ସ୍ନାନଯାତ୍ରା : ହାତୀବେଶରେ ଦର୍ଶନ ଦେଉଛନ୍ତି ମହାବାହୁ, ଜୁନ ୧୫ରୁ ଶ୍ରୀଅଲରାନାଥ ପୀଠରେ ହେବ ଭକ୍ତ ସମାଗମ

ପୁରୀ: ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଜାରି ରହିଛି। ଶ୍ରୀଜିଉମାନେ ସୁନାକୂଅରୁ ୧୦୮ ଗରା ସୁବାସିତ ଜଳରେ ଗାଧୋଇଛନ୍ତି। ମନ୍ଦିର ନିକଟ ସୁନାକୂଅକୁ ଯଥାବିଧି ପୂଜା କରାଯିବା ପରେ ସେବାୟତମାନେ ସେଥିରୁ ୧୦୮ ଗରା ଶୀତଳ ଜଳ ବୋହି ଆଣି ଚତୁର୍ଦ୍ଧାମୂର୍ତ୍ତିଙ୍କ (ଶ୍ରୀଜଗନ୍ନାଥ-୩୫ ଗରା, ବଳଭଦ୍ର-୩୩ ଗରା, ସୁଭଦ୍ରା-୨୨ଗରା, ସୁଦର୍ଶନ-୧୮ ଗରା) ଉପରେ ଢ଼ାଳି ସ୍ନାନ କରାଇଥିଲେ । ଏହି ପବିତ୍ର ଦେବସ୍ନାନ ପରେ ଅନୁଷ୍ଠିତ ହୋଇଛି ଚାରି ଠାକୁରଙ୍କ ମନଲୋଭା ହାତୀବେଶ। ସେବାୟତମାନେ ଠାକୁରମାନଙ୍କୁ ବଡ଼ ସୁନ୍ଦର ଭା‌ବେ ହାତୀବେଶରେ ସଜାଇଛନ୍ତି । ଶ୍ରୀଜିଉମାନେ ହାତୀବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ସ୍ନାନଯାତ୍ରା ବିଳମ୍ବିତ ରାତିଯାଏଁ ଜାରି ରହିପାରେ ବୋଲି ସୂଚନା ମିଳିଛି।

ଆଜି ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ଅବସରରେ ବଡ଼ଠାକୁରଙ୍କ ଏହି ମାନବୀୟ ତଥା ଦିବ୍ୟଲୀଳା ସଂପାଦିତ ହୋଇଛି। ରତ୍ନବେଦିରେ ସକାଳର ସମସ୍ତ ପୂଜା ଓ ନୀତିକାନ୍ତି ପରେ ବଡ଼ଭାଇ ବଳଭଦ୍ର, ଭଉଣୀ ଦେବୀ ସୁଭଦ୍ରା, ଚକ୍ରରାଜ ସୁଦର୍ଶନଙ୍କୁ ସାଙ୍ଗରେ ଧରି ବଡ଼ଠାକୁର ଜଗନ୍ନାଥ ସ୍ନାନ‌ବେଦିକୁ ପହଣ୍ଡି ବିଜେ କରିଥିଲେ। ସ୍ନାନଯାତ୍ରା ଶେଷ ହେବା ପରେ ଠାକୁରଙ୍କୁ ଅଣସର ଘରକୁ ନିଆଯିବ। ଆସନ୍ତାକାଲିଠାରୁ ଶ୍ରୀଅଲାରନାଥ ଭକ୍ତଙ୍କୁ ଦର୍ଶନ ଦେବେ। ଏଥିପାଇଁ ବ୍ରହ୍ମଗିରିରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ପାଇଁ ‌ପୁଲିସ ମୁତୟନ ହେବେ। ୬ ପ୍ଲାଟୁନ ପୁଲିସ୍  ସହ ୨୦ ଜଣ ଅଧିକାରୀ ଉପସ୍ଥିତ ରହିବେ। ସୁରକ୍ଷା ପାଇଁ ବେରିକେଡ ଲାଗିସାରିଛି। ଅଲାରନାଥଙ୍କ ସାଧାରଣ ଦର୍ଶନ ସକାଳ ୫ଟାରୁ ଆରମ୍ଭ ହେବ।

 

ସମ୍ବନ୍ଧିତ ଖବର