ବିଦ୍ୟୁତ୍‌ ନିୟାମକ ଆୟୋଗଗୁଡ଼ିକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ୩ ମାସ ମଧ୍ୟରେ ଦର ନିର୍ଦ୍ଧାରଣ ନିୟମ ପ୍ରସ୍ତୁତ କର

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବିଭିନ୍ନ ରାଜ୍ୟର ବିଦ୍ୟୁତ ନିୟାମକ ଆୟୋଗଗୁଡ଼ିକୁ ତିନିମାସ ମଧ୍ୟରେ ଦର ନିର୍ଦ୍ଧାରଣ ନିୟମ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟୁତ୍‌ ଆଇନ, ୨୦୦୩ର ଧାରା ୧୮୧ ଆଧାରରେ ଦର ନିର୍ଦ୍ଧାରଣ ପାଇଁ ନିୟମ ଓ ସର୍ତ୍ତଗୁଡ଼ିକୁ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶରେ କୁହାଯାଇଛି। କୋର୍ଟ କହିଛନ୍ତି, ଦର ନିର୍ଦ୍ଧାରଣ ସଂକ୍ରାନ୍ତ ମାର୍ଗଦର୍ଶିକା ପ୍ରସ୍ତୁତ ବେଳେ ଆୟୋଗଗୁଡ଼ିକ ଉକ୍ତ ଆଇନର ଧାରା ୬୧ରେ ଉଲ୍ଲେଖ ସିଦ୍ଧାନ୍ତଗୁଡ଼ିକୁ ପାଳନ କରିବେ। ଯେଉଁଥିରେ କି ଜାତୀୟ ବିଜୁଳି ନୀତି ଓ ଦର ନୀତି ଉଲ୍ଲେଖ ରହିଛି। ଅନ୍ୟ ପକ୍ଷରେ ଯେଉଁସବୁ ରାଜ୍ୟରେ ଆୟୋଗ ପ୍ରଥମରୁ ନିୟମ ପ୍ରସ୍ତୁତ କରିସାରିଛନ୍ତି, ସେମାନେ ଦର ନିର୍ଦ୍ଧାରଣ ପ୍ରକ୍ରିୟା ମାନଦଣ୍ଡକୁ ଏଥିରେ ସାମିଲ କରିବା ପାଇଁ ସଂଶୋଧନ କରିବେ। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଡି.ୱାଇ ଚନ୍ଦ୍ରଚୂଡ଼, ବିଚାରପତି ଜଷ୍ଟିସ ଏ.ଏସ୍‌ ବୋପାନ୍ନା ଓ ବିଚାରପତି ଜଷ୍ଟିସ୍‌ ଜେ.ବି ପାରଦିୱାଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।

ନିର୍ଦ୍ଦେଶରେ କୁହାଯାଇଛି, ଆୟୋଗଗୁଡ଼ିକ ସଂପୃକ୍ତ ରାଜ୍ୟରେ ଏକ ପ୍ରଭାବଶାଳୀ ବିଦ୍ୟୁତ ନିୟାମକ ପାଇଁ ବିଦ୍ୟୁତ୍‌ ଆଇନର ଉଦ୍ଦେଶ୍ୟକୁ ପାଳନ କରିବା ଦରକାର। ଆୟୋଗଗୁଡ଼ିକ ନିୟାମକ ପ୍ରସ୍ତୁତି ବେଳେ ରାଜ୍ୟର ପ୍ରମୁଖ ଆବଶ୍ୟକତାଗୁଡ଼ିକୁ ଧ୍ୟାନରେ ରଖିବାକୁ ଖଣ୍ଡପୀଠ କହିଛନ୍ତି। ‘ଦ ଟାଟା ପାୱାର ଟ୍ରାନ୍‌ସମିସନ୍‌ କଂପାନି ଲିମିଟେଡ୍‌’ ବନାମ ‘ମହାରାଷ୍ଟ୍ର ଇଲେକ୍‌ଟ୍ରିସିଟି ରେଗୁଲେରଟି କମିସନ’ ମାମଲାର ରାୟ ଅବସରରେ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟୁତ୍‌ ଆଇନରେ ଅନ୍ତଃ ରାଜ୍ୟ ସରବରାହ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ସହ ଦର ନିର୍ଦ୍ଧାରଣ ଓ ନିୟନ୍ତ୍ରଣ କ୍ଷମତା ବିଷୟରେ ଉଲ୍ଲେଖ ରହିଛି। ତେବେ ଏଥିରେ ବିଦ୍ୟୁତ୍‌ ଦର ନିର୍ଦ୍ଧାରଣକୁ ନେଇ ବିଶେଷ ପଦ୍ଧତି ନାହିଁ। ଆଇନର ଧାରା ୬୩‌ରେ ବିଡିଂ ପ୍ରକ୍ରିୟାରେ ଦର ନିର୍ଦ୍ଧାରଣ କରିବା ବ୍ୟବସ୍ଥା ଉଲ୍ଲେଖ ଅଛି। ଯଦି ଦର ପୂର୍ବରୁ ଧାର୍ଯ୍ୟ ହୋଇସାରିଛି, ଏହାକୁ ଆୟୋଗମାନଙ୍କୁ ଆପଣାଇବାକୁ ପଡ଼ିବ। ଆୟୋଗ ଆଇନର ଧାରା ୬୨ରେ ନିଜ କ୍ଷମତା ଉପଯୋଗ କରି ବିଡିଂ ମାଧ୍ୟମରେ ନିର୍ଦ୍ଧାରଣ କରିଥିବା ଦରକୁ ଅସ୍ବୀକାର କରିପାରିବେ ନାହିଁ। ବିଡିଂ ପ୍ରକ୍ରିୟା ପାରଦର୍ଶୀ ନହେବା ତଥା ପ୍ରକ୍ରିୟାଗତ ମାନଦଣ୍ଡ ପାଳନ କରାନଯିବା ସ୍ଥିତିରେ ଆୟୋଗଗୁଡ଼ିକ ବିଡିଂ ପ୍ରକ୍ରିୟାରେ ଧାର୍ଯ୍ୟ ଦରକୁ ନଆପଣାଇବାର ବିକଳ୍ପ ବାଛିପାରିବେ ବୋଲି କୋର୍ଟ କହିଛନ୍ତି।

ସମ୍ବନ୍ଧିତ ଖବର