କଟକ ବଡ଼ ମେଡିକାଲରୁ ନାବାଳକ ନିଖୋଜ ଘଟଣା : ୧୬ ଦିନ ହେଲା ପୁଅକୁ ନପାଇ ମା’ ପାଗେଳି

ବାପା ଗଡ଼ୁଛି ତଳେ, ଅର୍ଥୋପେଡିକ୍‌  ବିଭାଗକୁ ନେବାକୁ କେହି ନାହାନ୍ତି

କଟକ : ଷୋହଳ ଦିନ ବିତିଗଲାଣି,  ତଥାପି କଟକ ବଡ଼ ମେଡିକାଲରୁ ନିଖୋଜ ନାବାଳକର ପତ୍ତା ମିଳୁନି। ଏକମାତ୍ର ପୁଅକୁ ଖୋଜି ଖୋଜି ବାପାର ଅବସ୍ଥା ଦିନକୁ ଦିନ ଗୁରୁତର ହେଉଥିବାବେଳେ ମା’ ଏକପ୍ରକାର ପାଗେଳି ପାଲଟି ହେଇ ଗଲେଣି। ବଡ଼ ମେଡିକାଲକୁ ଚିକିତ୍ସା ପାଇଁ ଆସିଥିବା ବାପାକୁ ସର୍ଜରୀ ବିଭାଗରୁ ଡ଼ିସଚାର୍ଜ କରାଯାଇ ଅର୍ଥୋପେଡିକ୍‌ ବିଭାଗକୁ ଡାକ୍ତର ଦୁଇ ଦିନ ହେଲା ରେଫର କରିଥିଲେ ମଧ୍ୟ ତାଙ୍କୁ ଓ୍ଵାର୍ଡକୁ ସ୍ଥାନାନ୍ତର କରିବା ପାଇଁ ପାଖରେ କେହି ନାହାନ୍ତି। ଏଭଳି ଦୟନୀୟ ସ୍ଥିତିରେ ପଡ଼ିଛନ୍ତି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରର ସନ୍ତୋଷ ବେହେରା ଓ ତାଙ୍କ ପରିବାର। ଗତ ମାସ ୨୮ ତାରିଖରେ ବଡମେଡିକାଲରୁ  ତାଙ୍କର ୧୩ ବର୍ଷର ପୁଅ ନିଖୋଜ ହୋଇଯିବା ସଂପର୍କରେ  ମେଡିକାଲ ଫାଣ୍ଡିରେ ଏତଲା ଦିଆଯାଇଥିଲେ ସୁଦ୍ଧା ପୁଲିସ ଏଯାଏ କୌଣସି ପଦକ୍ଷେପ ନେଇପାରି ନାହିଁ।

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରର ସନ୍ତୋଷ ବେହେରାଙ୍କ ପରିବାର କହିଲେ ସ୍ତ୍ରୀ, ୪ ଝିଅ ଓ ଗୋଟିଏ ପୁଅ ଚନ୍ଦନ। ଦୁଃଖକଷ୍ଟରେ ଚଳୁଥିଲା ପରିବାର। ହଠାତ୍‌ ଟ୍ରେନରୁ ଖସିପଡି ଗୁରୁତର ଭାବେ ଆହତ ହୋଇଥିଲେ ସନ୍ତୋଷ। ତାଙ୍କୁ କଟକ ବଡମେଡିକାଲ ସର୍ଜରୀ ଓ୍ଵାର୍ଡର ୮୭ନମ୍ବର ବେଡ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସନ୍ତୋଷଙ୍କ ଚିକିତ୍ସା ପାଇଁ ସ୍ତ୍ରୀ, ପୁଅ ସହ ପରିବାର ଲୋକ ମଧ୍ୟ ବଡମେଡିକାଲ ଆସିଥିଲେ। ସନ୍ତୋଷଙ୍କ ଚିକିତ୍ସାରେ ମା’କୁ ସହାୟତା କରୁଥିବା ଏକମାତ୍ର ପୁଅ ଚନ୍ଦନ  ଗତ ମାସ  ୨୮ ତାରିଖ ଦିନ କ୍ଷୀର ଗରମ କରିବା ପାଇଁ ଯାଇଥିଲେ। କିନ୍ତୁ ଦୀର୍ଘ ସମୟ ଧରି ଚନ୍ଦନ ନଆସିବା ଫଳରେ ପରିବାର ଲୋକ ତାଙ୍କୁ ଖୋଜିଥିଲେ। କିନ୍ତୁ ପାଇନଥିଲେ। ଦୀର୍ଘ ୫ଦିନ ପରେ ମଧ୍ୟ  ଚନ୍ଦନର କୌଣସି ଖୋଜଖବର ନମିଳିବା ଫଳରେ ଗତ ୨ ତାରିଖରେ ପରିବାର ପକ୍ଷରୁ ସ୍ୱେଚ୍ଛାସେବୀ ଅଭିମନ୍ୟୁ ଦାସଙ୍କ ନେତୃତ୍ୱରେ ବଡମେଡିକାଲ ଫାଣ୍ଡିରେ ଏତଲା ଦେଇଥିଲେ।  ଏତଲା ଦେବାର ୧୦ରୁ ଅଧିକ ଦିନ ବିତିଗଲାଣି, କିନ୍ତୁ ପୁଲିସ ହାତବାନ୍ଧି ବସିଛି। ସନ୍ତୋଷ ବଡମେଡିକାଲରେ ଚିକିତ୍ସିତ ହେଉଥିବାବେଳେ ତାଙ୍କ ପତ୍ନୀ ଗାଁକୁ ଯାଇ ବିଭିନ୍ନ ସ୍ଥାନରେ ପୁଅକୁ ଖୋଜୁଛି। ଅନ୍ୟପଟେ ବାପା ରୋଗ ଶଯ୍ୟାରେ ପଡି ପୁଅ ଚିନ୍ତାରେ ଦିନକୁ ଦିନ ଅବସ୍ଥା ଗୁରୁତର ହେବାରେ ଲାଗିଛି। ଚିକିତ୍ସା ପାଇଁ ହେଉ ବା ବଡମେଡିକାଲରେ ଖାଇବା ଓ ପୁଅକୁ ଖୋଜିବା ପାଇଁ ମା’ ପାଖରେ ଟଙ୍କା ନାହିଁ। ଯାହା କିଛି ଥିଲା ତାସବୁ ସ୍ୱାମୀଙ୍କ ଚିକିତ୍ସାରେ ଖର୍ଚ୍ଚ ସରିଲାଣି। ଏହି ଘଟଣାରେ ପୁଲିସ୍‌ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର