ଏସ୍‌ସିବି କୋଭିଡ୍‌ ହସ୍ପିଟାଲ ଆଇସିୟୁରେ ଧୂଆଁ; ୫ ରୋଗୀ ସୁରକ୍ଷିତ

କଟକ : ଏସ୍‌ସିବି ନ୍ୟୁମେଡିସିନ୍‌ ବିଭାଗ କୋଭିଡ୍‌ ଆଇସିୟୁ (୨)ରେ ଧୂଆଁ ବାହାରିବା ପରେ ସେଠାରୁ ତୁରନ୍ତ ସଂକ୍ରମିତଙ୍କୁ ବାହାର କରି ଦିଆଯାଇଛି। ମାତ୍ର ୫ଜଣ ସଂକ୍ରମିତ ସେଠାରେ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ଅବସ୍ଥା ଭଲ ଥିବାରୁ ସେମାନେ ନିଜେ ସେଠାରୁ ବାହାରି ଆସିଥିବା କୁହାଯାଉଛି। କୌଣସି ବିଦ୍ୟୁତ ସର୍ଟ ସର୍କିଟ୍‌ରୁ ଏଭଳି ଘଟିଥିବା ଅଗ୍ନିଶମ ବିଭାଗ ସନ୍ଦେହ କରୁଛି। ଦିନ ପ୍ରାୟ ୧୧ଟା ବେଳେ ଏଭଳି ହଠାତ୍‌ ଆଇସିୟୁ ଭିତର ଧୂଆଁମୟ ହୋଇ ଯାଇଥିଲା। ତୁରନ୍ତ ଏସ୍‌ସିବି କର୍ତ୍ତୃପକ୍ଷ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ଫ୍ଲୋ‌ ଅକ୍ସିମିଟର ତଥା ବିଭିନ୍ନ ସୁଇଜ୍‌ ସବୁ ବନ୍ଦ କରି ଦେଇଥିଲେ। ପରେ ଏହାର ମରାମତି କରାଯାଇଥିଲା। କିନ୍ତୁ ରୋଗୀଙ୍କୁ ବି ଅନ୍ୟତ୍ର ‌ରଖି ଚିକିତ୍ସା କରାଯାଉଛି।

ସନ୍ଦିଗ୍ଧ ବ୍ଲାକ୍‌ ଫଙ୍ଗସ୍‌ ରୋଗୀଙ୍କ ମୃତ୍ୟୁ
କଟକ : ଏସ୍‌ସିବିରେ ଦିନକୁ ଦିନ ସନ୍ଦିଗ୍ଧ ବ୍ଲାକ୍‌ ଫଙ୍ଗସ୍‌ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଫଙ୍ଗସ୍‌ ୱାର୍ଡରେ ୩ଜଣ ସଂକ୍ରମିତ ଭର୍ତ୍ତି ହୋଇଥିବାବେଳେ ଜଣଙ୍କର ରିପୋର୍ଟ ଆସିନି। ଅନ୍ୟପଟେ ଆଇସିୟୁ ଓ ବିଭିନ୍ନ ୱାର୍ଡରେ ୮ଜଣ ସଂକ୍ରମିତ ଭର୍ତ୍ତି ହୋଇଥିବାବେଳେ ଗତକାଲି ବିଳମ୍ବିତ ରାତିରେ ଜଣେ ସନ୍ଦିଗ୍ଧଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁର କାରଣ ଯଦିଓ ସ୍ପଷ୍ଟ ହୋଇନି ତଥାପି ସେ ଅନ୍ୟ ରୋଗରେ ମଧ୍ୟ ଆକ୍ରାନ୍ତ ଥିବା‌ ଜଣାପଡିଛି। ଅନ୍ୟପଟେ ଏସ୍‌ସିବିରେ ଆଜି ଜଣେ ବ୍ଲାକ୍‌ ଫଙ୍ଗସ୍‌ ରୋଗୀଙ୍କର ଅସ୍ତ୍ରୋପଚାର ହେବାର ଥିଲା କିନ୍ତୁ ଆନାସ୍ଥେସିଆ ଦେବା ପାଇଁ ତାଙ୍କ ଶରୀର ଫିଟ୍ ନଥିବାରୁ ଅସ୍ତ୍ରୋପଚାର ହୋଇ ପାରିନଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର