ଆପୋସ ସମାଧାନ ବେଳେ ପିଟାପିଟି: ୨ ଆହତ, ୫ ଅଟକ, ରଣକ୍ଷେତ୍ର ପାଲଟିଲା ଥାନା ପରିସର

ବାଲିପାଟଣା: ଦୀର୍ଘ ଦିନର ଜମିଜମା ମାମଲାର ଆପୋସ ସମାଧାନ ପାଇଁ ଉଭୟ ପକ୍ଷ ରାଜି ହୋଇ ଥାନାକୁ ଆସିଲେ। ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ଥାନା ପରିସରରେ ଚାଲିଲା ଆଲୋଚନା। ଆପୋସ ସମାଧାନ ବି ହେଲା। ଉଭୟ ପକ୍ଷ ଘରକୁ ଫେରିବା ପାଇଁ ଥାନାରୁ ବାହାରିଲେ। କିନ୍ତୁ ହଠାତ୍ ଥାନା ଫାଟକ ନିକଟରେ ବାହାରିଲା ପୁରୁଣା ରୋଗ। କଥା କଟାକଟିରୁ ହାତାହାତି ଯାଏଁ କଥା ଗଲା। ଭଦ୍ରଲୋକ ଓ ପୁଲିସ କର୍ମଚାରୀଙ୍କ ପ୍ରତିରୋଧ ସତ୍ତ୍ବେ ଦୁଇ ପକ୍ଷ ପିଟାପିଟି ହୋଇ ଆହତ ହେଲେ। ତେଣୁ ପ୍ରାୟ ଅଧ ଘଣ୍ଟା କାଳ ଥାନା ପରିସର ଏକପ୍ରକାର ରଣକ୍ଷେତ୍ର ପାଲଟିଗଲା। ଶେଷରେ ପୁଲିସ ଲାଠି ଉଠାଇବାରୁ ଯାଇ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଆହତ ଦୁଇ ଜଣଙ୍କୁ ପୁଲିସ ହସ୍ପିଟାଲକୁ ପଠାଇଥିବା ବେଳେ ୫ ଜଣଙ୍କୁ ଅଟକ ରଖିଛି। ଆଜି ସନ୍ଧ୍ୟାରେ ବାଲିପାଟଣା ଥାନା ପରିସରରେ ଘଟିଥିବା ଏହି ଗଣ୍ଡଗୋଳ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନାନୁସାରେ ଗାରେଡିପାଞ୍ଚଣ ଗ୍ରାମର ମଇନ ବାରିକ, ସୁରେନ୍ଦ୍ର ବାରିକ ଓ ପଡ଼ୋଶୀ ମଙ୍ଗରାଜ ବାରିକଙ୍କ ପରିବାର ଭିତରେ ୫ ବର୍ଷ ହେଲା ଜମିବାଡ଼ି ବିବାଦ ଲାଗିରହିଛି। ଏହି ବିବାଦର ସମାଧାନ ପାଇଁ ଆଜି ସନ୍ଧ୍ୟାରେ ଉଭୟ ପକ୍ଷ ଭଦ୍ରଲୋକଙ୍କୁ ସାଙ୍ଗରେ ଧରି ଥାନାକୁ ଆସିଥିଲେ। ଭଦ୍ରବ୍ୟକ୍ତିମାନଙ୍କ ଉପସ୍ଥିତିରେ କଥା ପଡ଼ିଥିଲା ଏବଂ ସେମାନେ ଥାନାରୁ ବାହାରିଥିଲେ। ତେବେ ପୁଣି ଥାନା ଫାଟକ ନିକଟରେ ଉଭୟ ପକ୍ଷଙ୍କ ମଧ୍ୟରେ କଥା କଟାକଟି ହେଲା ଓ ସେମାନେ ପିଟାପିଟି ହେଲେ। ସୁରେନ୍ଦ୍ରଙ୍କ ମୁଣ୍ଡ ଫାଟି ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଏହି ମାମଲାରେ ୫ ଜଣଙ୍କୁ ଅଟକ ରଖାଯାଇଛି ଏବଂ ଏନେଇ ଏକ ମାମଲା ହେବ ବୋଲି ଥାନା ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର