁମାର କର କହିଛନ୍ତି ଯେ ସରକାରଙ୍କ ବିଜ୍ଞପ୍ତି ଆଜି ଅପରାହ୍‌ଣରେ ଆମ ନିକଟରେ ପହଞ୍ଚିଛି। ଏହି ନିଷ୍ପତ୍ତିକୁ ଆମେ ସ୍ବାଗତ କରୁଛୁ। ଏହାକୁ କିଭଳି ଖୁବ୍‌ଶୀଘ୍ର କାର୍ଯ୍ୟକାରୀ କରାଯାଇ ପାରିବ ସେଦିଗରେ ପଦକ୍ଷେପ ନିଆଯାଉଛି।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ କରୋନା ସମୟରେ ଫି’ ଛାଡ଼ ପାଇଁ ସବୁ ଅଂଶୀଦାରମାନଙ୍କ ସହ ଆଲୋଚନା ପରେ ହାଇକୋର୍ଟଙ୍କୁ ଜଣାଇ ଦିଆଯାଇଥିଲା। ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାପରେ ଯେଉଁମାନେ ନିଷ୍ପତ୍ତିକୁ ମାନିବେ ନାହିଁ ସେମାନେ ଉପଯୁକ୍ତ ଫୋରମ୍‌ରେ ଯାଇ ଅଭିଯୋଗ କରିପାରିବେ ବୋଲି କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି। ମୋର ଆଶା ସମସ୍ତ ବିଦ୍ୟାଳୟ ଏହି ନିଷ୍ପତ୍ତିକୁ ମାନିବେ।

ଘରୋଇ ସ୍କୁଲ୍ ଫି ଛାଡ଼ କରିବା ନିଷ୍ପତ୍ତିକୁ ଛାତ୍ର ବିଜେଡି ସ୍ବାଗତ ଜଣାଇଛି। ସଙ୍ଗଠନର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି ଯେ ଗଣଶିକ୍ଷା ବିଭାଗ ପକ୍ଷରୁ ଘରୋଇ ସ୍କୁଲ ଫି’ ଛାଡ଼ କରିବା ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏହା ଅଭିଭାବକଙ୍କୁ ସହାୟକ ହେବ। ତେଣୁ ରାଜ୍ୟ ସରକାରଙ୍କ ଏହି ସମୟୋଚିତ ପଦକ୍ଷେପକୁ ସ୍ବାଗତ ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରୁଛୁ।

ଓଡିଶା ଅଭିଭାବକ ମହସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରୁଛୁ। ବର୍ତମାନ ସମସ୍ତ ବେସରକାରୀ ସ୍କୁଲ ଟ୍ୟୁସନ ଫି ୨୦୧୯-୨୦ ହିସାବରେ ବିଭିନ୍ନ ସ୍ଲାବ ଅନୁସାରେ ଘୋଷଣା କରନ୍ତୁ। ରିଆଡମିସନ ଫି’, ଡେଭଲପ୍‌ମେଣ୍ଟ ଫି’, ବାର୍ଷିକ ଫି’ ପରି ଅନ୍ୟାନ୍ୟ ଅନୁସଙ୍ଗିକ ଫି’ ଛାଡ଼ କରିବା ସହ କେତେ ଛାଡ଼ କଲେ ତାହା ଜଣେଇଲେ ଫି’ ମାମଲାରେ ସଠିକ ତଥ୍ୟ ମିଳିପାରିବ। ଗତବର୍ଷ କେତେ ଥିଲା ଓ ନୂଆ ବିଜ୍ଞପ୍ତି ଅନୁସାରେ କେତେ ହେଲା ତାହା ସାଧାରଣ ଲୋକଙ୍କୁ ଜଣାନ୍ତୁ। ଫି ମାମଲାରେ ପତ୍ର ଦେଲେ ଆମେ ଫି ଦାଖଲ କରିପାରିବୁ। ଯେଉଁମାନେ ଏହା ନ ମାନିବେ ତାଙ୍କର ସ୍ୱୀକୃତି ପ୍ରତ୍ୟାହାର ସହ କାର୍ଯ୍ୟାନୁଷ୍ଠାନ ନିଆଯାଉ।

ସମ୍ବନ୍ଧିତ ଖବର